ଖେଳ ଖବର

ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭରଶୀଳ କରୁଛି ‘ପାରାକ୍ରୀଡ଼ା’: ସଫଳତାର ଶିଖର ଛୁଇଁ ପ୍ରେରଣା ପାଲଟୁଛନ୍ତି – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶାରେ ପାରା କ୍ରୀଡ଼ାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ଦିବ୍ୟାଙ୍ଗଙ୍କ ପାଇଁ କ୍ରୀଡ଼ା ଆତ୍ମନିର୍ଭରଶୀଳ ହେବାର ଏକ ବଡ଼ ମାଧ୍ୟମ ହୋଇଚାଲିଛି। ସେହିଭଳି କ୍ରୀଡ଼ାକୁ ଅସ୍ତ୍ର କରି ସେମାନେ ନିଜ ନିଜ ଦକ୍ଷତାର ପରିପ୍ରକାଶ କରିପାରୁଛନ୍ତି। ବହୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ସହ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରି ଦେଶରେ ଏକ ନମ୍ବର କ୍ରୀଡ଼ା ରାଜ୍ୟର ମାନ୍ୟତା ପାଇ ସାରିଥିବା ଓଡ଼ିଶା ପାରା କ୍ରୀଡ଼ା କ୍ଷେତ୍ରରେ ମଧ୍ୟ କ୍ରମଶଃ ଏକ ବଡ଼ ଶକ୍ତି ଭାବେ ଉଭା ହେବାରେ ଲାଗିଛି। ବ୍ୟାଡମିଣ୍ଟନ୍, ଦୌଡ଼କୁଦ, ଅସିଚାଳନା, ସନ୍ତରଣ ଆଦି ଖେଳରେ ଓଡ଼ିଶାର ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ମାନେ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣୁଛନ୍ତି। ଏଥିଲାଗି ଓଡ଼ିଶା ପାରା କ୍ରୀଡ଼ା‌ରେ ଏବେ ସେ ସୁବର୍ଣ୍ଣ ସମୟ ଚାଲିଛି, ସେଥିରେ ଦ୍ବିମତ ନାହିଁ। ପ୍ରତିଭାବାନ ଖେଳାଳିଙ୍କ ଭଣ୍ଡାର ସହ ନିଯୁକ୍ତି, ଆର୍ଥିକ ପ୍ରୋତ୍ସାହନ ଓ ସରକାରୀ ତଥା ବେସରକାରୀସ୍ତରରୁ ସମର୍ଥନ ଲାଗି ଓଡ଼ିଶା ପାରାକ୍ରୀଡ଼ାବିତ୍‌ମାନେ କେବଳ କ୍ରୀଡ଼ା ପ୍ରତିଯୋଗିତା ନୁହଁ କ୍ରୀଡ଼ା ପରିଚାଳନାରେ ମଧ୍ୟ ସକ୍ରିୟ ଭୂମିକା ତୁଲାଇବା ଆରମ୍ଭ କରିଛନ୍ତି।

ଓଡ଼ିଶାରେ ପାରା କ୍ରୀଡ଼ାର ପରମ୍ପରା ବହୁ ପୁରୁଣା। ତଥାପି ମଧ୍ୟ ଅଲିମ୍ପିକ୍ସଠାରୁ ଆରମ୍ଭ କରି ବିଶ୍ବପ୍ରତିଯୋଗିତାରେ ପ୍ରମୋଦ ଭଗତଙ୍କ ଅପାର ସଫଳତା ହିଁ ରାଜ୍ୟରେ ପାରାକ୍ରୀଡ଼ାକୁ ଐତିହାସିକ ମୋଡ଼ ଦେଇଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଲଗାତାର ସଫଳତା ପାଇ ପ୍ରମୋଦ ରାଜ୍ୟର ପାରାକ୍ରୀଡ଼ାବିତ୍‌ଙ୍କ ପାଇଁ ସବୁଠାରୁ ବଡ଼ ଆଦର୍ଶ ଭାବେ ଉଭା ହୋଇଛି। ତାଙ୍କ ସଫଳତାକୁ ପାଥେୟ କରି ପାରାକ୍ରୀଡ଼ା ପ୍ରତି ଅଧିକରୁ ଅଧିକ ଦିବ୍ୟାଙ୍ଗ ଆକୃଷ୍ଟ ହେଉଛନ୍ତି। ଦୌଡ଼କୁଦରେ ଜୟନ୍ତୀ ବେହେରା, ସୁଚିତ୍ରା ପରିଡ଼ା, ସ୍ବାଧୀନ ମହାର, ବ୍ୟାଡ୍‌ମିଣ୍ଟନ୍‌ରେ ଦୀପରଂଜନ ବିଶୋଇ, ଶୁଭ୍ରଜିତ ମହାରଣା, ଦିଲେଶ୍ବର ରାଓ, ହ୍ବିଲଚେୟାର ଫେନ୍ସିଂରେ ରାଖାଲ ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୂଜାସ୍ବିନୀ ନାୟକ, ଶୀଲା ମନ୍ତ୍ରୀ, ପବିତ୍ର ସାହୁ, ପାରା ଭାରୋତ୍ତୋଳନରେ ଗଦାଧର ସାହୁ, ଚନ୍ଦନ କୁମାର ବେହେରାଙ୍କ ଭଳି ଖେଳାଳି ସଫଳତାର ନୂଆ ଧାରା ସୃଷ୍ଟି କରିଛନ୍ତି। ନିକଟରେ ଅନୁଷ୍ଠିତ ପାରା ଅଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ନିର୍ବାଚନରେ ଓଡ଼ିଶାର ସୁନୀଲ ପ୍ରଧାନ କୋଷାଧ୍ୟକ୍ଷ ନିର୍ବାଚନ ହେବା ମଧ୍ୟ ରାଜ୍ୟ ପାରା କ୍ରୀଡ଼ା ପାଇଁ ଗର୍ବ ଓ ଗୌରବର କଥା ହୋଇଛି। ଆଗାମୀ ସମୟରେ ଆହୁରି ଅନେକ ଖେଳାଳି ପାରାକ୍ରୀଡ଼ାରେ ଓଡ଼ିଶା ପାଇଁ ସୁନାମ ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିଭଳି ଅନ୍ୟ ଖେଳ ସହ ଦୃଷ୍ଟିବାଧିତ କ୍ରିକେଟ୍‌ରେ ମଧ୍ୟ ଓଡ଼ିଶାର ଉପସ୍ଥିତି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି। ମହମ୍ମଦ ଜାଫର୍ ଇକବାଲ, ସୁଖରାମ ମାଝୀ, ନକୁଳ ବଡ଼ନାୟକ, ଲିଙ୍ଗରାଜ ରାଉତରାୟ, ପଙ୍କଜ ଭୂଏ, କାଳିଆ ପ୍ରଧାନ, ଦେବରାଜ ବେହେରାଙ୍କ ଭଳି ଖେଳାଳି କେବଳ ଭାରତୀୟ ଦୃଷ୍ଟିବାଧିତ ଦଳରେ ସ୍ଥାନ ପାଇ ନାହାନ୍ତି; ବରଂ ଏମାନଙ୍କ ମଧ୍ୟରୁ ଅନେକ ବିଶ୍ବକପ୍ ଜିତିବାର ସୌଭାଗ୍ୟ ବି ପାଇଛନ୍ତି। ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌ରେ ମଧ୍ୟ ଓଡ଼ିଶା ଖେଳାଳିମାନେ ଚମତ୍କାରିତା ଦେଖାଇବା ଆରମ୍ଭ କରିଛନ୍ତି। ଇଂଲଣ୍ଡର ବର୍ମିଂହାମଠାରେ ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରୀଡ଼ା ମହାସଂଘ ଦ୍ବାରା ଆୟୋଜିତ ବିଶ୍ବ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳରେ ପଦ୍ମିନୀ ସାହୁ, ବାସନ୍ତୀ ହାଁସଦା, ଝିଲି ବିରୁଆ, ଫୁଲ ସୋ‌ରେନଙ୍କ ଭଳି ଖେଳାଳି ସ୍ଥାନ ପାଇବା ପରେ ରାଜ୍ୟ ଦୃଷ୍ଟି ବାଧିତ କ୍ରିକେଟ୍ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଅଧିକାଂଶ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ମାନେ ଗରିବ ପରିବାରରୁ ଆସିଥିଲା ବେଳେ ସେମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ଆଦର୍ଶ ଓ ଉଦାହରଣ ପାଲଟିଛି। ସେମାନେ କ୍ରୀଡ଼ା ମାଧ୍ୟମରେ ଆର୍ଥିକ ଭାବେ ସୁଦୃଢ଼ ହେବା ସହ କାହା ଉପରେ ବୋଝ ପାଲଟୁନାହାନ୍ତି। ସଫଳତାର ସହ ନିଜ ସାମାଜିକ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଏହି କ୍ଷେତ୍ରରେ ଚେସ୍ ତାରକା ଭାଇ ସୌନ୍ଦର୍ଯ୍ୟ ଓ ପ୍ରଚୁର୍ଯ୍ୟ ପ୍ରଧାନଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଦୁଇ ଭାଇ କେବଳ ଚେସ୍ ବୋର୍ଡରେ ଯାଦୁ ଦେଖାଇ ନାହାନ୍ତି, ପ୍ରାଶାସନିକ କ୍ଷେତ୍ରରେ ମଧ୍ୟ ନିଜ ଦକ୍ଷତାର ବଳିଷ୍ଠ ପରିଚୟ ଦେଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଛନ୍ତି।

ଓଡ଼ିଶାରେ ପାରା କ୍ରୀଡ଼ା ପ୍ରତି ଆକର୍ଷଣ ଓ ପାରା କ୍ରୀଡ଼ାବିତ୍‌ଙ୍କ ସଫଳତା ପଛରେ ତିନିଟି କାରଣ ରହିଛି ବୋଲି ଜଣେ ସଫଳ ପାରାକ୍ରୀଡ଼ାବିତ୍ ନିଜ ନାମ ଗୋପନ ରଖି କହିଛନ୍ତି। ସେ କହିଛନ୍ତି, ଓଡ଼ିଶା ସରକାର ଏବେ ସାଧାରଣ କ୍ରୀଡ଼ାବିତ୍‌ଙ୍କ ଭଳି ପାରା କ୍ରୀଡ଼ା ସଫଳତାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ସମାନ ପ୍ରୋତ୍ସାହନ ଓ ପୁରସ୍କାର ରାଶି ପ୍ରଦାନ କରୁଛନ୍ତି। ପାରା କ୍ରୀଡ଼ାବିତ୍‌ଙ୍କ ଲାଗି ଚାକିରି ବ୍ୟବସ୍ଥା କରିଥିଲା ବେଳେ ନିକଟରେ ଦୃଷ୍ଟିବାଧିତ କ୍ରିକେଟର୍‌ମାନେ ମଧ୍ୟ ଏଥିରୁ ଲାଭ ଉଠାଇବା ଆରମ୍ଭ କରିଛନ୍ତି। ତୃତୀୟ କଥା ହେଲା ପ୍ରମୋଦ ଭଗତଙ୍କ ବିଶ୍ବସ୍ତରୀୟ ସଫଳତା। ଅଲିମ୍ପିକ୍ସରେ ପ୍ରମୋଦଙ୍କ ସଫଳତା ସହ ତାଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ପୁରସ୍କାର ମିଳିବା ମଧ୍ୟ ପ୍ରେରଣାର ଉତ୍ସ ଭାବେ କାମ କରୁଛି। ଏଥିଲାଗି ପ୍ୟାରିସ୍ ସହ ଆଗାମୀ ପାରାଲିମ୍ପିକ୍ସଗୁଡ଼ିକରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button