ରାଜନୀତି

ହରିୟାଣା ବିଜେପିକୁ ଝଟ୍‌କା: ସଂଖ୍ୟାଗରିଷ୍ଠତା ହରାଇଲା ସୈନି ସରକାର – Kalinga News

[ad_1]

ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବ‌ା ବେଳେ ହରିୟାଣା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ରାଜ୍ୟରେ ଆଜି ୩ ଜଣ ସ୍ବାଧୀନ ବିଧାୟକ ବିଜେପି ସରକାରରୁ ଅଚାନକ ସମର୍ଥନ ପ୍ରତ୍ୟାହାର କରିନେଇ ବିରୋଧୀ ଦଳ କଂଗ୍ରେସକୁ ସମର୍ଥନ ଘୋଷଣା କରିଛନ୍ତି। ଫଳରେ ରାଜ୍ୟରେ ନୂଆ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ନାଏବ ସୈନିଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଛି। ବିଧାୟକ ରନ୍ଧିର ଗୋଲନ, ଧର୍ମପାଲ‌ ଗୋନ୍ଦର ଏବଂ ସୋମବୀର ସିଂହ ସାଙ୍ଗୱନ ଆଜି ରୋହତକରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଉଦୟ ଭାନ୍‌ଙ୍କ ଉପସ୍ଥିତିରେ ବିଧାୟକ ସାଙ୍ଗୱନ ଗଣମାଧ୍ୟମ‌କୁ କହିଛନ୍ତି ଯେ ବାଦଶାହପୁର ବିଧାୟକ ରାକେଶ ଦୌଲତାବାଦ ମଧ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବେ। କିନ୍ତୁ ଠିକ୍‌ ସମୟରେ ସେ ପହଞ୍ଚି ପାରିନଥିବାରୁ ଏ ବାବଦ ଘୋଷଣା କରିନାହାନ୍ତି। ଧର୍ମପାଲ ଗୋନ୍ଦର ବିଜେପିର ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଜେପି ସେମାନଙ୍କ ସହ ପ୍ରତାରଣା କରିଥିବା କହିଛନ୍ତି। ‘ମନୋହର ଲାଲ ଖଟ୍ଟର କ୍ଷମତାରେ ରହିବା ପର୍ଯ୍ୟନ୍ତ ଆମେ ସରକାରକୁ ସମର୍ଥନ କରିବୁ ବୋଲି ନିଷ୍ପତ୍ତି ନେଇଥିଲୁ। କିନ୍ତୁ ଦୁଃଖର କଥା ଏହା ଯେ ଖଟ୍ଟର ଏବେ ଆଉ କ୍ଷମତାରେ ନାହାନ୍ତି। କୃଷକଙ୍କ ସ୍ବାର୍ଥ ପାଇଁ ଆମେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଉଛୁ’ ବୋଲି ସେ କହିଛନ୍ତି। ଆମେ ଏବେ କଂଗ୍ରେସକୁ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି। ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ସଦସ୍ୟ ସଂଖ୍ୟା ହେଉଛି ୮୮।

ବିଜେପି ପାଖରେ ଏବେ ୪୩ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ସରକାର ତିଷ୍ଠି ରହିବାକୁ ଅତି କମ୍‌ରେ ୪୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି, ଏଠାରେ ବିଜେପିର ୪୦ ସଦସ୍ୟ ରହିଛନ୍ତି। ବିଜେପି ସରକାର ନିକଟରେ ପୂର୍ବରୁ ଜେଜେପି ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଥିଲା। କିନ୍ତୁ ଜେଜେପି ପୂର୍ବରୁ ସମର୍ଥନ ପ୍ରତ୍ୟାହାର କରିଥିଲା ଏବଂ ଏବେ ସ୍ବାଧୀନ ବିଧାୟକମାନେ ସମର୍ଥନ ପ୍ରତ୍ୟାହାର କରିନେଲେଣି। ନାଏବ ସିଂହ ସୈନି ସରକାର ଏବେ ସଂଖ୍ୟାଲଘୁ ବୋଲି ସେ କହିଛନ୍ତି। ଭାନ୍‌ କହିଛନ୍ତି, ସୈନି ତୁରନ୍ତ ଇସ୍ତଫା ଦେଇଦେବା ଉଚିତ ଏବଂ ରାଜ୍ୟରେ ନିର୍ବାଚନ ମଧ୍ୟ ତତ୍କାଳ କରାଯିବା ଆବଶ୍ୟକ। ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ସୈନି କହିଛନ୍ତି, ମୁଁ ଏହି ଖବର ପାଇଛି। କଂଗ୍ରେସ କିଛି ଲୋକଙ୍କର ଇଚ୍ଛାକୁ ପୂରଣ କରିବାପାଇଁ ବ୍ୟସ୍ତ ଥାଇପାରେ। ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ସମର୍ଥନ ଓ ଶ୍ରଦ୍ଧା ଅତୁଟ ରହିଛି ଏବଂ ସରକାରର ସ୍ଥାୟିତ୍ବ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button