ଅପରାଧ

ଅନ୍‌ଲାଇନ୍ ଟ୍ରେଡିଂରେ ଫସିଲେ ଧାମରା ପୋର୍ଟ ଅଧିକାରୀ: ଦୁବାଇରୁ ନିୟନ୍ତ୍ରଣ ହେଉଛି ରୢାକେଟ୍‌ – Kalinga News

[ad_1]

ଗୁଜରାଟରୁ ୪ ଏଜେଣ୍ଟଙ୍କୁ ଧରିଲା କ୍ରାଇମବ୍ରାଞ୍ଚ; ଆହୁରି ୯ ସଂପୃକ୍ତ

କଟକ/ଭୁବନେଶ୍ବର: ଧାମରା ପୋର୍ଟର ମାନବ ସମ୍ବଳ (ଏଚ୍‌ଆର) ଅଧିକାରୀ ସାଇବର୍ ଅପରାଧୀଙ୍କ ଜାଲରେ ଫସିଛନ୍ତି। ଅନଲାଇନ୍ ଟ୍ରେଡିଂରେ ଆମେରିକୀୟ ଡଲାର୍ ରୋଜଗାର କରିବାର ଲୋଭ ଦେଖାଇ ଦୁର୍ବୃତ୍ତ ତାଙ୍କ ଠାରୁ ୬୦ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଭଳି ଚର୍ଚ୍ଚିତ ସାଇବର୍ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଗୁଜରାଟର ଅହମ୍ମଦାବାଦରେ ଚଢ଼ଉ କରି ୪ ଜଣ ଟ୍ରେଡିଂ ଏଜେଣ୍ଟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଫତେୱାଡ଼ିର ଫକିର ଅଲଫଜଶ ବିଶମିଲ୍ଲାଶ(୨୦), ଶେଖ ହୁମାପରବିନ୍ ରଫିକ୍(୨୭), ରଫିକ୍ ଅବଦୁଲମଜିଦ ଶେଖ(୨୮), ଅହେମଦଖାନ୍ ସରଦାରଖାନ ବାଲୋଚ(୩୮)। ଏହି ମାମଲାରେ ଆହୁରି ୯ ଜଣ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି କାରବାର ପଛର ମାଷ୍ଟରମାଇଣ୍ଡ ଦୁବାଇରେ ରହି ନିୟନ୍ତ୍ରଣ କରୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଧାମରା ବନ୍ଦରର ଏଚ୍‌ଆର ଅଧିକାରୀ ଭୁବନେଶ୍ବର ଲିଙ୍ଗରାଜ ଥାନା ଅଞ୍ଚଳର ବାସିନ୍ଦା ସତ୍ୟଜିତ ରଥଙ୍କ ନିକଟକୁ ୨୦୨୩ ନଭେମ୍ବରରେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ତାଙ୍କୁ ଟ୍ରେଡିଂରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ସତ୍ୟଜିତଙ୍କୁ ଏକ ହ୍ବାଟସଆପ୍ ଗ୍ରୁପରେ ଯୋଡ଼ି ଦେଇଥିଲା। ସେହି ଗ୍ରୁପରେ ରବର୍ଟ ବ୍ଲାକ ନାମକ ଜଣେ ବ୍ୟକ୍ତି ନିଜକୁ ଟ୍ରେଡିଂ ମାଷ୍ଟର ବୋଲି ପରିଚୟ ଦେଉଥିଲା।। ସେହି ଗ୍ରୁପରେ ୪୯ ଜଣ ସଦସ୍ୟ ଥିଲେ, ଯେଉଁମାନେ ନିଜକୁ ନିବେଶକ ପରିଚୟ ଦେଉଥିଲେ। ଗ୍ରୁପ ନାଁ ରବର୍ଟ ବ୍ଲାକ ଉଲ୍ଲେଖ ଥିଲା। ଏହି ଗୋଷ୍ଠୀର ଏକ ନିଜସ୍ବ ଟ୍ରେଡିଂ ଆପ୍ଲିକେସନ୍ ରହିଛି। ଉକ୍ତ ଆପ୍ଲିକେସନରେ ସତ୍ୟଜିତଙ୍କ ଆକାଉଣ୍ଟ ଖୋଲାଯିବା ପରେ ସେ ଟ୍ରେଡିଂ ଆରମ୍ଭ କରିଥିଲେ। ତାଙ୍କ ଵାଲେଟରେ ୨ କୋଟି ଟଙ୍କା ଆସିଥିଲା। ତେବେ ଏହା ଆମେରିକା ଡଲାର ଥିବାରୁ ତାହାକୁ ଉଠାଇବାକୁ ହେଲେ ଭାରତୀୟ ମୁଦ୍ରାକୁ ପରିବର୍ତ୍ତନ ପାଇଁ ଦେୟ ଲାଗିବା ସମ୍ପର୍କରେ କୁହାଯାଇଥିଲା। ଏଥିପାଇଁ ସତ୍ୟଜିତ ୪ଟି ପୃଥକ ବ୍ୟାଙ୍କ ଆକାଉଣ୍ଟକୁ ୬୦ ଲକ୍ଷ ୯୫ ହଜାର ଟଙ୍କା ପଠାଇଥିଲେ। ଏହି ଟଙ୍କା ଦେବା ପରେ ବି ଗ୍ରୁପର ଏଜେଣ୍ଟ ତାଙ୍କୁ ପୁଣି ଟଙ୍କା ମାଗିଥିଲା। ଆହୁରି ୧୫ ପ୍ରତିଶତ ଅର୍ଥ ଦେଲେ ୨ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ବୋଲି କୁହାଯାଇଥିଲା।

ଏଥିରେ ସନ୍ଦେହ ହେବାରୁ ସତ୍ୟଜିତ ସାଇବର ଥାନାରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ସେହି ବର୍ଷ ୨୬ ତାରିଖରେ ଏକ ମାମଲା ରୁଜୁ କରିଥିଲା। ଦଫା ୪୧୯, ୪୨୦, ୪୬୫, ୪୬୭, ୪୭୧, ୧୨୦-ବି, ୩୪ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ଧାରା ୬୬ ସି, ୬୬ ଡି’ରେ ମାମଲା ରୁଜୁ ହୋଇଥିଲା। କ୍ରାଇମବ୍ରାଞ୍ଚ ସାଇବର ୟୁନିଟର ଇନ୍‌ସପେକ୍ଟର ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଠକେଇ ଘଟଣାର ସମସ୍ତ ଡିଜିଟାଲ୍ ପ୍ରମାଣ ସଂଗ୍ରହ ହୋଇଥିଲା। ତଦନ୍ତ ସମୟରେ ଏହି ଠକ ଗ୍ୟାଙ୍ଗ ଗୁଜରାଟ ଅହମ୍ମଦାବାଦ ଅଞ୍ଚଳର ବୋଲି ଜଣାପଡ଼ିଥିଲା। ସାଇବର୍ ୟୁନିଟ ପକ୍ଷରୁ କ୍ରାଇମବ୍ରାଞ୍ଚର ସହାୟତା ନେଇ ଅହମମ୍ମଦାବାଦ ଫତେଵାଡ଼ି ଥାନା ଅଞ୍ଚଳରେ ଚଢ଼ଉ କରିଥିଲା। ସେଠାରେ ଚାରି ଜଣ ସାଇବର ଠକଙ୍କୁ କାବୁ କରାଯାଇଛି। ଏହି ଠକଙ୍କୁ ପଚରାଉଚରା କରାଯିବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଯେଉଁ ୪ ବ୍ୟାଙ୍କ ଆକାଉଣ୍ଟରୁ ସତ୍ୟଜିତ ଟଙ୍କା ପଠାଇଥିଲେ ସେହି ଟଙ୍କା ପରବର୍ତ୍ତୀ ସମୟରେ ଅନ୍‌ଲାଇନରେ ୯ଟି ଆକାଉଣ୍ଟକୁ ଯାଇଛି।

ଏଥିରୁ ତିନିଟି ଆକାଉଣ୍ଟ ଅହମ୍ମଦାବାଦ ବୋପାଲ ଶାଖାର ଇଣ୍ଡସଇଣ୍ଡ୍‌ ବ୍ରାଞ୍ଚକୁ ଯାଇଥିଲା। ସେହି ଆକାଉଣ୍ଟକୁ ଏହି ଟଙ୍କା ଯିବା ପରେ ୬ଟି ଚେକରେ ୫୯ ଲକ୍ଷ ୭୦ ହଜାର ଟଙ୍କା ଉଠାଯାଇଛି। ଯେଉଁ ବ୍ୟକ୍ତିଙ୍କ ନାଁରେ ଏହି ଆକାଉଣ୍ଟକୁ ଖୋଲାଯାଇଥିଲା କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ସେମାନେ ଉପରୋକ୍ତ ନାଁଗୁଡ଼ିକ କ୍ରାଇମବ୍ରାଞ୍ଚକୁ କହିଥିଲେ। ସମ୍ପୃକ୍ତ ବ୍ୟକ୍ତିମାନେ ଏହି ଆକାଉଣ୍ଟଧାରୀଙ୍କ ନିକଟରୁ ପାସବୁକ ଓ ଚେକରେ ଦସ୍ତଖତ ନେଇଯାଇଛନ୍ତି। ଏଥିପାଇଁ ସେମାନଙ୍କୁ ଆକାଉଣ୍ଟ ପିଛା ୫ ହଜାର ଟଙ୍କା ଲେଖାଏ ଦେଇଛନ୍ତି। ସାଇବର୍ ଅପରାଧୀମାନେ ଏହି ଆକାଉଣ୍ଟଧାରୀଙ୍କୁ ବ୍ୟବହାର କରି ଠକେଇ ଅର୍ଥ ଜମା କରିବା ଓ ପରବର୍ତ୍ତୀ ସମୟରେ ଉଠାଣରେ ବ୍ୟବହାର କରିଛନ୍ତି। ହ୍ବାଟ୍‌ସଆପ ଗ୍ରୁପରେ ଥିବା ୪୯ ସଦସ୍ୟ ବାସ୍ତବରେ କୌଣସି ନିବେଶକ ନଥିଲେ। ସେମାନେ ସମସ୍ତେ ଠକଙ୍କ ଏଜେଣ୍ଟ ଥିଲେ। ନିଜକୁ ନିବେଶକ ପରିଚୟ ଦେଇ କୋଟି କୋଟି ଟଙ୍କା ଟ୍ରେଡିଂରେ ରୋଜଗାର କରୁଥିବା କହୁଥିଲେ। ଏହି ସାଇବର ଠକଙ୍କୁ ଗୁଜରାଟରେ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଥିଲା। ଭୁବନେଶ୍ବର ଏସଡିଜେଏମଙ୍କ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା। ରିମାଣ୍ଡରେ ଗଲା ୪ ତାରିଖରେ ସମସ୍ତଙ୍କୁ ଅଣାଯିବା ପରେ ଗତକାଲି କୋର୍ଟରେ ହାଜର କରି ଜେଲକୁ ପଠାଇ ଦିଆଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button