ଖେଳ ଖବର

ମହିଳା ଫୁଟ୍‌ବଲ୍‌ର ଅପୂର୍ବ ଯୋଡ଼ି: କୁଆରମୁଣ୍ଡାର କୁଆଁରୀ ଫୁଟ୍‌ବଲ୍‌ ତାରକା – Kalinga News

[ad_1]

ହେମାଙ୍କୁ ଦେଖି ଖେଳିଥିଲେ ପ୍ୟାରୀ, ଫଟା ଜୋତାରୁ ଜୁଲିଙ୍କ ଯାତ୍ରା

ଭୁବନେଶ୍ବର: ଓଡ଼ିଶାର ଦୁଇ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ର ଝିଅ ପ୍ୟାରୀ ଖାଖା ଓ ଜୁଲି କିଶାନଙ୍କ ଖେଳ ଜୀବନର ଯାତ୍ରା ମଧ୍ୟରେ ରହିଛି ଅନେକ ସଂଯୋଗ। ସାତ ବର୍ଷ ହେବ ପ୍ୟାରୀ ଭାରତୀୟ ମହିଳା ଫୁଟବଲ୍‌ ଦୁନିଆରେ ଅତି ପରିଚିତ ନାଁଟିଏ, ଜୁଲିଙ୍କ ଅନ୍ତର୍ଜାତୀୟ ଆଗମନ ମାତ୍ର ଗୋଟିଏ ବର୍ଷର। ଉଭୟଙ୍କ ମଧ୍ୟରେ କିନ୍ତୁ ରହିଛି ନିବିଡ଼ ବଂଧୁତା। ପ୍ୟାରୀଙ୍କୁ ଅନୁସରଣ କରି ଭାରତୀୟ ଦଳର ସ୍ବପ୍ନ ଦେଖିଥିଲେ ଜୁଲି। ଏହି ସ୍ବପ୍ନ ସାକାର ହୋଇଛି। ଉଭୟ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଉପକଣ୍ଠର ଦୁଇ ଭିନ୍ନ ଗାଁରୁ ଆସିଛନ୍ତି ଅନେକ ପ୍ରତିକୂଳ ପରିସ୍ଥିତିକୁ ପରାହତ କରି। ଆଗପଛ ହେଲେ ବି କୁଆରମୁଣ୍ଡା ଏକାଦଶ ଯୁବ ସଂଘ ହେଉଛି ଏମାନଙ୍କ ଖେଳ ଜୀବନର ଆଦ୍ୟ ଅନୁଷ୍ଠାନ ଅବା ଅନ୍ତୁଡ଼ିଶାଳ। ଫୁଟ୍‌ବଲ୍ ପଡ଼ିଆରେ ଭିନ୍ନ ପୋଜିସନ୍‌ରେ‌ ଖେଳୁଥିଲେ ମଧ୍ୟ ବାହାରେ ଏମାନେ କେତେବେଳେ ସାଙ୍ଗ ତ କେତେବେଳେ ଦୁଇ ଭଉଣୀ ଭଳି। ଏହି ନିବିଡ଼ତାରୁ ଫୁଟ୍‌ବଲ୍‌ ପାଇଛି ଫାଇଦା। ଇଣ୍ଡିଆନ୍ ୱିମେନ୍ ଲିଗ୍ (ଆଇଡବଲ୍ୟୁଏଲ୍‌)ରେ ଓଡ଼ିଶା ଏଫ୍‌ସି ପ୍ରଥମ ଥର ବିଜେତା ହୋଇଥିବାବେଳେ ଏହି ଦୁଇ ଓଡ଼ିଆ ଖେଳାଳିଙ୍କ ଅବଦାନ ଥିଲା ଅତୁଳନୀୟ। ଜୁଲି ଦଳର ଡିଫେନ୍ସକୁ ଦୃଢ଼ କରିଥିବାବେଳେ ପ୍ୟାରୀ ଗୋଲ୍‌ ପରେ ଗୋଲ୍ ଦେଇ ଦଳକୁ ରଖିଥିଲେ ଆଗରେ। ଉଭୟ କିନ୍ତୁ ଗୋଟିଏ କଥାକୁ ନେଇ ଏବେ ଟିକିଏ ନିରାଶ। ଅନ୍ତର୍ଜାତୀୟ ଖେଳାଳିଙ୍କୁ କନଷ୍ଟେବଳ ଚାକିରି ଦିଆଯାଇଥିବାରୁ ଅସନ୍ତୁଷ୍ଟ ହୋଇଛନ୍ତି। ‘ସାର୍ ଟିକେ କୁହନ୍ତିନି, ବୁଝାନ୍ତିନି’ ବୋଲି ଏହି ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ ଉଭୟ। ସରକାରଙ୍କ ପାଖରେ ଏହି ସ୍ବର ପହଞ୍ଚିବ ବୋଲି ମଧ୍ୟ ବିଶ୍ବାସ ରଖିଛନ୍ତି। ‘ସମ୍ବାଦ’କୁ ଉଭୟ ସ୍ବତନ୍ତ୍ର ସାକ୍ଷାତକାର ଦେବା ବେଳେ କହିଥିଲେ ନିଜ ସଂଘର୍ଷ ଓ ସ୍ବପ୍ନର କାହାଣୀ।

ମାତ୍ର ୨ ବର୍ଷ ବୟସରେ ଥିବାବେଳେ ପ୍ୟାରୀ ଖା ଖା ତାଙ୍କ ପିତାଙ୍କୁ ହରାଇଥିଲେ। କିନ୍ତୁ ମା’, ବଡ଼ ଭଉଣୀ ହେମା ଓ ଦୁଇ ଭାଇଙ୍କ ସମର୍ଥନ କାରଣରୁ ଅମଡ଼ାବାଟରେ ଚାଲିଥିଲେ। ସସ୍ମିତା ମଲ୍ଲିକ, ଆଲେକ୍ସ ମୋର୍ଗାନ, ରୋନାଲ୍ଡୋଙ୍କୁ ଅନୁସରଣ କରି ମୁଁ ଖେଳିଥିଲି। ଅଷ୍ଟମ ଓ ନବମ ଶ୍ରେଣୀରୁ ଫୁଟ୍‌ବଲ୍ ଖେଳ ଆରମ୍ଭ କରିଥିଲି। ୧୯ ବ‌ର୍ଷରୁ କମ୍‌ ବର୍ଗରୁ ଭାରତୀୟ ଦଳରୁ ଏବେ ଯାଏ ଖେଳିଆସୁଛି ବୋଲି କହିଥିଲେ ୨୬ ବର୍ଷୀୟ ପ୍ୟାରୀ। ମୋ ଖେଳ ଜୀବନ ଏବେ ଭଲ ଚାଲିଛି। ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିବା ସହ ୟୁରୋପରେ ଖେଳିବାକୁ ଆଶା ରଖିଛି। ଜାଣିନି କେବେ ଏହି ସ୍ବପ୍ନ ସାକାର ହେବ। ଓଡ଼ିଶା ଏଫ୍‌ସିରେ ଥିବା ସକାରାତ୍ମକ ପରିବେଶ ଏବଂ ଓଡ଼ିଶା ସରକାରଙ୍କ ସମର୍ଥନ ସବୁ ଆମକୁ ଆଗକୁ ବଢ଼ିବାକୁ ସ‌ୁଯୋଗ ଦେଇଛି ବୋଲି କହିଥିଲେ ଏହି ଅଭିଜ୍ଞ ଫରୱାର୍ଡ।

ରାଉରକେଲାଠାରୁ ପ୍ରାୟ ୨୪ କିଲୋମିଟର ଦୂର ଛୋଟିଆ ଗାଁ ସରଣ୍ଡାପୋଷର ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ହେବାର ଗୌରବ ପାଇଛନ୍ତି ଜୁଲି କିଶାନ। ଏକ ଗରିବ ପରିବାରରୁ ଆସିଥିବା ଏହି ଶାନ୍ତ, ସରଳ, ନୀରିହ ଝିଅ କୁଆରମୁଣ୍ଡା କ୍ଲବ୍‌କୁ ସାଥୀ ଖେଳାଳିଙ୍କ ଯିବାର ଦେଖି ପ୍ରଭାବିତ ହୋଇଥିଲେ। ଖେଳିବାକୁ ପୋଷାକ, ଜୋତା କିଣିବା ପାଇଁ ଘରେ ପ୍ରସ୍ତାବ ଦେବା ସହଜରେ ଗ୍ରହଣ ହୋଇନଥିଲା। କିନ୍ତୁ ମାଉସୀ ପଦ୍ମାବତି କିଶାନଙ୍କ ଫଟା ଜୋତାକୁ ସଂଗ୍ରହ କରିବା ସହ ମରାମତି କରି ଖେଳିଥିଲେ। କଟକରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟ୍‌ବଲ୍ ପ୍ରତିଯୋଗିତାରେ ଖେଳିବା ସହ ଜୁଲିଙ୍କ ଯାତ୍ରା ଆରମ୍ଭ ହୋଇଥିଲା। କଠିନ ପରିଶ୍ରମରେ ଦୃଢ଼ ଆତ୍ମବିଶ୍ବାସୀ ଜୁଲି ୪/୫ଟି ଜାତୀୟ ବରିଷ୍ଠ ପ୍ରତିଯୋଗିତା ‌ଖେଳିବା ପରେ ଗତବର୍ଷ ସାଫ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତୀୟ ଚୂଡାନ୍ତ ଏଦାଦଶରେ ନିୟମିତ ସଦସ୍ୟା ହେବା ଓ ବାହାର କ୍ଲବ୍‌ ପାଇଁ ପେସାଦାର ଫୁଟ୍‌ବଲ୍ ଖେଳିବାକୁ ଆଶା ରଖିଛନ୍ତି ମୁନି ଓ ଯୋଗେଶ୍ବରୀଙ୍କ ଏହି ଅଲିଅଳି ଝିଅ। ଭାରତୀୟ ଦଳର ଅଧିନାୟିକା ଆଶାଲତା ବେଦୀ ଓ ମନୀଷା ପାନ୍ନାଙ୍କୁ ଆଦର୍ଶ କରିଥିବା ୨୩ ବର୍ଷୀୟା ଜୁଲି ଫୁଟ୍‌ବଲ୍ ‌ପାଇଁ ଯେମିତି ପୂରା ପାଗଳ।।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button