ଆମେରିକା ଚାଖିବ Amul ର ସ୍ୱାଦ, ଆନ୍ତର୍ଜାତୀୟ ବଜାରରେ ଅମୁଲର ଏଣ୍ଟ୍ରି

ପ୍ରସିଦ୍ଧ ଦୁଗ୍ଧ ବ୍ରାଣ୍ଡ ଅମୁଲ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି। ଏବେ ଆମେରିକାର ଲୋକଙ୍କୁ ଅମୁଲ ଏହାର ଉତ୍ପାଦ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି । ଅମୁଲ ଚଳାଉଥିବା ଗୁଜୁରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) ର ଏମଡି ଜୟନ୍ ମେହତା କହିଛନ୍ତି ଯେ ଅମୁଲ ଆମେରିକାରେ ଏହାର ଦୁଗ୍ଧ ଉତ୍ପାଦ ଲଞ୍ଚ କରିବାକୁ ଯାଉଛି । ସେ କହିଛନ୍ତି, ଏଥିପାଇଁ ଆମେ ଆମେରିକାର ୧୦୮ ବର୍ଷ ପୁରୁଣା ଦୁଗ୍ଧ ସମବାୟ ସମିତି – ମିଶିଗନ୍ ଦୁଗ୍ଧ ଉତ୍ପାଦକ ସଂଘ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ମାର୍ଚ୍ଚ ୨୦ରେ ଡେଟ୍ରୋଇଟ୍ ରେ ସେମାନଙ୍କର ବାର୍ଷିକ ବୈଠକରେ ଏହା ଘୋଷଣା କରାଯାଇଥିଲା।
ମେହେତା ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ଦେଶ ବାହାରେ ଅମୁଲଙ୍କ ଦୁଗ୍ଧ ଉତ୍ପାଦ ଆଉଟଲେଟ ଖୋଲିବାକୁ ଯାଉଛୁ । ଆମେରିକାରେ ମଧ୍ୟ ଆମ ସାମଗ୍ରୀ ମିଳିବ , ଏହା ଆମ ପାଇଁ ଏକ ଖୁସିର ମୁହୂର୍ତ୍ତ । ଆମେରିକାରେ ଭାରତୀୟ ଏବଂ ଏସୀୟ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ସେ କହିଛନ୍ତି ଯେ ନିକଟରେ ଆୟୋଜିତ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଲକ୍ଷ୍ୟ ଅନୁଯାୟୀ ବ୍ରାଣ୍ଡକୁ ବିସ୍ତାର କରି ସର୍ବ ବୃହତ ଦୁଗ୍ଧ କମ୍ପାନୀ ହେବାକୁ ଅମୁଲ ଆଶା କରୁଛନ୍ତି।
ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦ ବର୍ଷ ପୂର୍ବେ ଗୁଜୁରାଟର କୃଷକମାନେ ଲଗାଇଥିବା ଏକ ଚାରା ବର୍ତ୍ତମାନ ଏକ ବିରାଟ ଗଛରେ ପରିଣତ ହୋଇଛି। ଅମୁଲ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିଶ୍ବ ର ୫୦ ରୁ ଅଧିକ ଦେଶକୁ ରପ୍ତାନି ହେଉଛି। ଏହା ଅଧୀନରେ ୧୮ ହଜାର ରୁ ଅଧିକ ଦୁଗ୍ଧ ସମବାୟ ସମିତି ଏବଂ ୩୬ ହଜାର ରୁ ଅଧିକ ଚାଷୀଙ୍କ ନେଟୱାର୍କ ଜଡିତ। ଏହି ନେଟୱାର୍କ ପ୍ରତିଦିନ ୩. ୫ କୋଟି ଲିଟରରୁ ଅଧିକ କ୍ଷୀର ପ୍ରକ୍ରିୟାକରଣ କରିଥାଏ ।
ଦୁଗ୍ଧ ଉତ୍ପାଦନକାରୀ ରେ ଭାରତ ଏତେ ଆଗକୁ ଯାଇପାରିଛି। ବିଶ୍ୱରେ ଦୁଗ୍ଧ ଉତ୍ପାଦନରେ ଭାରତର ଅବଦାନ ପ୍ରାୟ ୨୧ ପ୍ରତିଶତ। ଏହା ଧ୍ୟାନ ଦେବା ଜରୁରୀ ଯେ ୧୯୫୦ ଏବଂ ୧୯୬୦ ଦଶକରେ ଭାରତର ଦୁଗ୍ଧ କ୍ଷେତ୍ରର ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେହି ସମୟରେ ଭାରତରେ ଦୁଗ୍ଧ ଅଭାବ ଦେଖା ଯାଉଥିଲା ଏବଂ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ଥିଲା। ୧୯୬୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଗୁଜୁରାଟର ଆନନ୍ଦ ଜିଲ୍ଲା ଗସ୍ତ ପରେ ୧୯୬୫ ମସିହାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (NDDB) ଗଠନ କରାଯାଇଥିଲା। ଆଉ ଏବେ ଆମ ଦେଶ ଦୁଗ୍ଧ ଉତ୍ପାଦନରେ ଆଗେଇ ଚାଲିଛି ।