ଅଡ଼ୁଆରେ କଂଗ୍ରେସ, ଆରମ୍ଭରୁ ଝୁଣ୍ଟିଲେଣି: ଯେତିକି ଫେରିଛନ୍ତି, ତା’ଠାରୁ ଅଧିକ ଛାଡ଼ିଲେଣି – Kalinga News

[ad_1]
ଭୁବନେଶ୍ବର: ଓଡ଼ିଶାରେ ଏବେ ରାଜନୈତିକ ଡିଆଁ ପର୍ବ ଚାଲିଛି। ଟିକେଟ ଆଶାୟୀମାନେ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି। ଏଥିରେ ବିଜେଡି ଓ ବିଜେପି ଆଗରେ। ହେଲେ କଂଗ୍ରେସ ଶିବିରରେ ସେଭଳି ଉଷ୍ମତା ନାହିଁ। କଂଗ୍ରେସ ଭବନରେ ସେଭଳି ମିଶ୍ରଣ ପର୍ବର ଆୟୋଜନ ଦେଖିବାକୁ ମିଳୁନାହିଁ। ଚଳିତବର୍ଷ ଆରମ୍ଭରୁ କଂଗ୍ରେସ ନିଜର ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣି ନିଜର ଶକ୍ତି ବୃଦ୍ଧି କରିଥିଲା। ଏପରିକି ଯେଉଁମାନେ ଦଳ ଛାଡ଼ି ଚାଲି ଯାଇଛନ୍ତି ସେମାନେ ଦଳକୁ ଫେରି ଆସନ୍ତୁ ବୋଲି ଦଳ ପକ୍ଷରୁ ଆହ୍ବାନ କରାଯାଇଥିଲା। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ଶିଶିର ଗମାଙ୍ଗୋ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରମୁଖ ଦଳକୁ ଫେରିଥିଲେ। ସେହିଭଳି କେନ୍ଦୁଝରର ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରୀ ଓ ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଅଭିନେତା ମନୋଜ ମିଶ୍ର, କିଛି ପୂର୍ବତନ ପ୍ରଶାସନିକ ଅଧିକାରୀ ଓ ଅନ୍ୟ ଦଳର ବିଭିନ୍ନ ରାଜନୈତିକ ଦଳର କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଥିଲେ। ଏହାକୁ ନେଇ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ ଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଏମିତି ସମୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା। ଦଳ ଧରିନେଇଥିଲା ଯେ ମେଣ୍ଟ ହେଲେ ଏହାକୁ ଫାଇଦା ମିଳିବ। କିନ୍ତୁ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ କଂଗ୍ରେସର ଏହି ଆଶା ମଉଳି ଯାଇଛି। ଓଲଟା ଦଳର ଜଣେ ପରେ ଜଣେ ନେତା ‘ହାତ’ ଛାଡ଼ୁଛନ୍ତି। ଆଉ ପାଦେ ଆଗକୁ ଯାଇ କହିଲେ, କଂଗ୍ରେସକୁ ଏହା ଭିତରେ ଯେତିକି ନେତା ଫେରିଛନ୍ତି କିମ୍ବା ଯୋଗ ଦେଇଛନ୍ତି ତା’ଠାରୁ ଅଧିକ ନେତା ଦଳ ଛାଡ଼ିଲେଣି। ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଚିରଞ୍ଜୀବ ବିଶ୍ବାଳ, କେ. ସୂରିଆ ରାଓ, ବଲାଙ୍ଗୀର କଂଗ୍ରେସ ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ, ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଭଳି ନେତା କଂଗ୍ରେସ ଛାଡ଼ି ସାରିଛନ୍ତି। ଯାହା କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଆଉ କିଛି ବିଧାୟକ ଓ ପୂର୍ବତନ ବିଧାୟକ ଖୁବଶୀଘ୍ର
କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଜୋରଦାର ଆଲୋଚନା ହେଉଛି। ତେଣୁ ସେମାନଙ୍କୁ କିଭଳି ବୁଝାଇ ଦଳରେ ରଖାଯିବ ତାହା ଉପରେ ଶୀର୍ଷ ନେତୃତ୍ବ କସରତ ଜାରି ରଖିଛନ୍ତି। ତେବେ ଏତେ ସଂଖ୍ୟକ ବଡ଼ ନେତା ଦଳ ଛାଡ଼ିବା ଦ୍ବାରା ଦଳର ଭାବମୂର୍ତ୍ତିରେ ଆଞ୍ଚ୍ ଆସୁଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଆହୁରି ମଧ୍ୟ ଅନ୍ୟ ଦଳର କୌଣସି ବଡ଼ ନେତା କଂଗ୍ରେସ ମୁହାଁ ନ ହେବା ମଧ୍ୟ ଠିକ୍ ବାର୍ତ୍ତା ଦେଉନି ବୋଲି ମତପ୍ରକାଶ ପାଉଛି। ପିସିସି ସଭାପତି ଶରତ ପଟ୍ଟନାୟକ ବାରମ୍ବାର କହୁଛନ୍ତି ଯେ ଅନ୍ୟ ରାଜନୈତିକ ଦଳର ବହୁ ନେତା କଂଗ୍ରେସର ସଂପର୍କରେ ରହିଛନ୍ତି ଓ ସେମାନେ ଖୁବଶୀଘ୍ର କଂଗ୍ରେସରେ ସାମିଲ ହେବେ। ହେଲେ ଶ୍ରୀ ପଟ୍ଟନାୟକ ଅନ୍ୟ ଦଳରୁ ନେତା ଆଣିବା ତ ଦୂରର କଥା, ନିଜ ଜିଲ୍ଲାକୁ ବି ସୁରକ୍ଷିତ ରଖିପାରିନାହାନ୍ତି। ବିଜେପି ଓ ବିଜେଡି ଯେଉଁଭଳି ଢଙ୍ଗରେ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରି ଭୋଟରଙ୍କ ମନରେ ଯେଉଁ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏଥିରେ କଂଗ୍ରେସ ବହୁ ପଛରେ ରହିଛି। ଦଳ ଆଶା କରୁଛି ଯେ ବିଜେଡି ଓ ବିଜେପିର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ଅନ୍ୟ ଦଳର କିଛି ନେତା କଂଗ୍ରେସରେ ସାମିଲ ହୋଇପାରନ୍ତି। କଂଗ୍ରେସ ନେତାଙ୍କ କହିବା କଥା ନିର୍ବାଚନ ସମୟରେ ଦଳ ଡିଆଁ ଏକ ସାଧାରଣ କଥା। ଯେଉଁ ନିର୍ବାଚନମଣ୍ଡଳୀରେ କଂଗ୍ରେସର ବିଜୟ ସମ୍ଭାବନା ରହିଛି ସେସବୁ ସ୍ଥାନରୁ କୌଣସି ନେତା ଦଳ ଛାଡ଼ି ନାହାନ୍ତି। ସେମାନଙ୍କ ସ୍ଥାନରେ ନୂଆ ମୁହଁକୁ ସୁଯୋଗ ଦିଆଯିବ। ଚଳିତ ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ବେଶ୍ ଭଲ ପ୍ରଦର୍ଶନ କରିବ।
[ad_2]