ରାଜନୀତି

ଏକାମ୍ର ରାଜନୀତି: ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର – Kalinga News

[ad_1]

ବିଜେଡି ସମର୍ଥନରେ ୧୮ କର୍ପୋରେଟର ଓ ୫ ସରପଞ୍ଚ

ସୋମନାଥ ପରିଡ଼ା

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେଡିରୁ ଲଗାତର ଚତୁର୍ଥ ଥର ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଇଦାନକୁ ଓହ୍ଲାଇଛନ୍ତି। ବିଜେପିରୁ ଲଗାତର ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ବାବୁ ସିଂ। କଂଗ୍ରେସରୁ ପ୍ରଥମ ଥର ଲଢ଼ୁଛନ୍ତି ପ୍ରଶାନ୍ତ ଚମ୍ପତି। ୨୦୧୯ ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ୨୦୧୯ରେ ସବୁ ୱାର୍ଡ ଓ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ଶ୍ରୀ ପଣ୍ଡା ଆଗରେ ରହିଥିଲେ। କିନ୍ତୁ ଗୋଟିଏ ପଞ୍ଚୟତ ଓ ୧୮ଟି ୱାର୍ଡରେ ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜେଡିକୁ ପଛରେ ପକାଇ ଆଗରେ ରହିଥିଲେ। ତେଣୁ ୨୦୧୯ର ସେହି ଗଣିତକୁ ନେଇ ଉଭୟ ବିଜେଡି ଓ ବିଜେପି ଅଙ୍କ କଷୁଛନ୍ତି। କେମିତି ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ ହେବ, ସେଥି ପାଇଁ ଉଭୟ ଦଳ ରଣନୀତି କରୁଛନ୍ତି। ୨୦୧୯ ମସିହାରେ ବିଜେଡ଼ି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ୭୫ ହଜାର ୨୦ ଖଣ୍ଡ ଭୋଟ ପାଇ ବାବୁ ସିଂଙ୍କୁ ୨୮ ହଜାର ୬୫୭ ଖଣ୍ଡ ଭୋଟ୍‌ରେ ପରାଜୟ କରିଥିଲେ। ଏକାମ୍ର ନିର୍ବାଚନମଣ୍ଡଳୀର ୨୪ଟି ୱାର୍ଡ ଓ ୬ଟି ପଞ୍ଚାୟତର ସମସ୍ତ ବୁଥ୍‌ରେ ବିଜେଡି ଆଗରେ ରହିଥିଲା।

ଏକାମ୍ର ରାଜନୀତି
ବିଜେଡି ସମର୍ଥନରେ ୧୮ କର୍ପୋରେଟର ଓ ୫ ସରପଞ୍ଚ
ବିଜେପି ସମର୍ଥନରେ ଜଣେ ସରପଞ୍ଚ ଓ ୪ କର୍ପୋ‌ରେଟର
୨୦୧୯ର ଭୋଟ୍‌ ଗଣିତକୁ ନେଇ ଚାଲିଛି ରଣନୀତି

ଅନେକ ୱାର୍ଡ ଓ ପଞ୍ଚାୟତରେ ବିଜେଡିଠାରୁ ବିଜେପି କମ୍‌ ବ୍ୟବଧାନରେ ଥିଲେ ହେଁ କୌଣସି ଗୋଟିଏ ସ୍ଥାନରେ ବିଜେଡିଠାରୁ ଅଧିକ ଭୋଟ୍‌ ପାଇ ନଥିଲା। ହେଲେ ଆଶ୍ଚର୍ଯ୍ୟର କଥା ଯେଉଁ ସବୁ ସ୍ଥାନରେ ବିଜେଡି ବିଧାନସଭାରେ କମ୍‌ ଭୋଟ୍‌ ପାଇଛି, କିଛି ସ୍ଥାନକୁ ଛାଡ଼ି ଦେଲେ ସେଠାରେ ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଅଧିକ ଭୋଟ୍‌ ପାଇଛନ୍ତି। ୨୪ଟି ୱାର୍ଡ ମଧ୍ୟରୁ ୫୨, ୫୩, ୫୬, ୬୪, ୬୬ ଓ ୬୭ ନମ୍ବର ୱାର୍ଡରେ ବିଜେପି ପଛରେ ରହିଥିବା ବେଳେ ଅନ୍ୟ ୧୮ଟି ୱାର୍ଡରେ ବିଜେଡିକୁ ପଛରେ ପକାଇଥିଲା। ୬ଟି ପଞ୍ଚାୟତ ମଧ୍ୟରେ ଲିଙ୍ଗିପୁରକୁ ଛାଡ଼ିଦେଲେ ଶିଶୁପାଳଗଡ଼, ବାସୁଆଘାଇ, ଧଉଳି, ଇଟିପୁର, ଟିକରପଡ଼ା ପଞ୍ଚାୟତରେ କମ୍‌ ବ୍ୟବଧାନ ତଥା ମାତ୍ର ୧୬ ଖଣ୍ଡ ଭୋଟ୍‌ ବିଜେଡି ଠାରୁ ବି‌ଜେପି ପଛରେ ରହିଥିଲା। ଏକାମ୍ର ନିର୍ବାଚନମଣ୍ଡଳୀରେ ୨୦୧୯ରେ ବିଜେଡି ବିଧାୟକ ପ୍ରାର୍ଥୀ ୭୫ ହଜାର ୨୦ ଖଣ୍ଡ ଭୋଟ୍‌ ପାଇଥିଲା ବେଳେ ବିଜେଡି ସାଂସଦ ପ୍ରାର୍ଥୀ ୧୬,୮୭୧ ଖଣ୍ଡ କମ୍‌ ଅର୍ଥାତ ୫୮,୧୪୯ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏଠାରେ ବିଜେପି ସାଂସଦ ପ୍ରାର୍ଥୀ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଠାରୁ ୨୧,୯୮୦ ଖଣ୍ଡ ଅଧିକ ଏବଂ ବିଜେଡି ବିଧାୟକଙ୍କଠାରୁ ୬,୬୭୭ କମ୍‌ ପାଇଛନ୍ତି। ବିଜେପି ସାଂସଦ ପାଇଥିବା ଭୋଟ୍‌କୁ କିପରି ବିଜେପି ବିଧାୟକଙ୍କ ଖାତାକୁ ଆସିବ ଏବଂ ବିଜେପି ୬,୬୭୭ ବ୍ୟବଧାନ ପୂରଣ କରି ବିଜୟ ହେବ ସେ ନେଇ କସରତ କରୁଛି ଦଳ।

ଅନ୍ୟପଟେ ଗତ ଥର ବିଜେଡି ସାଂସଦଙ୍କ ଅପେକ୍ଷା ବିଜେପିକୁ ଚାଲିଯାଇଥିବା ୧୦ ହଜାର ୧୯୪ ଖଣ୍ଡ ବିଜେଡି ଭୋଟ୍‌କୁ ଆଣିବାକୁ ଚେଷ୍ଟା ଚଳାଇଛି ବିଜେଡି। ବାସ୍ତବ ଚିତ୍ର ହେଉଛି ଏବେ ୨୪ଟି ୱାର୍ଡରୁ ବିଜେପି ହାତରେ ୪୮, ୫୦, ୬୭ ଓ ୬୩ ରହିଛି। ୫୮ ନମ୍ବର ୱାର୍ଡ ସ୍ବାଧୀନ ପ୍ରାର୍ଥୀ ଏବେ ବିଜେଡି କର୍ପୋରେଟର ତଥା ବିଦ୍ରୋହୀ ପ୍ରାର୍ଥୀ ହେବାକୁ ବସିଥିବା ବିରଞ୍ଚି ମହାସୂପକାରଙ୍କ ସମର୍ଥନରେ। ସେହିପରି ୬ଟି ପଞ୍ଚାୟତ ମଧ୍ୟରୁ ଟିକରପଡ଼ାକୁ ଛାଡ଼ି ଦେଲେ ଅନ୍ୟ ୫ଟି ବିଜେଡି ସମର୍ଥିତ। ବିଜେଡି ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ସମର୍ଥନରେ ୫ଟି ସରପଞ୍ଚ ଓ ପ୍ରାୟ ୧୮ଟି ୱାର୍ଡର କର୍ପୋରେଟର ରହିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଜଣେ ସରପଞ୍ଚ ଓ ୪ ଜଣ କର୍ପୋରେଟର ଅଛନ୍ତି। ତେବେ ନିକଟରେ ପୂର୍ବଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ରଶ୍ମି ମହାପାତ୍ର ବିଜେପିରେ ସାମିଲ ହୋଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ବିଜେଡି- ବିଜେପି ବିଧାନସଭା ଓ ଲୋକସଭା ଅଡ଼ୁଆ ଭୋଟ୍‌ ଗଣିତ ଭିତରୁ କିଏ ଫାଇଦା ନେଇ ବିଜୟୀ ହେବ ଏବଂ କିଏ ପଛରେ ପଡ଼ିଯିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button