ଦେଖିଲା ପରେ… ନାରୀକୈନ୍ଦ୍ରିକ ହାସ୍ୟରସରେ ନୂଆ-ପୁରୁଣାଙ୍କ ଚମକ – Kalinga News

[ad_1]
ରାଜେଶ ଏ. କୃଷ୍ଣନଙ୍କ ନିର୍ଦେଶିତ ଦ୍ବିତୀୟ ଚଳଚ୍ଚିତ୍ର ‘କ୍ରୁ’ ହେଉଛି ଗ୍ଲାମର୍, ଲୁଟ୍ ଓ ବ୍ୟଙ୍ଗର ଏକ ମଜାଳିଆ ମିଶ୍ରଣ। ଏକ ହାଲୁକା ମନୋରଂଜନଧର୍ମୀ ସିନେମା ଉପଭୋଗ କରିବାର ଆଶାରେ ପ୍ରେକ୍ଷାଳୟକୁ ଆସିଥିବା ଦର୍ଶକମାନଙ୍କୁ ଏହା କଦାପି ନିରାଶ କରିବ ନାହିଁ। ଏହାର ତିନିଜଣ ମୁଖ୍ୟ ଚରିତ୍ର ଗୀତା (ତବୁ), ଜାସମିନ (କରୀନା କପୁର ଖାଁ) ଓ ଦିବ୍ୟା (କୃତି ସେନନ) ‘କୋହିନୂର ଏଆର୍ଲାଇନ୍ସ’ର କ୍ୟାବିନ୍ ଦଳ ବା କ୍ରୁରେ କାର୍ଯ୍ୟ କରନ୍ତି। କାହାଣୀରେ ଆରମ୍ଭରୁ ପ୍ରତ୍ୟେକଙ୍କ ପାରିବାରିକ ଜୀବନ ଓ ସଂଘର୍ଷ ବିଷୟରେ ଦର୍ଶକକୁ ସଂକ୍ଷେପରେ ଅବଗତ କରିଦିଆଯାଇଛି, ଯେଉଁ କାରଣରୁ ସେମାନଙ୍କ ଚରିତ୍ର ଓ ଗୁଣଗୁଡ଼ିକୁ ଏକ ଦୃଢ଼ ତଥା ବିଶ୍ବସନୀୟ ମୂଳଦୁଆ ମିଳିପାରିଛି ଏବଂ କାହାଣୀଟି ମନୋମୁଗ୍ଧକର ଢଙ୍ଗରେ ଗତିଶୀଳ ହୋଇଛି। ଏ ତିନିଜଣ ମଧ୍ୟବିତ୍ତ ବର୍ଗର ଉଚ୍ଚାଭିଳାଷକୁ ପ୍ରତିନିଧିତ୍ବ କରୁଥିବା ବେଳେ ଅର୍ବପତି ମାଲିକ ସେମାନଙ୍କୁ କିଭଳି ଅପରାଧୀରେ ପରିଣତ କରି ଶୋଷଣ କରୁଛନ୍ତି ତାହା ପ୍ରଥମେ ଦେଖାଯାଇଛି। ନୈତିକତା ଓ ଅସଲ କାର୍ଯ୍ୟକ୍ଷେତ୍ରରେ କରିବାକୁ ପଡୁଥିବା ସାଲିସ୍ର ଉପସ୍ଥାପନା ଏହି ବ୍ୟଙ୍ଗ ସିନେମାର ସବୁଠାରୁ ଗମ୍ଭୀର ଦିଗ।
‘କ୍ରୁ’ର ସବୁଠାରୁ ପ୍ରଶଂସନୀୟ ଦିଗଟି ହେଲା ଏଥିରେ ଅଭିନେତ୍ରୀମାନଙ୍କ ବୟସକୁ ସତ୍ୟନିଷ୍ଠ ଢଙ୍ଗରେ ଉପସ୍ଥାପନ କରାଯାଇଛି, ଯାହା ବଲିଉଡ୍ରେ ବିରଳ ବୋଲି ଏକ ଅପବାଦ ରହିଆସିଛି। କରୀନା ଓ ତବୁଙ୍କ ଚରିତ୍ର ପରସ୍ପରଙ୍କ ବୟସକୁ ନେଇ ଅନାୟାସରେ ବ୍ୟଙ୍ଗବିଦ୍ରୂପ କରିଛନ୍ତି। ଅଭିନେତ୍ରୀମାନଙ୍କ ମୁହଁରୁ ଦ୍ବିଅର୍ଥବୋଧକ ସଂଳାପଗୁଡ଼ିକ କମ୍ ଅପମାନଜନକ ଏବଂ ଅଧିକ ହାସ୍ୟୋଦ୍ଦୀପକ ମନେ ହୁଏ। ଦୁଇଜଣ ଅଭିଜ୍ଞ ଅଭିନେତ୍ରୀଙ୍କ ସହିତ ମିଶି ଅପେକ୍ଷାକୃତ ନବାଗତା କୃତି ସେନନ ଅଭିନେତ୍ରୀ ରୂପେ ଆଉ ଏକ ସୋପାନ ଉପରକୁ ଉଠିବାରେ ସକ୍ଷମ ହୋଇଛନ୍ତି। ‘ଏଆର୍ ହୋଷ୍ଟେସ୍’ ଭାବେ କାମ କରିବା ଏକ ଆକର୍ଷଣୀୟ ପେସା ହୋଇ ରହିଛି। ତେବେ ଯେକୌଣସି କାମ ଭଳି ଏହି କାମ ଯେ ସମସ୍ୟା ଓ ଚାପରୁ ମୁକ୍ତ ନୁହେଁ ତାହାର ଏକ ବାସ୍ତବ ଚିତ୍ର ଏହି ଚଳଚ୍ଚିତ୍ର ଉପସ୍ଥାପନ କରିପାରିଛି। ‘କ୍ରୁ’ର ଅନ୍ୟ ସମସ୍ତ ପାର୍ଶ୍ବ ଚରିତ୍ରମାନେ ମଧ୍ୟ ଭଲ ଅଭିନେତାଙ୍କ ବଳ ପାଇଛନ୍ତି। କଷ୍ଟମ୍ସ ଅଫିସର୍ ଭାବେ ଦିଲଜିତ ଦୋସାଂଝ ଏବଂ ଗୀତା ଚରିତ୍ରର ସ୍ବାମୀ ଭାବେ କପିଲ ଶର୍ମାଙ୍କ ଉପସ୍ଥିତି ଦୃଶ୍ୟଗୁଡ଼ିକୁ ଅଧିକ ଉପଭୋଗ୍ୟ କରିଛି। ଚଳଚ୍ଚିତ୍ରର ଦୁଇଟି ଉଲ୍ଲେଖନୀୟ ନକାରାତ୍ମକ ଦିଗ ହେଉଛି: କେତେକ ମଜାଳିଆ ସଂଳାପକୁ ଏକାଧିକ ଥର ପୁନରାବୃତ୍ତି କରାଯାଇଛି; କାହାଣୀର ବିଭିନ୍ନ ମୋଡ଼ର କେତେକ କମ୍ପାନି ବିଜ୍ଞାପନକୁ ସ୍ଥାନିତ କରାଯାଇଛି, ଯାହା ଦର୍ଶକର ଧ୍ୟାନ ବିଚ୍ୟୁତ କରିବା ସହିତ ଦୃଶ୍ୟକଟୁ ମନେ ହୋଇଥାଏ।
ଏହା ସଂଯୋଗମାତ୍ର ନୁହେଁ ଯେ ଏ ସିନେମାରେ ‘କୋହିନୂର ଏଆର୍ଲାଇନ୍ସ’ର ମାଲିକଙ୍କ ନାମ ରଖାଯାଇଛି ‘ବିଜୟ ଵାଲ୍ୟା’। ଭାରତର ଜଣେ ବହୁଚର୍ଚ୍ଚିତ ତଥା ବିବାଦୀୟ ବ୍ୟବସାୟୀ ବିଜୟ ମାଲ୍ୟା ଓ ତାଙ୍କ ବିଫଳ ବିମାନସେବା କମ୍ପାନିର ବାସ୍ତବ କାହାଣୀକୁ ନେଇ ‘କ୍ରୁ’ର ନିର୍ମାତା ଯଥାସମ୍ଭବ କଳାତ୍ମକ ସ୍ବାଧୀନତା ପ୍ରୟୋଗ କରିଛନ୍ତି। ତେଣୁ କାହାଣୀରେ ମାଲିକଜଣକ ହଜାର ହଜାର କର୍ମଚାରୀଙ୍କୁ ଅସହାୟ ଭାବେ ଛାଡ଼ି ବିଦେଶ ଚାଲିଯିବା ଘଟଣା ଦେଖି ଦର୍ଶକଙ୍କ ମନ ତିନି ମୁଖ୍ୟ ଚରିତ୍ରଙ୍କ ପ୍ରତି ଏତେ ଉଦାର ହୋଇଯାଏ ଯେ ସେମାନେ କରୁଥିବା ଅପରାଧ ପ୍ରତି ମଧ୍ୟ କିଛି ସମୟ ପାଇଁ ସମର୍ଥନ ଭାବ ଜାତ ହୋଇଯାଏ। ସିନେମା ଶେଷ ଆଡ଼କୁ ଲୁଣ୍ଠନକାରୀ ମାଲିକ (ବିଜୟ ଵାଲ୍ୟା) ପାଖରୁ ବିପୁଳ ସୁନା ଲୁଟ୍ କରି ତିନି ଜଣ ‘କ୍ରୁ’ ସଦସ୍ୟା କେବଳ ପ୍ରତିଶୋଧ ନେଇନାହାନ୍ତି, ବରଂ ତାଙ୍କୁ ଭାରତ ଆଣି ଆଇନ ହାତରେ ଧରାଇଦେଇଛନ୍ତି। ବାସ୍ତବରେ ଯେଉଁ କାମ କୌଣସି ସରକାର କରିବାରେ ଏ ପର୍ଯ୍ୟନ୍ତ ସମର୍ଥ ହୋଇନାହାନ୍ତି, ତାହା ତିନିଜଣ ଚତୁର ମହିଳା କରିବାରେ ସମର୍ଥ ହେବା ଏହି ସିନେମାର ସବୁଠାରୁ ମଜାଳିଆ ବିଦ୍ରୂପ ବୋଲି କହିଲେ ଭୁଲ୍ ହେବ ନାହିଁ।
[ad_2]