ଦେଖିଲା ପରେ… ମୌଳିକ କାହାଣୀ ଆଶାନୁରୂପ ନୁହେଁ ଉପସ୍ଥାପନା – Kalinga News

[ad_1]
ଏକ ମୌଳିକ ଓଡ଼ିଆ ସିନେମା ଭାବେ ‘ସିନ୍ଦୂରା’ର ପରିକଳ୍ପନା କମ୍ ସାହସିକ ବା ଉଦ୍ଦେଶ୍ୟପ୍ରଣୋଦିତ ନୁହେଁ। ଏଥିରେ ଆଧୁନିକ କୃଷି ପ୍ରଣାଳୀରେ ବ୍ୟବହୃତ କୀଟନାଶକ ଉତ୍ପାଦନକାରୀ ଓ ବିକ୍ରେତାମାନଙ୍କୁ ଖଳନାୟକ ଭାବେ ଏବଂ ଜୈବିକ କୃଷିକୁ ପ୍ରୋତ୍ସାହିତ କରୁଥିବା ଏକ ସଂଗଠନକୁ କୃଷକଙ୍କ ତ୍ରାଣକର୍ତ୍ତା ଭାବେ ଉପସ୍ଥାପନ କରାଯାଇଛି। ମଝିରେ ରହିଛି ନିରୀହ କୃଷକ, ଯିଏ ଭଲ ଶସ୍ୟ ଉତ୍ପାଦନ ଓ ସ୍ବାସ୍ଥ୍ୟ ମଧ୍ୟରେ କେଉଁଟିକୁ ବାଛିବ ସେ ନେଇ ଦ୍ବନ୍ଦ୍ବର ସମ୍ମୁଖୀନ ହେଉଛି। ଏହି ଅଭିନବ କାହାଣୀକୁ ମନୋରଂଜନଧର୍ମୀ କରିବା ପାଇଁ ଏଥିରେ ଜଣେ ଅଳ୍ପଶିକ୍ଷିତ ଗ୍ରାମୀଣ ଯୁବକ ସହିତ ଜଣେ ସହରୀ ଧନୀକ ଯୁବତୀଙ୍କ ପ୍ରେମକାହାଣୀକୁ କେନ୍ଦ୍ରସ୍ଥଳରେ ରଖାଯାଇଛି। ଭଲ ପରିକଳ୍ପନା ଓ ଉଦ୍ଦେଶ୍ୟ ନେଇ ‘ସିନ୍ଦୂରା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲେ ହେଁ ଏହା ଅନେକ ଦିଗରୁ ଦୁର୍ବଳ ମନେହୁଏ।

Sambad is now on WhatsApp
Join and get latest news updates delivered to you via WhatsApp
‘ସିନ୍ଦୂରା’ ଆରମ୍ଭ ହୁଏ ଗ୍ରାମାଞ୍ଚଳରେ କୃଷିକ୍ଷେତ୍ରର ଦୃଶ୍ୟରୁ। ଏହି ଦୃଶ୍ୟଗୁଡ଼ିକ ସିନେମାଟିକ୍ ଶୈଳୀର କମ୍ ବରଂ ପୁରୁଣା ଦୂରଦର୍ଶନ ଫୁଟେଜ୍ ଭଳି ଅଧିକ ମନେ ହୋଇଥାଏ। ତେବେ କାହାଣୀର ଆବଶ୍ୟକତା ଦୃଷ୍ଟିରୁ ନିର୍ଦେଶକ ହୁଏତ ଏଭଳି କୌଶଳର ସାହାଯ୍ୟ ନେଇଥାଇପାରନ୍ତି। କିନ୍ତୁ ଦର୍ଶକ ଚଳଚ୍ଚିତ୍ର ଦେଖିବା ଜାରି ରଖିବା ପରେ ବିଭିନ୍ନ ଦୃଶ୍ୟ ମଧ୍ୟରେ ଅସାମଞ୍ଜସ୍ୟ ପରିଲକ୍ଷିତ ହୁଏ। ଚଳଚ୍ଚିତ୍ରର ମୌଳିକ ଗୀତଗୁଡ଼ିକ ସେତେଟା ଶ୍ରୁତିମଧୁର ହୋଇନଥିଲେ ହେଁ ପାରମ୍ପରିକ ଗୀତ ‘କୁଆଁର ପୁନେଇଁ ଜହ୍ନ ଗୋ’ ମନମୁଗ୍ଧକର ଢଙ୍ଗରେ ଉପସ୍ଥାପନ କରାଯାଇଛି। ମୁଖ୍ୟ ନାୟକ ରୂପେ ଅଭିଷେକ ଗିରିଙ୍କ ଚରିତ୍ର କେତେକ ଦୃଶ୍ୟରେ ମର୍ମସ୍ପର୍ଶୀ ମରାଠୀ ସିନେମା ‘ସୈରାଟ୍’ର ମୁଖ୍ୟ ଅଭିନେତା ଆକାଶ ଥୋସାରଙ୍କ ଚରିତ୍ରକୁ ମନେ ପକାଇଦିଏ। ଚଳଚ୍ଚିତ୍ରର କାହାଣୀ ମଧ୍ୟ ସୈରାଟ୍ର ନାୟକ-ନାୟିକଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷର ପ୍ରସଙ୍ଗକୁ ଭିତ୍ତି କରି ନିର୍ମିତ ହୋଇଛି। କିନ୍ତୁ ଅନ୍ୟ ସବୁ ଦୃଷ୍ଟିରୁ ‘ସୈରାଟ୍’ ସହିତ ‘ସିନ୍ଦୂରା’କୁ ତୁଳନା କରି ହେବନାହିଁ।
ସିେନମାରେ ହାସ୍ୟରସ ସୃଷ୍ଟି ପାଇଁ ଅନେକ ସଂଳାପ ଓ ଦୃଶ୍ୟର ଅବତାରଣା କରାଯାଇଛି, ହେଲେ ସେସବୁ ହାଉସ୍ଫୁଲ୍ ପ୍ରେକ୍ଷାଳୟରେ ମୃଦୁ ହସର ଲହଲୀ ସୁଦ୍ଧା ସୃଷ୍ଟି କରିବାକୁ ବିଫଳ ହୁଏ। ଚଳଚ୍ଚିତ୍ରର ପ୍ରଥମାର୍ଦ୍ଧରେ ଗୋଟିଏ ଦୃଶ୍ୟରେ ହସର ଖୋରାକ ଯୋଗାଇବା ଲାଗି ଜଣେ ମହିଳା କର୍ମଚାରୀଙ୍କ ସହ ଦୁଇଜଣ ପୁରୁଷ ସହକର୍ମୀ ଦପ୍ତରରେ ଯେଉଁଭଳି ଦ୍ବିଅର୍ଥବୋଧକ ସଂଳାପର ପ୍ରୟୋଗ କରୁଛନ୍ତି ତାହା ନିଶ୍ଚିତ ନିମ୍ନରୁଚିର। ପ୍ରଜ୍ଞା ଓ ଶଙ୍କରଙ୍କ ପରି ଅଭିଜ୍ଞ ହାସ୍ୟାଭିନେତା ମଧ୍ୟ ଦୁର୍ବଳ ସଂଳାପ ଓ ଚିତ୍ରନାଟ୍ୟକୁ ଉଦ୍ଧାର କରିପାରିନାହାନ୍ତି। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଦିଲୀପ ଦାଶ ଓ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ପଣ୍ଡା ଏକ ମୌଳିକ କଥାବସ୍ତୁକୁ ନେଇ ଜନସଚେତନତାଧର୍ମୀ ସିନେମାଟିଏ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବା ଲାଗି ପ୍ରୟାସ କରିଛନ୍ତି। ଏହା ହିଁ ‘ସିନ୍ଦୂରା’ର ଏକମାତ୍ର ପ୍ରଶଂସାଯୋଗ୍ୟ ଉପାଦାନ କହିଲେ ଅତ୍ୟୁକ୍ତି ହେବନାହିଁ। ନିର୍ଦେଶନା, ଅଭିନୟ ସମେତ ସିନେମାଟୋଗ୍ରାଫି, ପ୍ରଚ୍ଛଦ ସଂଗୀତ, ଏଡିଟିଂ ଭଳି ବୈଷୟିକ ବିଭାଗରେ ପେସାଦାର ସ୍ତରର ଉପସ୍ଥାପନା ଦେଖିବାକୁ ମିଳିଲା ନାହିଁ।
[ad_2]