ଖେଳ ଖବର

ଚର୍ଚ୍ଚାରେ ଖାନ୍‌ ଭ୍ରାତା ରାଜ୍ କରିବେ ମୁସୀର୍‌ ଓ ସର୍ଫରାଜ୍ – Kalinga News

[ad_1]

ସୁରେଶ ସ୍ବାଇଁ

ବିଶ୍ବ କ୍ରିକେଟ୍‌ରେ ଭାଇ ଭାଇ ଯୋଡ଼ିଙ୍କ ଉଦାହରଣ କିଛି କମ୍ ନାହିଁ। ଭାରତ‌ରେ ମଧ୍ୟ ଏହି ତାଲିକା ‌ବେଶ୍‌ ଲମ୍ବା। କିନ୍ତୁ, ଖାନ୍ ଭାଇ ସର୍ଫରାଜ୍‌ ଓ ମୁସୀର୍‌ଙ୍କ ଚର୍ଚ୍ଚା ଏବେ ଚାରିଆଡ଼େ। ଖେଳ ଜୀବନ ଆରମ୍ଭରୁ ଏହି ଦୁଇ ଭାଇଙ୍କ ଆଲୋଚନା ଅନ୍ୟମାନଙ୍କୁ ଢେର୍‌ ପଛରେ ପକାଇ ଦେଇଛି। ଆଉ ଏହାର ଅନେକ ବଳିଷ୍ଠ କାରଣ ବି ରହିଛି। ଭାରତୀୟ କ୍ରିକେଟ୍‌ରେ ଢେର୍‌ ଦିନଯାଏଁ ଏହି ଖାନ୍ ଭ୍ରାତାଙ୍କ ରାଜ୍ ଜାରି ରହିବ ବୋଲି କ୍ରିକେଟ୍‌ ବିଶାରଦ ଆକଳନ କରୁଛନ୍ତି।

ଅପୂର୍ବ କୃତିତ୍ବ, ସଫଳତା ଓ ସଂଯୋଗର ତ୍ରିବେଣୀ ସଂଗମ ଦୁଇ କ୍ରିକେଟର୍‌ ଭାଇ ସର୍ଫରାଜ୍‌ ଓ ମୁସୀର୍‌ଙ୍କୁ ଆଲୋଚନାର ପରିସରକୁ ଆଣିଛି। ବେଶ୍ କିଛି ବର୍ଷ ହେବ ଘରୋଇ କ୍ରିକେଟ୍ ଖେଳୁଥିଲେ ମଧ୍ୟ ଏହି ଦୁଇ ଭାଇଙ୍କୁ ଅପ୍ରତ୍ୟାଶିତ ଭା‌ବେ ଶିଖରରେ ପହଞ୍ଚିବାର ସୁଯୋଗ ଆଣିଦେଇଛି ୨୦୨୪। ବର୍ଷ ଆରମ୍ଭ ହୋଇଥିଲା ସାନଭାଇ ମୁସୀର୍‌ଙ୍କ କନିଷ୍ଠ ବିଶ୍ବକପ୍ (୧୯ ବର୍ଷରୁ କମ୍‌)ର ପଦାର୍ପଣ ପ୍ରଦର୍ଶନରୁ। ଭାରତକୁ ଫାଇନାଲ୍‌ରେ ପହଞ୍ଚାଇବ‌ାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଏହି ଉଦୀୟମାନ ବ୍ୟାଟର୍‌। ମୋଟ ୩୬୦ ରନ୍ ସଂଗ୍ରହ କରି ସେ ଭାରତର ଦ୍ବିତୀୟ ଅଗ୍ରଣୀ ସ୍କୋରର୍ ହୋଇଥିଲେ। ପ୍ରତିଯୋଗିତାର ଗୋଟିଏ ସଂସ୍କରଣରେ ଏକାଧିକ ଶତକ ହାସଲ କରିବାରେ ସେ ନୂଆ ଫର୍ଦ୍ଦ ଯୋଡ଼ିଥିଲେ। ସେଠାରୁ ‌ଫେରିବା ପରେ ୧୯ ବର୍ଷୀୟ ମୁସୀର୍‌ଙ୍କୁ ସିଧାସଳଖ ମୁମ୍ବାଇ ରଣଜୀ ଦଳରେ ସାମିଲ କରି ଦିଆଯାଇଥିଲା। ବହୁ ବଡ଼ ତାରକାଙ୍କୁ ପଛରେ ପକାଇ ମୁସୀର୍‌ ସୁଯୋଗର ପୂର୍ଣ୍ଣ ସଦୁପଯୋଗ କରିବାରେ ଅବହେଳା କରି ନ ଥିଲେ। ତାଙ୍କ ଦ୍ବିଶତକ ବଳରେ ମୁମ୍ବାଇ ରଣଜୀ କ୍ବାର୍ଟର୍‌ ଫାଇନାଲ୍‌ରେ ବରୋଦାକୁ ପରାସ୍ତ କରିଥିଲା। କେବଳ ଏତିକି ନୁହେଁ, ବିଦର୍ଭ ବିପକ୍ଷ ଫାଇନାଲ୍‌ର ଦ୍ବିତୀୟ ପାଳିରେ ସେ ଶତକ (୧୩୬) ମାରି ମୁମ୍ବାଇକୁ ୪୨ତମ ରଣଜୀ ଟ୍ରଫି ପ୍ରଦାନ ସହ ଲିଟିଲ୍ ଚାମ୍ପ୍‌ ପାଲଟିଛନ୍ତି।

ଅଜିଙ୍କ୍ୟ ରାହାଣେ ଓ ଶ୍ରେୟସ୍‌ ଆୟର୍‌ଙ୍କ ସହ ଦୁଇଟି ଶତକୀୟ ଭାଗୀଦାରି ମଧ୍ୟ ତାଙ୍କ ପାଖରେ ପ୍ରଥମ ଶ୍ରେଣୀ କ୍ରି‌କେଟ୍ କ୍ଷମତାର ସମସ୍ତ ଗୁଣ ଥିବା ପ୍ରମାଣ ଛାଡ଼ିଛି। ଫାଇନାଲ୍ ଶତକ ପରିପ୍ରେକ୍ଷୀରେ ସେ ମଧ୍ୟ ସଚିନ ତେନ୍ଦୁଲ୍‌କର୍‌ଙ୍କ ନାମରେ ଥିବା ୨୯ ବର୍ଷ ତଳ ରେକର୍ଡର ସମକକ୍ଷ ହୋଇଥିଲେ। ୧୯୯୪-୯୫ରେ ସଚିନ ପଞ୍ଜାବ ବିପକ୍ଷ ଫାଇନାଲ୍‌ରେ ଶତକ (୧୪୦) ହାସଲ କରିଥିଲେ। ରଣଜୀ ଟ୍ରଫି ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ହେବାରେ ମୁସୀର୍‌ ଆଉ ଏକ ଐତିହାସକ ମୁହୂର୍ତ୍ତ ଯୋଡ଼ିଛନ୍ତି। ମାତ୍ର ୧୯ ବର୍ଷ ୧୬ ଦିନରେ ସର୍ବକନିଷ୍ଠ ଖେଳାଳି ଭାବେ ରଣଜୀ ଟ୍ରଫି ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ହୋଇ ଶ୍ରେୟସ୍‌ ଆୟର (୨୧ ବର୍ଷ ୮୩ ଦିନ, ୨୦୧୬)ଙ୍କୁ ପଛରେ ପକାଇଛନ୍ତି।। ଜାହିର୍‌ ଖାନ୍ (୨୨ ବର୍ଷ ୧୯୮ ଦିନ, ୨୦୦୧) ଓ କେଏଲ୍ ରାହୁଲ୍ (୨୧ ବର୍ଷ ୨୯୧ ଦିନ, ୨୦୧୪) ମଧ୍ୟ ଏହି ତାଲିକାରେ ପଛରେ ପଡ଼ିଯାଇଛନ୍ତି। ମୁସୀର୍‌ଙ୍କ ଈର୍ଷଣୀୟ ସଫଳତା ସହ ତାଳ ଦେଇ ବଡ଼ଭାଇ ସର୍ଫରାଜ୍‌ ବି ସର୍ବୋଚ୍ଚ ଫର୍ମାଟ୍‌ ଟେଷ୍ଟ୍ କ୍ରିକେଟ୍‌ରେ ଧମାକାଦାର ପ୍ରବେଶ କରିଛନ୍ତି। ଇଂଲଣ୍ଡ ବିପକ୍ଷ ରାଜକୋଟ ଟେ‌‌ଷ୍ଟ୍‌ ପଦାର୍ପଣର ଉଭୟ ପାଳିରେ ଅର୍ଦ୍ଧଶତକ (୬୨, ୬୮) ହାସଲ କରି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି ସର୍ଫରାଜ୍‌। ଦୈନିକ ୫୦୦/୬୦୦ ବଲ୍‌ ଅଭ୍ୟାସ କରି ପ୍ରଥମ ‌ଶ୍ରେଣୀ କ୍ରିକେଟ୍‌କୁ ଆସିଥିବା ସର୍ଫରାଜ୍‌ ଅଲ୍‌ରାଉଣ୍ଡର୍‌ ମୁସୀର୍‌ଙ୍କଠାରୁ ୭ ବର୍ଷ ବଡ଼। ସର୍ଫରାଜ୍‌ ମଧ୍ୟ ଦୁଇଥର (୨୦୧୪, ୨୦୧୬) ୧୯ ବର୍ଷରୁ କମ୍‌ କନିଷ୍ଠ ବିଶ୍ବକପ୍‌ ଖେଳିଛନ୍ତି। ନିଜ କ୍ରୀଡ଼ାଶୈଳୀ ନେଇ ସର୍ଫରାଜ୍‌ କହନ୍ତି, ‘‘ମୁଁ କାଳେ ପାକିସ୍ତାନର ଜାଭେଦ ମିଆଁଦାଦ୍‌ଙ୍କ ଭଳି ଖେଳିଥାଏ ବୋଲି ପିତା ତଥା ପ୍ରଶିକ୍ଷକ ନୌସାଦ୍‌ ଖାନ୍‌ କହିଥାନ୍ତି। ମୁଁ କିନ୍ତୁ ବିରାଟ କୋହଲି, ଏବି ଡି’ଭିଲିୟର୍ସ, ଭିଭିଆନ୍ ରିଚାର୍ଡସଙ୍କ ଦ୍ବାରା ଅନୁପ୍ରାଣିତ।’’ ତେଣେ ରବୀନ୍ଦ୍ର ଜାଡ଼େଜା ଓ କେଏଲ୍ ରାହୁଲଙ୍କ ବଦଳରେ ପାଇଥିବା ସୁଯୋଗକୁ ସର୍ଫରାଜ୍‌ ଏଭଳି ହାତେଇଛନ୍ତି ଯେ ଚୟନକର୍ତ୍ତା ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି।

ଦୁଇପୁଅ ସର୍ଫରାଜ୍‌ ଓ ମୁସୀର୍‌ଙ୍କ ଖେଳ ଜୀବନକୁ ନିଜ ହାତରେ ଗଢ଼ିଛନ୍ତି ତାଙ୍କ ପିତା ନୌସାଦ୍‌। ଇକବାଲ୍ ଅବଦୁଲା ଓ କାମ୍‌ରାନ୍ ଖାନ୍‌ଙ୍କ ଭଳି ଖେଳାଳି ସୃଷ୍ଟି କରିଥିଲେ ନୌସାଦ୍‌ ଏବେ ଦୁଇ ପୁଅଙ୍କ ମାଧ୍ୟମରେ ନିଜ ଅଧୁରା ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି। କନିଷ୍ଠ ବିଶ୍ବକପ୍‌ରେ ମୁସୀର୍‌ ଶତକ ହାସଲ କରିବା ଦିନ ସର୍ଫରାଜ୍‌ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଶତକ ହାସଲ କରି ଗୋଟିଏ ଦିନରେ ଦୁଇଭାଇ ଅଲଗା ଅଲଗା ଟୁର୍ଣ୍ଣାମେଣ୍ଟ୍‌ରେ ଶତକ ମାରିବାର ବିରଳ ସଫଳତା ମଧ୍ୟ ପାଇଛନ୍ତି। ମୁସୀର୍‌ଙ୍କୁ ‌ଆଇପିଏଲ୍ ଚୁକ୍ତି ମିଳିନାହିଁ, ସର୍ଫରାଜ୍ କିନ୍ତୁ ତିନି (ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍‌ସ୍‌, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌) ଦଳରୁ ଖେଳି ସାରିଛନ୍ତି। ୨୦୧୫ରେ ମାତ୍ର ୧୭ ବର୍ଷ ୧୭୭ ଦିନରେ ଆଇପିଏଲ୍‌ରେ ପଦାର୍ପଣ କରି ସର୍ବକନିଷ୍ଠ ରେକର୍ଡ ମଧ୍ୟ ରଖିଛନ୍ତି। ମୁମ୍ବାଇର ହାରିସ୍ ଫିଲ୍ଡ ପ୍ରତିଯୋଗିତାରେ ୪୩୯ ରନ୍‌ର ପାଳି ଖେଳି ସଚିନ ତେନ୍ଦୁଲ୍‌କର୍‌ ୧୯୮୮ ମସିହାରେ ପ୍ରତିଷ୍ଠା କରିଥିବା ରେକର୍ଡକୁ ପଛରେ ପକାଇବା ପରଠାରୁ ସର୍ଫରାଜ୍‌ଙ୍କ ରାଜ୍ ଆରମ୍ଭ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button