୨୨ ବର୍ଷ ପରେ ପୁଣି ସିଦ୍ଧାନ୍ତ-ରଚନା ଯୋଡ଼ି! – Kalinga News

[ad_1]
୨୨ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ଓଲିଉଡ୍ର ଏକ ବହୁଚର୍ଚ୍ଚିତ ଯୋଡ଼ି। ଏହି ଯୋଡ଼ିଙ୍କୁ ଦର୍ଶକ ଶେଷ ଥର ଲାଗି ୨୦୦୨ ଦଶହରାରେ ମୁକ୍ତିଲାଭ କରିଥିବା ସୁବାସ ରାଉତଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ସୁପର୍ହିଟ୍ ଫିଲ୍ମ ‘ସନ୍ତାନ’ରେ ଦେଖିବାକୁ ପାଇଥିଲେ। ଅର୍ଥାତ୍ ଦୁଇ ଦଶନ୍ଧିରୁ ଅଧିକ କାଳ ଏହି ଦୁଇ କଳାକାର କୌଣସି ଓଡ଼ିଆ ଛବିରେ ଏକାଠି କାମ କରିନାହାନ୍ତି। ତେବେ ଓଡ଼ିଆ ସିନେମାର ଲୋକପ୍ରିୟ ଯୋଡ଼ି ଭାବେ ଢେର୍ ଚର୍ଚ୍ଚା ସାଉଁଟି ଥିବା ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କୁ ଖୁବ୍ ଶୀଘ୍ର ଦର୍ଶକ ପରଦାରେ ଦେଖିବାକୁ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ସିଦ୍ଧାନ୍ତ-ରଚନା ଯୋଡ଼ିକୁ ପ୍ରତ୍ୟାବର୍ତ୍ତନ କରାଉଛି ‘ରିଟାୟାର୍ମେଣ୍ଟ୍’। ନୂଆ ଓଡ଼ିଆ ଛବି ‘ରିଟାୟାର୍ମେଣ୍ଟ୍’ରେ ଏହି ଦୁଇ କଳାକାର ଏକାଠି ଅଭିନୟ କରିବେ ବୋଲି ଫିଲ୍ମର ପ୍ରଯୋଜନା ସଂସ୍ଥା ସୂତ୍ରରୁ ପ୍ରକାଶ। ନୂଆ ପ୍ରଯୋଜକ ସୁଦାମ ଶତପଥୀ ଏହାର ନିର୍ମାଣ କରୁଥିବା ବେଳେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ଓଡ଼ିଆ ସିନେଜଗତର ଜଣାଶୁଣା ନିର୍ଦ୍ଦେଶକ ସୁଶାନ୍ତ ମଣି। ସୁଶାନ୍ତ ପ୍ରଥମ ଥର ଲାଗି ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କୁ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଏହି ଓଡ଼ିଆ ଛବିର କାହାଣୀକାର ଓ ସଙ୍ଗୀତ ନିର୍ଦ୍ଦେଶକ ହେଲେ ଦେବୀତୋଷ ଆଚାର୍ଯ୍ୟ। ଏହା ପୂର୍ବରୁ ଦେବୀତୋଷ ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ତୁ ଆଉ ମୁଁ’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ବହୁମୁଖୀ ପ୍ରତିଭାସଂପନ୍ନ ଶରଣାରବିନ୍ଦ ଓଝା ‘ରିଟାୟାର୍ମେଣ୍ଟ୍’ର ସଂଳାପକାର। ଦେବୀତୋଷଙ୍କ ସୂଚନା ଅନୁଯାୟୀ, ‘‘କଟକର ପଞ୍ଚମୁଖୀ ହନୁମାନ ମନ୍ଦିରରେ ଫିଲ୍ମର ସ୍କ୍ରିପ୍ଟ ପୂଜା ସରିଛି ଏବଂ ଏଥିରେ ସିଦ୍ଧାନ୍ତ ଓ ରଚନାଙ୍କୁ ମୁଖ୍ୟ ଭୂମିକାରେ ନିଆଯାଉଛି। ଜୁନ୍ ୫ ତାରିଖରୁ ସିନେମାଟି ଫ୍ଲୋର୍କୁ ଯିବ। ଦଶହରା ଅବସରରେ ଏହାକୁ ରିଲିଜ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଚାକିରିରୁ ଅବସର ପରର ଜୀବନ ପ୍ରସଙ୍ଗ ଉପରେ ଏହାର କାହାଣୀ ଆଧାରିତ।’’
ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କୁ ପୁଣି ଓଡ଼ିଆ ସିନେମାରେ ଦର୍ଶକ ‘ରିଟାୟାର୍ମେଣ୍ଟ୍’ରେ ଦେଖିବାକୁ ପାଇବେ। ଏନେଇ ଦୁଇ କଳାକାରଙ୍କ ସମ୍ମତି ନିଆଯାଇଛି।
– ଦେବୀତୋଷ ଆଚାର୍ଯ୍ୟ
ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କୁ ଆଖି ଆଗରେ ରଖି ଫିଲ୍ମର ସ୍କ୍ରିପ୍ଟ ତିଆରି ହେଉଛି। ଯଦି ଏହା ସମ୍ଭବ ହୁଏ, ତେବେ ଦର୍ଶକଙ୍କ ଲାଗି ବଡ଼ ସର୍ପ୍ରାଇଜ୍ ହେବ।
– ସୁଶାନ୍ତ ମଣି
ଉଲ୍ଲେଖଯୋଗ୍ୟ, ସିଦ୍ଧାନ୍ତ-ରଚନା ଯୋଡ଼ି ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ରବି କିନ୍ନାଗୀଙ୍କ ‘ଭାଇ ହେଲା ଭଗାରୀ’ରେ ନଜର ଆସିଥିଲେ। ଏହାପରେ ଏହି ଯୋଡ଼ିକୁ ଦର୍ଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’, ‘ଧର୍ମ ସହିଲେ ହେଲା’, ‘ଲକ୍ଷ୍ମଣରେଖା’ ଓ ‘ସନ୍ତାନ’, ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘କଣ୍ଢେଇ ଆଖିରେ ଲୁହ’ ଓ ‘ସିନ୍ଦୂର ନୁହେଁ ଖେଳଘର’, ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପୁଅ ମୋର ଭୋଳାଶଙ୍କର’, ‘ଗଙ୍ଗାଯମୁନା’, ‘ସୁହାଗ ସିନ୍ଦୂର’, ‘ପରଦେଶୀ ବାବୁ’ ଏବଂ ‘କଳ୍କୀ ଅବତାର’, ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ସୁନା ହରିଣୀ’, ‘ନାରୀ ନୁହେଁ ତୁ ନାରାୟଣୀ’ ଓ ‘ମୋ କୋଳ ତୋ’ ଝୁଲଣା’, ଏସ୍. ଚକ୍ରପାଣିଙ୍କ ନିର୍ଦ୍ଦେଶିତ ‘ସେଇ ଝିଅଟି’, ପ୍ରଭାକରଙ୍କ ନିର୍ଦ୍ଦେଶିତ ‘ସୁଭଦ୍ରା’, ସଂଗ୍ରାମ ବିଶ୍ବାଳଙ୍କ ନିର୍ଦ୍ଦେଶିତ ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ ଓ ଅରୁଣ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ସାକ୍ଷୀ ରହିଲା ମୋ ଶଙ୍ଖାସିନ୍ଦୂର’ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି। ଅବଶ୍ୟ କିଛି ବର୍ଷ ତଳେ ସିଦ୍ଧାନ୍ତ-ରଚନା ଯୋଡ଼ିକୁ ପୁଣି ବଡ଼ ପରଦାରେ ଆଣିବାର ପ୍ରୟାସ ହୋଇଥିଲା। ଯେଉଁ ସିନେମାରେ ଏଭଳି କିଛି ଘଟିବାକୁ ଯାଉଥିଲା, ତାହାର ଶୀର୍ଷକ ଥିଲା ‘ରକ୍ତ ଚିହ୍ନେ ରକ୍ତକୁ’। ମାଧବ ଚନ୍ଦ୍ର ପରିଡ଼ା ଥିଲେ ଏହାର ନିର୍ଦ୍ଦେଶକ। ଖାଲି ସେତିକି ନୁହେଁ, ସ୍ବରୂପ ନାୟକଙ୍କ ସ୍ବର ସଂଯୋଜନାରେ ଏହି ସିନେମାର ଗୀତ ରେକର୍ଡିଂ ବି ସରିଥିଲା। କିନ୍ତୁ, ଏଯାବତ୍ ଫିଲ୍ମର ସୁଟିଂ ଆରମ୍ଭ ହୋଇନାହିଁ। ଏହି ସିନେମାର ନିର୍ମାତା ତାଙ୍କ ଫିଲ୍ମରେ ସିଦ୍ଧାନ୍ତ-ରଚନା ଓ ଅନୁ ଚୌଧୁରୀଙ୍କୁ ଏକାଠି ଆଣିବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ଏଯାଏ ଫଳବତୀ ହୋଇନାହିଁ। ଏକଦା ଖୁବ୍ ଚାହିଦାରେ ଥିବା ସିଦ୍ଧାନ୍ତ-ରଚନା ଯୋଡ଼ିକୁ ଆଜିର ଦର୍ଶକ କିଭଳି ଗ୍ରହଣ କରୁଛନ୍ତି, ତାହା ‘ରିଟାୟାର୍ମେଣ୍ଟ୍’ ରିଲିଜ୍ ହେବା ପରେ ଜଣାପଡ଼ିବ।
[ad_2]