ଖେଳ ଖବର

ଆର୍‌ସିବିକୁ ପ୍ରଥମ ଟ୍ରଫି: ଦିଲ୍ଲୀ ପୁଣି ଫାଇନାଲ୍‌ରେ ଝୁଣ୍ଟିଲା – Kalinga News

[ad_1]

ନୂଆଦିଲ୍ଲୀ: ପୁରୁଷ ଯାହା କରିପାରିନାହାନ୍ତି, ମହିଳା ତାହା କରି ଦେଖାଇଛନ୍ତି। ୨୦୦୮ ମସିହାରେ ଗଠିତ ହେବାର ୧୬ବର୍ଷ ପରେ ୨୦୨୪ରେ ପ୍ରଥମ ଟ୍ରଫି ଜିତିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ପ୍ରଥମ ଥର ଡବ୍ଲୁପିଏଲ୍ (ମହିଳା ଆଇପିଏଲ୍‌) ଫାଇନାଲ୍‌ ଖେଳି ଟ୍ରଫି ଜିତି ନେଇଛି ଆର୍‌ସିବିର ମହିଳା ଦଳ। ଫଳରେ ପ୍ରଶଂସକଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ରବିବାର ବହୁ ପ୍ରତୀକ୍ଷିତ ଫାଇନାଲ୍ ଲଢ଼େଇରେ ଆର୍‌ସିବି ପ୍ରଥମେ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧୧୩ ରନ୍‌ରେ ଅଟକାଇ ଦେଇଥିଲା। ପରେ ମାତ୍ର ୨ ୱିକେଟ୍ ହରାଇ ୧୧୪ ରନ୍‌ର ଲକ୍ଷ୍ୟକୁ ସହଜରେ ହାସଲ କରିବା ସହ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଥିଲା। ଅନ୍ୟପକ୍ଷରେ ଦିଲ୍ଲା ଲଗାତାର ଦ୍ବିତୀୟ ଥର ଫାଇନାଲ୍‌ରେ ଝୁଣ୍ଟି ଉପବି‌ଜେତାରେ ସନ୍ତୁଷ୍ଟ ରହିଥିଲା। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କ୍ରିକେଟ୍‌ର ଅନ୍ୟତମ ଗ୍ଲାମର୍ ଗର୍ଲ ଏଲିସ୍ ପେରି ଆର୍‌ସିବିକୁ ଜିତାଇଥିଲେ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପାଳି ‘ଦ୍ରୁତ ଆରମ୍ଭ, ଦୁର୍ବଳ ଶେଷ’ ଭଳି ଥିଲା। ଯୁବା ଓପନର ଶେଫାଳି ବର୍ମା (୪୪ ରନ୍, ୨୭ ବଲ୍) ଓ ଅଧିନାୟିକା ମେଗ୍ ଲାନିଂ (୨୩ ବଲ୍, ୨୩ ରନ୍) ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ପାୱାର ପ୍ଲେ’ରେ କୌଣସି ୱିକେଟ୍ ନହରାଇ ୬୦ ରନ୍ ଯୋଡ଼ିଥିଲେ। ‌‌ହେଲେ ଏହା ପରେ ଦଳ ଯେମିତି ଅଚାନକ ଦିଗ ହରାଇ ବସିଥିଲା। ସେପଟେ ନିର୍ମମ ପ୍ରହାର ସତ୍ତ୍ବେ ଆର୍‌ସିବି ସ୍ପିନର୍‌ମାନେ ଧୈର୍ଯ୍ୟ ନହରାଇ ଲାଇନ୍ ଲେନ୍ଥକୁ ଠିକ୍ ରଖିବା ସହ ଶୃଙ୍ଖଳିତ ବୋଲିଂ ଉପରେ ଜୋର୍ ଦେଇଥିଲେ। ଯାହାର ଫଳ ଅଷ୍ଟମ ଓଭରର ପ୍ରଥମ ବଲ୍‌ରେ ଶେଫାଳିଙ୍କ ୱିକେଟ୍‌ ରୂପରେ ମିଳିଥିଲା। ଏହି ଓଭରରେ ଜେମିମା ରଡ୍ରିଗ୍ବେଜ୍ ଓ ଆଲିସ୍ କ୍ୟାପ୍‌ସି ମଧ୍ୟ ନିଜ ନିଜ ୱିକେଟ୍ ହରାଇଥିଲେ। ତିନି ଜଣଯାକଙ୍କୁ ସୋଫି ମୋଲିନକ୍ସ ୪ ବଲ୍ ଭିତରେ ଆଉଟ୍ କରି ଦିଲ୍ଲା ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଛକା, ଚୌକା ବର୍ଷା କରୁଥିବା ଶେଫାଳି ଅର୍ଦ୍ଧଶତକଠାରୁ ୬ ରନ୍ ଦୂରରେ ଥିଲା ‌ବେଳେ ସୋଫିଙ୍କ ପ୍ରଥମ ଶିକାର ହୋଇଥିଲେ। ପରବର୍ତ୍ତୀ ବଲ୍‌କୁ ରଡ୍ରିଗ୍ବେଜ୍ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ହେଲେ ତୃତୀୟ ଓ ଚତୁର୍ଥ ବଲ୍‌ରେ ତାଙ୍କ ସହ କ୍ୟାପସିଙ୍କୁ କ୍ଲିନ୍ ବୋଲ୍ଡ କରି ସୋଫି ହିଁ ଆର୍‌ସିବିକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ପରେ ଶ୍ରୀୟଙ୍କା ପାଟିଲ ମଧ୍ୟ ନିଜ ଯାଦୁ ଦେଖାଇଥିଲେ। ସୋଫି-ଶ୍ରୀୟଙ୍କାଙ୍କ ବାମ-ଡାହାଣ ସ୍ପିନର୍‌ ଯୋଡ଼ି ୭ ୱିକେଟ୍ ବାଣ୍ଟିନେବା ପରେ ଦ୍ବିତୀୟ ଥର ଫାଇନାଲ୍ ଖେଳୁଥିବା ଦିଲ୍ଲୀ ମାତ୍ର ୫୦ ରନ୍‌ରେ ସମସ୍ତ ୧୦ ୱିକେଟ୍ ହରାଇଥିଲା। ୯ବଲ୍ ପୂର୍ବରୁ ମାତ୍ର ୧୧୩ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ସେଥିମଧ୍ୟରୁ ଆର୍‌ସିବି ସ୍ପିନର୍‌ ୯ ୱିକେଟ୍ କରାୟତ୍ତ କରିଥିଲା ବେଳେ ଗୋଟିଏ ୱିକେଟ୍ ରନ୍‌ଆଉଟ୍‌ରୁ ଆସିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button