ଅପରାଧ

ଲୁଟ୍‌ ଟଙ୍କାରେ ବିଦେଶିନୀଙ୍କ ସହ ମଉଜ: ବିମାନରେ ଉଡ଼ୁଥିଲା, ତାରକା ହୋଟେଲ୍‌ରେ ରହୁଥିଲା – Kalinga News

[ad_1]

ଭୁବନେଶ୍ବର: ରାଜଧାନୀରୁ ଟଙ୍କା ଲୁଟି ବିଦେଶରେ ମଉଜ କରୁଥିଲା। କେତେବେଳେ ମୁମ୍ବାଇର ହୋଟେଲ୍‌ ତାଜରେ ବିଦେଶିନୀଙ୍କ ସହ ତ କେତେବେଳେ କୋଲକାତାର ନାଇଟ୍‌ କ୍ଲବର ରଙ୍ଗିନ ଆଲୋକରେ ଯୁବତୀଙ୍କ ସହ ମତୁଆଲା ହେଉଥିଲା। ପୁଣି କେତେବେଳେ ଗୋଆ ସମୁଦ୍ର ବେଳାଭୂମିରେ ରୁଷୀୟ ଯୁବତୀଙ୍କ ସହ ମସ୍ତି କରୁଥିଲା। ରାଜଧାନୀରୁ ଲୁଟ୍‌ ଟଙ୍କାରେ ବିମାନରେ ମୁମ୍ବାଇ, କୋଲକାତା, ଗୋଆ ଭଳି ସହରକୁ ଯାଇ ବିଳାସପୂର୍ଣ୍ଣ ହୋଟେଲ୍‌ରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲା। ଖାଲି ଏତିକି ନୁହେଁ ଲୁଟ୍‌ ଟଙ୍କା ଜମିବାଡ଼ି, ଘର ବି କରିଥିଲା। ଦୀର୍ଘ ୧୧ବର୍ଷ ଧରି କମିସନରେଟ୍‌ ପୁଲିସକୁ ଚକ୍‌ମା ଦେଇ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟିଥିବା କୁଖ୍ୟାତ ଲୁଟେରାକୁ କମିସନରେଟ୍‌ ପୁଲିସ ଗିରଫ କରିଛି। ସେ‌ ହେଲା ବାଲେଶ୍ବର ଜିଲ୍ଲା ସୋର ସୁଲତାନପୁର ଅଞ୍ଚଳର ପର୍ଶୁରାମ ଗିରି ଓରଫ ସନା। ତା’ ଠାରୁ ପୁଲିସ ନଗଦ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ ସୁନା ଅଳଙ୍କାର, ୭ କେଜି ରୁପା ଅଳଙ୍କାର, ୨ଟି ବାଇକ୍‌, ଗୋଟିଏ ମୋବାଇଲ ଓ ଲୁଟ୍‌ରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ସେହିପରି ପର୍ଶୁରାମକୁ ଗହଣା ବିକ୍ରିରେ ସହଯୋଗ କରୁଥିବା ବଣିଆ ମହାରାଷ୍ଟ୍ରର ପ୍ରବୀଣ ବଳିରାମ ଲୋଖାଣ୍ଡେକୁ ମଧ୍ୟ ଗିରଫ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର ଓ ଡିସିପି ପ୍ରତୀକ ସିଂହ ପଶୁର୍ରାମର ଅପରାଧିକ ଇତିହାସ ସମ୍ପର୍କରେ ସମସ୍ତ ତଥ୍ୟ ରଖିଥିଲେ। ପତ୍ନୀକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାରେ ଜେଲ୍‌ ଯିବା ଠାରୁ ଆରମ୍ଭ କରି ପର୍ଶୁରାମର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବା ପର୍ଯ୍ୟନ୍ତ ସବୁର ପର୍ଦ୍ଦାଫାସ ହୋଇଛି।

କେମିତି ଧରାପଡ଼ିଲା
୨୦୨୨ ନଭେମ୍ବର ୨୩ରେ ପର୍ଶୁରାମ ବଡ଼ଗଡ଼ ଥାନା ଅଞ୍ଚଳର ନମିତା ମହାପାତ୍ରଙ୍କ ଘର ଝରକା ତାଡ଼ି ୧୪.୮ଲକ୍ଷ ଟଙ୍କା, ଗହଣା ଆଦି ଲୁଟିଥିଲା। ବଡ଼ ଧରଣର ଲୁଟ୍‌ ପରେ ପୁଲିସ ତାକୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ପୁଲିସ ତାକୁ ଚିହ୍ନଟ କରିଥିଲା। ସିସିଟିଭି ଯାଞ୍ଚ ବେଳେ ଜଣାପଡ଼ିଥିଲା‌ ଲୁଟେରା ଚପଲ ପିନ୍ଧୁନଥିବା ବେଳେ ଡାହାଣ ଗୋଡ଼ରେ କଳା ସୂତା ବାନ୍ଧିଛି। ବେକରେ ଦାଗ, ହାଫ୍‌ ଫ୍ୟାଣ୍ଟ ଓ ରାଉଣ୍ଡ ନେକ୍‌ ଗଞ୍ଜି ପିନ୍ଧିଛି। ହାତରେ ଗୋଟିଏ ଛୋଟ ହାତୁଡ଼ି ସାଙ୍ଗକୁ ଲୁହା ରଡ୍‌ ରହିଛି। ପୂର୍ବରୁ କିଛି ସିସିଟିଭି ଫୁଟେଜ୍‌ରୁ ମଧ୍ୟ ସମାନ ଛବିକୁ ଦେଖିଥିଲା। ଅର୍ଥାତ ଗୋଟିଏ ଲୋକ ବିଭିନ୍ନ ସ୍ଥାନରୁ ଲୁଟ୍‌ କରୁଛି। ପୁଲିସ ଯେଭଳି ତା’ର କିଛି ସୁରାକ ନ ପାଇବ ସେଥିପାଇଁ ଚୋରି କରିବାକୁ ଗଲା ବେଳେ ଓଲା, ଉବେର ଭଳି ଭଡ଼ାଗାଡ଼ି ବ୍ୟବହାର କରୁଥିଲା। ଲୁଟ୍‌ ସ୍ଥାନର କିଛି ଦୂରରୁ ମୋବାଇଲ୍‌କୁ ସ୍ବିଚ୍‌ ଅଫ୍‌ କରିଦେଉଥିଲା। ତାକୁ ଠାବ ପାଇଁ ସ୍ପେସାଲ ସ୍କ୍ବାଡ୍‌ ଟିମ୍‌ ସହ ସ୍ବତନ୍ତ୍ର ଟିମ୍‌କୁ ସାମିଲ୍‌ କରାଯାଇଥିଲା। ସବୁବେଳେ ସ୍ଥାନ ବଦଳାଉଥିବାରୁ ତାକୁ ଧରିବା ବଡ଼ ଚ୍ୟାଲେଞ୍ଜ ଥିଲା। ରାଜଧାନୀରେ ସ୍ଥାନ ବଦଳାଇବା ସହ ରାଜ୍ୟ ବାହାରକୁ ଯାଇ ତାରକା ହୋଟେଲ୍‌ରେ ରହୁଥିଲା। ଶନିବାର ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରୁ ‌ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ବଡ଼ଗଡ଼ ଥାନା ପୁଲିସ ମିଳିତ ଚଢ଼ଉ କରି ତାକୁ କାବୁ କରିଥିଲେ। ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଟଙ୍କା ଓ ଗହଣାକୁ ଜବତ କରିଥିଲା। ଉଭୟଙ୍କୁ ଜେରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ସେହିପରି ସେ କିଭଳି ଲୁଟ୍‌ କରୁଥିଲା ତା’ର ସିନ୍‌ ରିକ୍ରିଏସନ କରାଯାଇଥିଲା। ତାକୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବାକୁ କମିସନରେଟ୍‌ ପୁଲିସ ଯୋଜନା କରୁଛି।

ଫେରିପାଇଲେ ଟଙ୍କା, ଟିଆଇ ପରେଡ୍‌ରେ ନେବେ ଗହଣା
ଆଜି ପ୍ରଥମ ଦିନରେ ୫ଜଣଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ବାକି ୧୬ଜଣଙ୍କୁ ଟଙ୍କା ନେବା ପାଇଁ ଖବର ଦିଆଯାଇଛି। ଟଙ୍କା ଫେରସ୍ତ ପାଇଁ ସ୍ବତନ୍ତ୍ର ନିୟମ କରାଯାଇଛି। ଯେଉଁମାନଙ୍କର ଯେତିକି ଟଙ୍କା ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ହିସାବରେ ଟଙ୍କା ଦିଆଯାଉଛି। ହେଲେ ଗହଣା ଫେରସ୍ତ ପାଇଁ ଟିଆଇ ପରେଡ୍‌ କରାଯିବ। ଟିଆଇ ପରେଡ୍‌ ମାଧ୍ୟମରେ ହିଁ ଗହଣା ଫେରସ୍ତ କରାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି।

ଭଙ୍ଗା ହେବ ଘର, ବାଜ୍ୟାପ୍ତି ହେବ ସମ୍ପତ୍ତି
ପର୍ଶୁରାମ ଲୁଟ୍‌ ଟଙ୍କାରେ ଖାଲି ମଉଜ କରୁନଥିଲା। ଦ୍ବିତୀୟ ପତ୍ନୀଙ୍କ ପାଇଁ ଗାଁରେ ଏକ ଘର କରିଥିଲା, କିଛି ଜମି ମଧ୍ୟ କିଣିଥିଲା। ଆଉ ରାଜଧାନୀର ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଘର ନିର୍ମାଣ କରୁଥିଲା। ଆଉ ସେହି ଘରକୁ ଭଡ଼ାରେ ଲଗାଇ ଟଙ୍କା ରୋଜଗାର କରୁଥିଲା। ତେବେ ଚିଲ୍ଲିପୋଖରୀ ନିକଟରେ ତା’ର ୫ବଖରା ଘରକୁ କମିସନରେଟ୍‌ ପୁଲିସ ଠାବ କରିଛି। ଖୁବ୍‌ ଶୀଘ୍ର ସେହି ଘରକୁ ଭଙ୍ଗାଯିବ ବୋଲି ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି। ସେହିପରି ଲୁଟ୍‌ ଟଙ୍କାରେ କରିଥିବା ସମ୍ପତ୍ତିକୁ କିଭଳି ବାଜ୍ୟାପ୍ତି କରାଯିବ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

୧୩ ବର୍ଷର ଖେଳ ଶେଷ, ପତ୍ନୀ ଆତ୍ମହତ୍ୟା ମାମଲାରୁ ଜେଲ୍‌ ଆରମ୍ଭ

ନବମ ଫେଲ୍‌ ପର୍ଶୁରାମ ୨୦୦୩ ମସିହାରେ ପୂଜା ଗିରିଙ୍କୁ ବିବାହ କରିଥିଲା। ନିଶଖୋର ପର୍ଶୁରାମର ଅତ୍ୟାଚାର ସହିନପାରି ୨୦୦୬ ମସିହାରେ ପତ୍ନୀ ଆତ୍ମହତ୍ୟା କରିଥିଲେ। ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାରେ ସୋର ଥାନା ଗରିଫ କରି ତାକୁ ବାଲେଶ୍ବର ଜେଲ୍‌କୁ ପଠାଇଥିଲା। ସେଠାରେ ୯ମାସ ରହିବା ପରେ ଜାମିନ୍‌ରେ ଆସିଥିଲା। ଜେଲ୍‌ରୁ ବାହାରିବା ପରେ ୨୦୦୮ ମସିହାରେ ଭୁବନେଶ୍ବର ଆସି ଠିକା ସଂସ୍ଥାରେ କାମ କରିଥିଲା। ଆର୍ଥିକ ହେର୍‌ଫେର୍‌ ଯୋଗୁଁ ସଂସ୍ଥାରୁ ତଡ଼ାଖାଇଥିଲା। ପରେ ରାଜମିସ୍ତ୍ରି କାମ ଆରମ୍ଭ କରିଥିଲା। ୨୦୧୧ ମସିହାରେ ନିଜର ସହଯୋଗୀଙ୍କ ମୋବାଇଲ୍‌ ଚୋରି ମାମଲାରେ ଇନ୍‌ଫୋସିଟି ଥାନା ପୁଲିସ ଗିରଫ କରି ଜେଲ୍‌ ପଠାଇଥିଲା। ଜାମିନ୍‌ରେ ଆସିବା ପରେ ରାସ୍ତାରୁ ପାଇଥିବା ଏକ ଏଟିଏମ୍‌ କାର୍ଡକୁ ବ୍ୟବହାର କରି ୨୫ହାଜର ଟଙ୍କା ଉଠାଇ ସେହି ଟଙ୍କାରେ ବାଇକ୍‌ କିଣିଥିଲା। ଆଉ ସେହି ବାଇକ୍‌କୁ ବ୍ୟବହାର କରି ଏକାକୀ ଲୁଟ୍‌ପାଟ ଆରମ୍ଭ କରିଥିଲା। ଏହାପରେ ଧୀରେ ଧୀରେ ରାଜଧାନୀରେ ତା’ର କାୟାବିସ୍ତାର କରିଥିଲା। ଦିନରେ ରାଜମିସ୍ତ୍ରି କାମ କରୁଥିଲା; ରାତିରେ ସହ ସାରା ଘୁରି ବୁଲି ଲୁଟ୍‌ ପାଇଁ ଯୋଜନା କରୁଥିଲା। ଖାଲି ଘର ଦେଖି ରାତି ଅଧରେ ଗ୍ରିଲ୍‌ ଭାଙ୍ଗି ଘରୁ ଲୁଟ୍‌ କରିବା ଆରମ୍ଭ କରିଥିଲା। ସେ ୧୩ ବର୍ଷରୁ ୧୦୦ରୁ ଅଧିକ ଲୁଟ୍‌ କରିଥିବା ବେଳେ ଏବେ ସୁଦ୍ଧା ୫୦ଟି ଲୁଟ୍‌ରେ ସାମିଲ୍‌ ଥିବା ସ୍ପଷ୍ଟ ହୋଇଛି। ଆଉ ବର୍ତ୍ତମାନ ଜବତ ହୋଇଥିବା ଟଙ୍କା, ଗହଣା ୨୧ଟି ମାମଲାର ବୋଲି କମିସନରେଟ୍‌ ପୁଲିସ କହିଛି। ପୂର୍ବରୁ ସେ ୫ଟି ମାମଲାରେ ଗିରଫ ହୋଇ ଜେଲ୍‌ ମଧ୍ୟଯାଇଛି। ତେବେ ଆଗକୁ ମାମଲା ସଂଖ୍ୟା ବଢ଼ିବ ବୋଲି ପୁଲିସ କହିଛି। ତେବେ ୨୦୨୩ରୁ ଏ ପର୍ଯ୍ୟନ୍ତ ତା’ ନାଁରେ ବଡ଼ଗଡ଼ରେ ୩ଟି, ପାହାଳରେ ୩ଟି, ମଞ୍ଚେଶ୍ୱରରେ ୨ଟି, ସହିଦନଗରରେ ୨ଟି, ଲକ୍ଷ୍ମୀସାଗରରେ ୪ଟି, ଧଉଳିରେ ୪ଟି ଓ ଲିଙ୍ଗରାଜ ଥାନା ଅଞ୍ଚଳରେ ୩ଟି ମାମଲା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button