ରାଜ୍ୟ

ସଭ୍ୟତା ମୋହଠାରୁ ଦୂରରେ ସାତକୋଶିଆ

ଆଦିମ ଜଙ୍ଗଲି ସ୍ୱଭାବର ପୂର୍ଣ୍ଡ ପ୍ରାକୃତିକ ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଏକ ବିରଳ ସ୍ଥାନ । ଏହା ଆଜି ମଧ୍ୟ ସଭ୍ୟତାର ମୋହଠାରୁ ବହୁ ଦୂରରେ । ପାହାଡ, ନଦୀ, ନାଳ ଓ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହେଉଛି ସାତକୋଶିଆ। ଶୀତ ଦିନ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ନୟାଗଡ଼ର ସାତକୋଶିଆ। ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ସେ ମୁଗ୍ଧକର  ହୋଇ ପଡିଛି । ତେବେ ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ସାତକୋଶିଆ ଅଭୟାରଣ୍ୟ ଗଠିତ। ଏହି ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ୨୨ କି.ମି ଲମ୍ବ। ହେଲେ ନୟାଗଡ଼ ନିକଟବର୍ତ୍ତୀ ସାତକୋଶିଆ ଅଭୟାରଣ୍ୟ ଦୃଶ୍ୟ ଖୁବ୍‌ ରୋମାଞ୍ଚକର।

ସମ୍ବର, ବାର୍କିଂ ହରିଣ, ଜଙ୍ଗଲି ବାରହା ଆଦି ଜୀବମାନଙ୍କର ଏହା ହେଉଛି ବାସସ୍ଥାନ। ଏହି ଅଭୟାରଣ୍ୟରେ ଚିତା, ମହାବଳ ବାଘ ମଧ୍ୟ ଦେଖିବାକୁ ମିଳନ୍ତି । କୋଚିଲାଖାଇ, ଫିସିଙ୍ଗ୍ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି, ଶାରୀ (ସୁନାକଣି ଓ ରୂପାକଣି) ଇତ୍ୟାଦି ପକ୍ଷୀ ମାନଙ୍କର ମଧୁର କାକଳିରେ ପ୍ରକୃତି ତା’ର ଶାନ୍ତି ଖେଳେଇଥାଏ। ବିରଳ ବାଦୁଡି, କଇଁଛ, ଗୁଣ୍ଡୁଚି, ଅହିରାଜ, ଅଜଗର, ଗୋଧି, ଘଡିଆଳ କୁମ୍ଭୀର, ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପର ସମ୍ଭାର ଏହି ସ୍ଥାନରେ ଦେଖିବାକୁ ମିଳେ । ପାହାଡର ଉପରି ଭାଗରେ ଶୀତଳପାଣି ଏକ ସ୍ଥାନ ରହିଛି ଯେଉଁଠାରେ ବର୍ଷତମାମ ବରଫପରି ଥଣ୍ଡାପାଣି ଉପଲବ୍ଧ । ମୂଲ୍ୟବାନ ପ୍ରଜାତିର ଶିଶୁକାଠ, ସାତକୋଶିଆ ଅଭୟାରଣ୍ୟରେ ରହିଛି । ଭବ୍ୟ ସାତକୋଶିଆ ଗଣ୍ଡ ଓ ବିଶାଳ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିବା ନିମନ୍ତେ ଛାମୁଣ୍ଡିଆ ନିକଟସ୍ଥ ବଡମୂଳଠାରେ ମହାନଦୀ ବନ୍ୟବିଭାଗ ତରଫରୁ ଏକ ସୁଉଚ୍ଚ ଟାଓ୍ୱାର ନିର୍ମାଣ କରାଯାଇଛି ।

ବଡମୂଳଠାରୁ ୮ କି.ମି. ଦୁର କୁତୁରୀଠାରେ ପଶୁମାନଙ୍କ ପ୍ରକୃତିକ ପ୍ରଜନନ କେନ୍ଦ୍ର ରହିଛି । ଅଭୟାରଣ୍ୟର ଜୀବଜନ୍ତୁଙ୍କ ନିମନ୍ତେ ମହାନଦୀ ବନ୍ୟ ବିଭାଗଦ୍ୱାର ପାଣିଟାଙ୍କି, ସଲ୍ଟଲିକ୍ , ଖାଦ୍ୟଉପଯୋଗୀ ଘାସ ଏବଂ ବୃକ୍ଷ ବାଟିକା ନିର୍ମାଣ କରାଯାଇ ଏହି କେନ୍ଦ୍ରକୁ ଆସୁଥିବା ବନ୍ୟ ଜୀବଜନ୍ତୁ ମାନଙ୍କୁ ସମୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଏ । ରାତିରେ ଜୀବଜନ୍ତୁଙ୍କ ଗତିବିଧି ଓ ଚାଲିଚଳନ ଲକ୍ଷ୍ୟ କରିବାପାଇଁ ଯାତ୍ରୀମାନଙ୍କ ନିମନ୍ତେ ବୃକ୍ଷ ଉପରେ ମଞ୍ଚ ଓ କୁଟୀର ବ୍ୟବସ୍ଥା ମଧ୍ୟ ରହିଛି । ସାତକୋଶିଆ ଅଭୟାରଣ୍ୟ ନୟାଗଡର ମହାନଦୀ ସଂରକ୍ଷିତ ଜଙ୍ଗଲ ଏବଂ ବୌଦ୍ଧ ଜିଲ୍ଲାର ନନ୍ଦାଗଡୁ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପିଛି ।

ଏହାର ସୌନ୍ଦର୍ଯ୍ୟକୁ ସ୍ପର୍ଶ କରିବା ପାଇଁ କାହିଁ କେତେ ଦୂରରୁ ଲୋକ ଏଠାକୁ ଆସିଥାନ୍ତି । ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାରୁ ବର୍ଷତମାମ ଲୋକଙ୍କ ଭିଡ଼ ଜମିଥାଏ ।

କେମିତି ପହଁଞ୍ଚିବେ:

ସାତକୋଶିଆ ଗଣ୍ଡ ରାଜଧାନୀ ଭୂବନେଶ୍ୱରଠାରୁ ଆନୁମାନିକ ୧00 କି.ମି. ଏବଂ ଗଣିଆଠାରୁ ୩0 କିମି ଦୂରରେ ଅବସ୍ଥିତ।ଏଠାକୁ ଆସିବା ପାଇଁ ନିକଟସ୍ଥ ରେଲଓ୍ୱେ ହେଉଛି ନୟାଗଡ ରେଲଓ୍ୱ ଷ୍ଟେସନ ଯାହା ସାତକୋଶିଆ ଠାରୁ ୩ କି.ମି ଦୂରରେ ଅବସ୍ଥିତ ।  ଏବଂ ବିଜୁପଟ୍ଟନାୟକ ବିମାନ ବନ୍ଦର,ଭୂବନେଶ୍ୱର ଏହାର ନିକଟସ୍ଥ ବିମାନବନ୍ଦର । ଭୂବନେଶ୍ୱର – ଗଣିଆ ଦେଇ ଯାଇଥିବା ରାଜପଥରେ ପର୍ଯ୍ୟଟକମାନେ ଏହି ସ୍ଥାନରେ ପହଞ୍ଚିପାରିବେ ।

ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟସେବା ନିମନ୍ତେ ଏହା ନିକଟରେ ଗଣିଆ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଏବଂ ନିକଟସ୍ଥ ବ୍ୟାଙ୍କ ହେଉଛି ଖଣ୍ଡପଡା ଷ୍ଟେଟ ବ୍ୟାଙ୍କ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button