ରାଜନୀତି

ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା: କଂଗ୍ରେସ‌ରେ ହୋଇପାରନ୍ତି ସାମିଲ – Kalinga News

[ad_1]

ଭୁବନେଶ୍ବର/ସୋର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ଦଫାରେ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ଘୋଷଣା କରିବାର ଅଳ୍ପ ସମୟ ମଧ୍ୟରେ ଦଳରେ ବିଦ୍ରେହ ଦେଖାଯାଇଛି। ବାଲେଶ୍ବର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଆଗାମୀ ଦିନରେ ସେ କ’ଣ କରିବେ ସେନେଇ ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ସୋରରେ ବିଜେପି ପକ୍ଷରୁ ରାଜେନ୍ଦ୍ର ଦାସ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଅନ୍ୟପଟରେ ସେ ଯଦି କଂଗ୍ରେସରେ ଯୋଗ ନଦେବେ ତାହେଲେ ସ୍ବାଧୀନ ଭାବେ ମଧ୍ୟ ନିର୍ବାଚନ ଲଢ଼ିପାରନ୍ତି।

ବିଧାୟକ ଶ୍ରୀ ଧଡ଼ା ଲେଖିଛନ୍ତି ଯେ, ମୁଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବିଗତ ୧୦ ବର୍ଷ ହେଲା ସାଧାରଣ ଜନତାଙ୍କର ସେବା କରିବାର ସୁଯୋଗ ପାଇଛି। ଏହି ସମୟ ମଧ୍ୟରେ ମୁଁ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ କରିଛି। କିନ୍ତୁ ଦଳରେ ମୋତେ ଅଣଦେଖା କରାଯାଇଛି। ନିର୍ବାଚନ ଲଢ଼ିବା ସୁନିଶ୍ଚିତ। କିନ୍ତୁ ଆଗାମୀ ଦିନରେ ଲୋକମାନଙ୍କ ମତାମତ ନେଇ ନିର୍ବାଚନ ଲଢ଼ିବି।

ସୂଚନାଯୋଗ୍ୟ, ବିଜେଡି ଏଥର ସୋର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି। ପର୍ଶୁରାମ ଧଡ଼ା ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ପର୍ଶୁରାମ ଧଡ଼ା ୫୪,୭୭୫ ଖଣ୍ଡ ଭୋଟ୍‌ ପାଇଥିଲେ।‌ ସେ ବିଜେପି ପ୍ରାର୍ଥୀ ରାକେଶ କୁମାର ମଲ୍ଲିକଙ୍କୁ ୪୯୩୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ସେହିପରି ୨୦୧୪ ନିର୍ବାଚନରେ ପର୍ଶୁରାମଙ୍କୁ ୫୭,୧୩୯ ଖଣ୍ଡ ଭୋ୍‌ଟ ମିଳିଥିବା ବେଳେ ସେ କଂଗ୍ରେସର ମୃତ୍ୟୁଞ୍ଜୟ ଜେନାଙ୍କୁ ୪୯୧୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button