ରାଜନୀତି

ମୟୂରଭଞ୍ଜରେ ନବୀନ ବନାମ ମୋଦୀ ଲଢ଼େଇ: ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଘାରୁଛି ଭୋଟ ବିଭାଜନ ଚିନ୍ତା – Kalinga News

[ad_1]

ବାରିପଦା: ଜୁନ୍‌ ୧ରେ ମୟୂରଭଞ୍ଜ ଲୋକସଭା ଓ ୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଆସନ୍ତାକାଲି ୭ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ଏହା ପୂର୍ବରୁ ସବୁ ଦଳର ପ୍ରାର୍ଥୀ ପ୍ରଚାରରେ ଜୋରସୋରରେ ଲାଗି ପଡ଼ିଛନ୍ତି। ଦଳୀୟ କର୍ମୀଙ୍କୁ ଧରି ସକାଳୁ ରାତି ୧୦ଟା ଯାଏ ଚାଲୁଛି ସଭାସମିତି ଓ ପ୍ରଚାର ସମାବେଶ। ମୟୂରଭଞ୍ଜରେ ବିଜେଡି ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କ ୨୪ ବର୍ଷର ସ୍ବଚ୍ଛ ଶାସନକୁ ଆଧାର କରି ଭୋଟ୍‌ ମାଗୁଥିବା ବେଳେ ବିଜେପି ପ୍ରାର୍ଥୀମାନେ ‌ମୋଦୀ ସରକାରଙ୍କ ୧୦ ବର୍ଷର ଜନହିତକର ଯୋଜନା ଓ କାର୍ଯ୍ୟକ୍ରମକୁ ଆଧାର କରି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। କଂଗ୍ରେସ ଓ ଜେଏମ୍‌ଏମ୍‌ ନିଜ ଦଳର ପ‌କେଟ୍‌ ଭୋଟ୍‌କୁ ଭରସା କରିଥିବା ‌ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ୁଛନ୍ତି।

ରାଜନୀତି ବିଶ୍ଳେଷକଙ୍କ କହିବା ଅନୁଯାୟୀ; ଏଥର ଲୋକସଭା ନିର୍ବାଚନରେ ବିଜେଡିର ସୁଦାମ ମାରାଣ୍ଡି ଓ ବିଜେପିର ନବଚରଣ ମାଝୀଙ୍କ ହାର୍‌ଜିତରେ ନିର୍ଣ୍ଣାୟକ ଭୂମିକା ନେବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପ୍ରାର୍ଥୀ ଅଞ୍ଜନୀ ‌ସୋରେନ। ତେବେ ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହେବ ବୋଲି ଆକଳନ କରାଯାଉଛି। ବାରିପଦା, ସାରସକଣା ଓ ଉଦଳାକୁ ବାଦ୍ ଦେଲେ ଅବଶିଷ୍ଟ ୬ଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଏକାଧିକ ବିଦ୍ରୋହୀ ଅଛନ୍ତି। ମୋରଡ଼ା, ବଡ଼ସାହି ଓ କରଞ୍ଜିଆ ଆସନରେ ଏଥର ବିଜେଡି ପ୍ରାର୍ଥୀମାନଙ୍କୁ ନିଜ ଦଳରୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ଏଠାରେ ଟିକେଟ୍‌ ନପାଇ ନିରାଶ ହୋଇଥିବା ନେତାଙ୍କ ଭୂମିକା ଭୋଟ୍‌ ବିଭାଜନର ଆଶଙ୍କା ସୃଷ୍ଟି କରିଛି। ଅନ୍ୟପକ୍ଷରେ ବିଜେପି ପାଇଁ ଉଦଳା, ବାରିପଦା, ବାଙ୍ଗିରିପୋଷି, ସାରସକଣା, ମୋରଡ଼ା ଆସନରେ କଣ୍ଟା ସାଜିପାରନ୍ତି ନିଜ ଦଳର ବିଦ୍ରୋହୀ ଗୋଷ୍ଠୀ। ଟିକେଟ୍‌ ବଣ୍ଟନକୁ ନେଇ ଏହି ୫ ଆସନରେ ଏଥର ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏସବୁ ଆସନରେ ୨ରୁ ୩ ଜଣ ଟାଣୁଆ ନେତା ଟିକେଟ୍‌ ନପାଇ ନିରାଶ ହୋଇଥିବାରୁ ସେମାନେ ମଧ୍ୟ ଭୋଟ ଗଣିତକୁ ବିଗାଡ଼ିବାର ସମ୍ଭାବନା ରହିଛି। ତେବେ ଏଥର ଭୋଟ୍‌ ବିଭାଜନ ହେଲେ ବିଜେପିର ଭୋଟର ଜେଏମ୍‌ଏମ୍‌ ଆଡ଼କୁ ଓ ବିଜେଡି ଭୋଟର କଂଗ୍ରେସ ଆଡ଼କୁ ଢଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button