ରାଜନୀତି

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି: ବିଜେଡିକୁ ଫେରିବା ଚର୍ଚ୍ଚା ଜୋର୍‌ ଧରିଲା – Kalinga News

[ad_1]

ଭୁବନେଶ୍ବର/ବସ୍ତା-୨: ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପିର ବିଚାରଧାରା ସହିତ ଖାପ ଖୁଆଇ ନ ପାରିବା ଓ ରାଜ୍ୟ ବିଜେପିରେ ଦୃଢ଼ ନେତୃତ୍ବ ଅଭାବକୁ ଦାୟୀ କରି ସେ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ତେବେ ବିଜେପିରେ ମାତ୍ର ୫ ବର୍ଷ ରହିବା ପରେ ଶ୍ରୀ ମହାନ୍ତିଙ୍କ ମୋହ ଭଙ୍ଗକୁ ନେଇ ରାଜନୈତିକ ମହଲରେ ଭିନ୍ନ କଥା ଆଲୋଚନା ହେଉଛି। ଆଗାମୀ ଦିନରେ କେଉଁ ଦଳରେ ଯୋଗଦେବେ, ସେ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇ ନଥିବା ଶ୍ରୀ ମହାନ୍ତି କହିଥିଲେ ମଧ୍ୟ ଦିନେ ଦୁଇଦିନ ମଧ୍ୟରେ ସେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ରାଜ୍ୟ ରାଜନୀତିରେ ଶ୍ରୀ ମହାନ୍ତି ଜଣେ ପୋଖତ ନେତା। ବସ୍ତା ନିର୍ବାଚନ ମଣ୍ଡଳୀରୁ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ସେ ଲଗାତର ୫ ଥର ବିଧାୟକ ହୋଇଛନ୍ତି। ୧୯୮୦ ମସିହାରେ ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଆଉ ପଛକୁ ଫେରିନାହାନ୍ତି ଶ୍ରୀ ମହାନ୍ତି। ୧୯୯୦ ନିର୍ବାଚନରେ କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଭୂପାଳଚନ୍ଦ୍ର ମହାପାତ୍ରଙ୍କୁ ହରାଇ ଜନତା ଦଳ ଟିକେଟରେ ଶ୍ରୀ ମହାନ୍ତି ବିଜୟୀ ହୋଇ ପ୍ରଥମେ ବିଧାନସଭାକୁ ଯାଇଥିଲେ। ୧୯୯୫ ମସିହାରେ ସେ ପୁଣି ଜନତା ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯ରେ କ୍ରମାଗତ ବିଜୟୀ ହୋଇ ନିଜକୁ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ପ୍ରମାଣିତ କରିଥିଲେ।

ନିଜର ଲମ୍ବା ରାଜନୈତିକ କ୍ୟାରିୟର ମଧ୍ୟରେ ଶ୍ରୀ ମହାନ୍ତି ପଞ୍ଚାୟତିରାଜ, ଆଇନ, ଶିଳ୍ପ ଓ ଖଣି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି। ତେବେ ସମୟଚକ୍ରରେ ଗୋଟିଏ ଘଟଣା ତାଙ୍କ ରାଜନୈତିକ ଜୀବନକୁ ହଲଚଲ କରିଥିଲା। ପୁତ୍ରବଧୂ ବର୍ଷାସୋନି ଚୌଧୁରୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ଯୋଗୁଁ ୨୦୧୨ ମସିହାରେ ଶ୍ରୀ ମହାନ୍ତିଙ୍କୁ ମନ୍ତ୍ରିପଦ ହରାଇବାକୁ ପଡ଼ିଥିଲା। ଶେଷରେ ଉକ୍ତ ଘଟଣାରେ ତାଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥିଲା। ରାଜନୈତିକ ଛକାପଞ୍ଝା ମଧ୍ୟରେ ମନ୍ତ୍ରୀ ପଦ ସହିତ କ୍ଷମତାରୁ ତ ଗଲେ, ୨୦୧୪ ନିର୍ବାଚନରେ ବିଜେଡିରୁ ତାଙ୍କୁ ଆଉ ଟିକେଟ୍‌ ମଧ୍ୟ ମିଳିଲାନି। ଏମିତିକି ପୁଅ ରାଜାଶ୍ରୀଙ୍କୁ ଜଳେଶ୍ବର ନିର୍ବାଚନ ମଣ୍ଡଳୀରୁ ଛିଡ଼ା କରିବା ପାଇଁ ଶ୍ରୀ ମହାନ୍ତି ଆଶା ରଖିଥିଲେ ମଧ୍ୟ ତାହା ବି ସମ୍ଭବ ହେଲାନି। ୨୦୧୪ରେ ଶ୍ରୀ ମହାନ୍ତିଙ୍କ ବଦଳରେ ନିତ୍ୟାନନ୍ଦ ସାହୁଙ୍କୁ ବିଜେଡି ଟିକେଟ୍‌ ମିଳିଥିଲା। ୨୦୧୭ ମସିହାରେ ଶ୍ରୀ ମହାନ୍ତିଙ୍କୁ ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା। ତେବେ ୨୦୧୯ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ ଓ ବିଜେପିରେ ସାମିଲ ହୋଇ ବସ୍ତାରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button