ନିର୍ବାଚନରେ ଖରାକୁ ଡର: ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍ଆରସି – Kalinga News

[ad_1]
ହିଟ୍ୱେଭ୍ କଣ୍ଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ କର
ଭୁବନେଶ୍ୱର: ଏପ୍ରିଲ ୧୯ରୁ ଜୁନ୍ ୧ ମଧ୍ୟରେ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ଏହି ମହାପର୍ବ ପାଇଁ ଅବଗଣନା ଆରମ୍ଭ ହୋଇଥିବା ବେଳେ ଖରାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। କାରଣ ଏପ୍ରିଲ ଓ ମେ’ ମାସରେ ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି। ଏଭଳି ସମୟରେ ନିର୍ବାଚନୀ ଶୋଭାଯାତ୍ରା, ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଘରକୁ ଘର ବୁଲି ପ୍ରଚାର କରିବା ବଡ଼ ଆହ୍ବାନ ସୃଷ୍ଟି କରିବ। ଅଂଶୁଘାତ ପରି ସମସ୍ୟା ସୃଷ୍ଟି ହୋଇପାରେ। ତାହାର ମୁକାବିଲା କରିବା ସହ ଖରା ସମୟରେ କିଭଳି ସୁରୁଖୁରରେ ନିର୍ବାଚନ ପ୍ରଚାର ଓ ଭୋଟ ଗ୍ରହଣ ହୋଇପାରିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେଠାରୁ ଚିନ୍ତାପ୍ରକଟ କରିଛନ୍ତି। ହିଟ୍ୱେଭ୍ ମୁକାବିଲା ନେଇ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ମାନସମନ୍ଥନ କରିବା ସହ ଜିଲ୍ଲାସ୍ତରରେ କଣ୍ଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି) ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ସମ୍ପର୍କରେ ପୂର୍ବାନୁମାନ କରାଯାଇଛି। ଆକଳନ ଅନୁଯାୟୀ ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ତାହାକୁ ନଜରରେ ରଖି ରାଜ୍ୟଗୁଡ଼ିକ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍ଡିଏମ୍ଏ) ଗତ ୬ ତାରିଖରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ବିଭାଗ ପ୍ରମୁଖ ସଚିବ, ରିଲିଫ୍ କମିସନରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ଆଇଏମ୍ଡି ପକ୍ଷରୁ ୫ ଦିନ ପାଇଁ ପାଣିପାଗର ଆକଳନ କରାଯିବା ସହ ସହ ଦୈନିକ ଦୁଇଟି ବୁଲେଟିନ୍ ଜାରି କରାଯାଉଛି। ତାହାକୁ ନଜରରେ ରଖି ରାଜ୍ୟଗୁଡ଼ିକ ନିର୍ବାଚନ ପରିଚାଳନା ସହ ହିଟ୍ୱେଭ୍ ମୁକାବିଲା କରିବାକୁ ଯୋଜନା ପ୍ରସ୍ତୁତ କରିବେ। ଅତ୍ୟଧିକ ଖରାରୁ ଯେପରି ମୁକ୍ତି ମିଳିବ ସେଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଫେବ୍ରୁଆରି ୨୯ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟଗୁଡ଼ିକ ପାଇଁ ନିୟମାବଳୀ ଜାରି କରିଛି।
ଏନ୍ଡିଏମ୍ଏ କର୍ତ୍ତୃପକ୍ଷଙ୍କ ଚିଠି ଆଧାରରେ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ହିଟ୍ୱେଭ୍ ମୁକାବିଲା ପାଇଁ ପ୍ରସ୍ତୁତ କରିବାକୁ କହିଛନ୍ତି। ନିର୍ବାଚନ ସମୟରେ ବହୁ ସଂଖ୍ୟକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ହଜାର ହଜାର ଲୋକ ସାମିଲ ହେବାକୁ ଥିବାରୁ ଅଂଶୁଘାତ ପରି ସମସ୍ୟା ଉପୁଜିପାରେ। ତାହାର ମୁକାବିଲା କରିବାକୁ ବିଭିନ୍ନ ବିଭାଗ ସହ ସମନ୍ବୟ ରଖି ଜିଲ୍ଲାପାଳମାନେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ହିଟ୍ୱେଭ୍ କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ କରିବେ। ସାଧାରଣ ନିର୍ବାଚନ-୨୦୨୪ ସମୟରେ ପ୍ରଚଣ୍ଡ ଖରା ହେଉଥିବାରୁ ପାନୀୟ ଜଳ ସୁବିଧା ଉପଲବ୍ଧ କରିବା, ଅସ୍ଥାୟୀ ଆଶ୍ରୟ ସ୍ଥଳ, କାର୍ଯ୍ୟ ସମୟ ପରିବର୍ତ୍ତନ, ସ୍କୁଲ ଓ ଘରୋଇ ଶିକ୍ଷାନୁଷ୍ଠାନର ସମୟ ପରିବର୍ତ୍ତନ, ପାର୍କ କିମ୍ବା ସବୁଜ ଅଞ୍ଚଳକୁ ବ୍ୟବହାର କରିବା ଏବଂ ଜରୁରୀକାଳୀନ ମେଡିକାଲ ସେବା ପାଇଁ ଜିଲ୍ଲାପାଳମାନେ ଉପଯୁକ୍ତ ବ୍ୟବସ୍ଥା କରିବେ। ଏସ୍ଆରସିଙ୍କ ପକ୍ଷରୁ ଫେବ୍ରୁଆରି ୨୧ରେ ଜାରି ହୋଇଥିବା ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
[ad_2]