ଖେଳ ଖବର

ମହିଳା କ୍ରିକେଟ୍ ବାଉଣ୍ଡରି ବଦଳିବ? – Kalinga News

[ad_1]

ନୂଆଦିଲ୍ଲୀ: ଅଫସ୍ପିନର୍ ଆସଲେ ଗାର୍ଡନରଙ୍କ ବିପକ୍ଷରେ ଆଗକୁ ବଢ଼ି ଶେଫାଳି ବର୍ମା ୯୧ ମିଟର୍ ଲମ୍ବାର ଏକ ଛକା ମାରିଥିଲେ ସଦ୍ୟ ସମାପ୍ତ ମହିଳା ପ୍ରିମିୟର୍ ଲିଗ୍‌ରେ। ୨୦ ସେକେଣ୍ଡ୍‌ର ଏହି ଦର୍ଶନୀୟ ମୁହୂର୍ତ୍ତ ମହିଳା କ୍ରିକେଟ୍‌ରେ ଘଟିଥିବା ପରବର୍ତ୍ତନର ଆଭାସ ଦେଇଥିଲା। ମହିଳା ଖେଳାଳିମାନେ କିଭଳି ନିଜ ଫିଟ‌୍ନେସ୍ ଓ ଶକ୍ତି ବଢ଼ାଇଛନ୍ତି ଏହା ଥିଲା ଏକ ଝଲକ। ଏଭଳି ଏକାଧିକ ଛକା ଦେଖିବା ପରେ ଏବେ ପୁରୁଷ କ୍ରିକେଟ୍ ଭଳି ମହିଳା କ୍ରିକେଟ୍‌ ପାଇଁ ବାଉଣ୍ଡରିକୁ ସମାନ କରିଦେବା ଚର୍ଚ୍ଚା ଆରମ୍ଭ ହୋଇଛି। ‘ଖେଳାଳିମାନେ ସେମାନଙ୍କ ଫିଟନେସ୍ ବଢ଼ାଇବା ଫଳରେ ବାଉଣ୍ଡରି ସୀମାରେଖା ବଢ଼ାଇବା ନେଇ ସ୍ବାଭାବିକ ଆଲୋଚନା ହୋଇଛି। କିନ୍ତୁ ଏଥି ପାଇଁ ଖେଳାଳି, ପ୍ରଶିକ୍ଷକ, ପ୍ରଶାସକଙ୍କ ପରାମର୍ଶ ବି ନିଆଯିବ’ ବୋଲି ଜଣେ ବିସିସିଆଇ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।

୨୦୨୩ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣ ଡବ୍‌ଲ୍ୟୁପିଏଲ୍‌ରେ ମୋଟ ୧୫୯ ଛକା ଦେଖିବାକୁ ମିଳିଥିବା ବେଳେ ଏଥର ୧୬୮ଟି ନଜରକୁ ଆସିଛି। ୨୦୨୪ରେ ଭାରତୀୟ ମହିଳା କ୍ରିକେଟର୍‌ ମୋଟ ୯୮ ଛକା ମାରିଛନ୍ତି। ପୂର୍ବତନ ମହିଳା କ୍ରିକେଟର୍ ମମତା ମାବେନ ଏ ସମ୍ପର୍କରେ କହିଛନ୍ତି ‘ଭାରତୀୟ ଘରୋଇ ମହିଳା କ୍ରିକେଟର୍‌ ଫିଟ୍‌ନେସ୍‌ ଓ ଶକ୍ତିର ଭରପୂର ପ୍ରଦର୍ଶନ କରିଛନ୍ତି। ସେମାନେ ବଡ଼ ବଡ଼ ଛକା ମାରୁଥିବା ‌ମୁଁ ଦେଖିଛି। ବାଉଣ୍ଡରି ଆକାର ଯାହା ରହୁ ନା କାହିଁକି ଗତବର୍ଷ ତୁଳନାରେ ଢେର ଉନ୍ନତି ଘଟିଛି’। ସୂଚନାଯୋଗ୍ୟ, ଚଳିତ ବର୍ଷ ଡବଲ୍ୟୁପିଏଲ୍‌ର ପ୍ରଥମ ଭାଗ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ଓ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଚିନ୍ନାସ୍ବାମୀରେ ୱିକେଟ୍‌ର ସ୍କୋୟାର୍‌ ପାର୍ଶ୍ବରେ ୬୪-୬୩ ମିଟର୍ ବାଉଣ୍ଡରି ରହୁଥିବା ବେଳେ ମିଡିଆ ବକ୍ସ ପଟେ ୭୬-୬୮ ମିଟର୍‌ ରହିଛି। ୱିକେଟରକ୍ଷକ ପାର୍ଶ୍ବରୁ ଏହା ଉଭୟ ଦିଗରେ ୫୬ ମିଟର୍‌ ରହୁଥିଲା। କିନ୍ତୁ ନୂଆଦିଲ୍ଲୀରେ ଏହା ଅପେକ୍ଷାକୃତ ଛୋଟ ଥିଲା। ଏଥରର ସଂସ୍କରଣରେ ସବୁଠାରୁ ଛୋଟ ଛକା ଥିଲା ୪୭ ମିଟର୍‌। ଯାହା ଅଧିନାୟିକା ତଥା ବୋଲରଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ୍ ଲାନିଙ୍ଗ୍ ଅସନ୍ତୋଷ ପ୍ରକଟ କରିଛନ୍ତି। ‘ଏହି ଗୋଟିଏ କଥା ମୁଁ ଯାହାକୁ ଉପଭୋଗ କରିପ‌ାରି ନଥିଲି। ଆଉ ଟି‌କେ ବଡ଼ ବାଉଣ୍ଡରିର ଆବଶ୍ୟକତା ରହିଛି, ଏପରିକି ପଡ଼ିଆର ଚାରିପାଖରେ ସମାନ ସୀମାରେଖା ରହିବା କଥା। ଛୋଟ ବାଉଣ୍ଡରି ରହିଲେ, ବାମହାତୀମାନେ ସ୍ବାଭାବିକ ଭାବେ କିଛି ଅତିରିକ୍ତ ଫାଇଦା ନେଇପାରନ୍ତି’ ବୋଲି ଲାନିଙ୍ଗ୍ ପ୍ରକାଶ କରିଥିଲେ। ବିଜେତା ଆର୍‌ସିବି ଅଧିନାୟିକା ସ୍ମୃତି ମନ୍ଧାନା ମଧ୍ୟ ଚତୁର୍ଦିଗରେ ସମାନ ବାଉଣ୍ଡରି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସୂଚନାଯୋଗ୍ୟ ସେଫାଳିଙ୍କ ପରେ ଦ୍ବିତୀୟ ଭାରତୀୟ ବ୍ୟାଟର୍‌ ଭାବେ ହର୍ମନପ୍ରୀତ କୌର ମଧ୍ୟ ଏକ ୯୦ ମିଟରରୁ ଊର୍ଦ୍ଧ୍ବ ଲମ୍ବା ଛକା ମାରିଥିଲେ। ଚଳିତ ବର୍ଷ ଚାରିଜଣ ୮୦ ମିଟରରୁ ଊର୍ଦ୍ଧ୍ବ ଲମ୍ବା ଛକା ମାରିଥିବା ବେଳେ ସେମାନଙ୍କ ମଧ୍ୟରେ ଆଉ ଦୁଇଜଣ ଭାରତୀୟ ସାମିଲ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button