ରାଜନୀତି

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଅଡ଼ୁଆ ତୁଟୁନି: ବିଜେପିର ୯ ଆସନ ଝୁଲିଛି – Kalinga News

[ad_1]

କଂଗ୍ରେସର ୫, ବିଜେଡିର ୨ ଆସନରେ ପ୍ରାର୍ଥୀ ଘୋଷଣା ବାକି

ଭୁବନେଶ୍ବର: ମେ’ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ। ବିଜ୍ଞପ୍ତି ଜାରି ସହ ପ୍ରାର୍ଥିପତ୍ର ଦାଖଲ ହେବ ୧୮ ତାରିଖରୁ। ଅର୍ଥାତ ଆଉ ୫ ଦିନ ବାକି। କିନ୍ତୁ ଏ ଯାଏ ତିନି ପ୍ରମୁଖ ଦଳ ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିପାରିଲେ ନାହିଁ। ଛକାପଞ୍ଝା ଭିତରେ ତାଲିକା ବାହାରିପାରୁନି। ଆଶାୟୀମାନେ ଦ୍ବନ୍ଦ୍ବରେ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରର ନିର୍ବାଚନ ରହିଛି। ଏହି ୪ଟି ଲୋକସଭା ଆସନ ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ମତଦାନ ଗୋଟିଏ ଦିନରେ ହେବ। ୧୮ରୁ ପ୍ରାର୍ଥିପତ୍ର ଦାଖଲ ହୋଇ ୨୫ରେ ଶେଷ ହେବ। ବିଜେପି ଏକାଥରେ ୧୧୨ଟି ବିଧାନସଭା ଆସନର ତାଲିକା ପ୍ରକାଶ କଲା। କିନ୍ତୁ ଆଉ ୩୫ଟି ପାଇଁ ଦିନ ଗଡ଼ିଚାଲିଛି। ଏହି ୩୫ ଭିତରେ ପ୍ରଥମ ପର୍ଯ୍ୟାୟରେ ରହିଯାଇଛି ୯ଟି ଆସନ। କୋରାପୁଟ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେପି ପ୍ରାର୍ଥୀ ଘୋଷଣା କରିନି। ନବରଙ୍ଗପୁରର ଚାରିଟି ବି ଝୁଲିରହିଛି। ସେଗୁଡ଼ିକ ହେଲା ଝରିଗାଁ, ଡାବୁଗାଁ, କୋଟପାଡ଼ ଓ ଚିତ୍ରକୋଣ୍ଡା। ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ମୋହନାରେ ବି ବିଜେପି ଏ ଯାଏ ପ୍ରାର୍ଥୀ ଦେଇନି। କଂଗ୍ରେସ ପ୍ରାର୍ଥୀ ତାଲିକାରେ ବି ପ୍ରଥମ ପର୍ଯ୍ୟାୟର ୫ଟି ଆସନ ବାକି ରହିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ଓ ଦିଗପହଣ୍ଡିରେ କଂଗ୍ରେସ ପ୍ରାର୍ଥୀ ଚୂଡ଼ାନ୍ତ କରିନି। ବ୍ରହ୍ମପୁରରେ ଦଳ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲେ ବି ଚାରିଟିରେ ବିଧାନସଭା ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ନଥିବାରୁ ଦଳ ପ୍ରଚାରରେ ପଛରେ ପଡ଼ିଯାଇଛି। କଳାହାଣ୍ଡି ଲୋକସଭା ଆସନ ଅଧୀନରେ ଖରିଆରରେ ବି ଦଳ ପ୍ରା‌ର୍ଥୀ ବାଛିନି। ଏଠାରେ ଥିବା କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡିରେ ମିଶି ‌ପ୍ରାର୍ଥୀ ହୋଇଛନ୍ତି। ତେଣୁ କଂଗ୍ରେସ ନୂଆ ପ୍ରାର୍ଥୀଙ୍କୁ ଏ ଯାଏ ‌ବାଛିପାରିନି।

ବିଜେପିର ୯ ଆସନ ଝୁଲିଛି, କଂଗ୍ରେସର ୫, ବିଜେଡିର ୨ ଆସନରେ ପ୍ରାର୍ଥୀ ଘୋଷଣା ବାକି
ପ୍ରାର୍ଥିପତ୍ର ଦାଖଲ ପରେ ବଡ଼ ସମାବେଶ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନରେ ବିଜେପି ଓ କଂଗ୍ରେସ ତୁଳନାରେ ବିଜେଡି ଆଗରେ ଥିଲେ ମଧ୍ୟ ଆହୁରି ଦୁଇଟି ଆସନ ବାକି ରହିଯାଇଛି। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅଧୀନରେ ଚିତ୍ରକୋଣ୍ଡା ଓ କୋରାପୁଟ ସଂସଦୀୟ କ୍ଷେତ୍ର ଅଧୀନରେ ଜୟପୁରରେ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନି। ଏହି ଦୁଇଟି ଆସନକୁ ନେଇ ଅନେକ ଥର ବୈଠକ ଶଙ୍ଖ ଭବନରେ ବୈଠକ ହୋଇଥିଲେ ବି ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରିନି। ଦିନେ ଦୁଇ ଦିନ ଭିତରେ ଏହା ଘୋଷଣା ହେବ ବୋଲି ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପାଇଁ ବଡ଼ ଧରଣର ସମାବେଶ ଏଯାଏ ଆରମ୍ଭ ହୋଇ ନାହିଁ। ଯେହେତୁ ତିନି ଦଳର ଟିକେଟ ଅଡ଼ୁଆ ତୁଟିପାରୁନି, ତେଣୁ ହେଭିୱେଟ୍‌ଙ୍କୁ ନେଇ ଆଖିଦୃଶିଆ ପ୍ରଚାର ହୋଇପାରୁନି। କେବଳ ପ୍ରାର୍ଥୀମାନେ ନିଜ ନିଜ ସ୍ତରରେ କର୍ମୀ ସମ୍ମିଳନୀ ଓ ପଦଯାତ୍ରା ଜାରି ରଖିଛନ୍ତି। ଏବେ ସେମାନେ ଭୋଟର୍‌ମାନଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଉଛନ୍ତି। ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ କେବେ କେଉଁ ଆସନକୁ ଆସିବେ, ତାହା ସ୍ପଷ୍ଟ ହୋଇନି। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେବେ ପ୍ରଚାରକୁ ଓହ୍ଲାଇବେ ଓ କେଉଁଠାରୁ ତାଙ୍କ ପ୍ରଚାର ଆରମ୍ଭ ହେବ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ତେବେ ନବୀନ ବିଭିନ୍ନ ସ୍ଥାନରେ ଅଧିକ ରୋଡ୍‌ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରାର୍ଥିପତ୍ର ଦାଖଲ ପରେ ହିଁ ପ୍ରଚାର ସରଗରମ ‌ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button