ରାଜନୀତି

ନିର୍ବାଚନୀ ବଣ୍ଡ୍‌ ମାମଲା: ଷ୍ଟେଟ୍ ବ୍ୟାଙ୍କ ଉପରେ କ୍ଷୁବ୍ଧ – Kalinga News

[ad_1]

୨୪ ଘଣ୍ଟାରେ ତଥ୍ୟ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍‌ ମାମଲାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଟାଳଟୁଳ ନୀତି ନେଇ ସୁପ୍ରିମ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ନିର୍ବାଚନ କମିସନଙ୍କୁ ବଣ୍ଡ୍ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିବା ଲାଗି ଜୁନ୍ ୩୦ ପର୍ଯ୍ୟନ୍ତ ମହଲତ ଦେବାପାଇଁ ଷ୍ଟେଟ୍ ବ୍ୟାଙ୍କର ପିଟିସନକୁ ଖାରଜ କରିଦେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୪ ଘଣ୍ଟା ଭିତରେ ଏହି ତଥ୍ୟ ଦେବାକୁ ପଡ଼ିବ। ଏଥିରେ ବିଫଳ ହେଲେ ଷ୍ଟେଟ୍ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଏହି ତଥ୍ୟକୁ ନିର୍ବାଚନ କମିସନ ଆସନ୍ତା ଶୁକ୍ରବାର ବା ୧୫ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ୱେବସାଇଟ୍‌ରେ ସାର୍ବଜନୀନ କରିବା ପାଇଁ କମିସନଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଫେବ୍ରୁଆରି ୧୫‌ ତାରିଖରେ ନିର୍ବାଚନୀ ବଣ୍ଡ୍‌କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରିବା ସହିତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ବଣ୍ଡ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କୁ ଦେବାଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ ୪ ତାରିଖରେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୋର୍ଟରେ ପିଟିସନ ଦାଖଲ କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ଦାଖଲ ସମ୍ଭବ ନୁହେଁ ବୋଲି କୁହାଯାଇଥିଲା। ତଥ୍ୟ ଦାଖଲ ପାଇଁ ଜୁନ୍ ୩୦ ତାରିଖ ସୁଦ୍ଧା ମହଲତ ଦେବାକୁ ଅନୁରୋଧ କରାଯାଇଥିଲା।

ଷ୍ଟେଟ୍ ବ୍ୟାଙ୍କ ପିଟିସନ ଖାରଜ
୧୨ ଅପରାହ୍ନ ସୁଦ୍ଧା ତଥ୍ୟ ଦେବ
୧୫ ତାରିଖରେ ସାର୍ବଜନୀନ କରିବେ ନିର୍ବାଚନ କମିସନ

ଆଜି ଏହି ପିଟିସନର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱ‌ାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଅଦାଲତ ଅବମାନନା ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଉପରେ ଭୀଷଣ ବର୍ଷିଥିଲେ। ୨୬ ଦିନ ହେଲା କ’ଣ କରୁଥିଲ ବୋଲି ବ୍ୟାଙ୍କକୁ ପ୍ରଶ୍ନ କରିଥିଲେ। ପ୍ରଧାନ ବିଚାରପତି କହିଥିଲେ ଯେ ଦାତାଙ୍କ ବିସ୍ତୃତ ତଥ୍ୟ ବନ୍ଦ ଲଫାପା ଭିତରେ ବ୍ୟାଙ୍କ୍‌ର ମୁମ୍ବାଇ ଶାଖାରେ ରଖାଯାଇଥିବା ଆମକୁ କୁହାଯାଇଥିଲା। ବିଚାରପତି ସଞ୍ଜୀବ ଖାନ୍ନା ମଧ୍ୟ କହିଥିଲେ ଯେ ତୁମକୁ ବନ୍ଦ ଲଫାପାକୁ କେବଳ ଖୋଲି ସେହି ତଥ୍ୟ ଦେବାକୁ ପଡ଼ିବ। ଏହାର ଉତ୍ତରରେ ଏସ୍‌ବିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ ଯୁକ୍ତି ଦର୍ଶାଇଥିଲେ ଯେ ନିର୍ବାଚନୀ ବଣ୍ଡ୍‌ ପରିଚାଳନା ପାଇଁ ଏସ୍‌ବିଆଇ ଏହାର କୋର୍‌ ବ୍ୟାଙ୍କିଂ ସଲ୍ୟୁସନ୍‌ (ସିବିଏସ୍‌) ବାହାରେ ସୂଚନା ସଂରକ୍ଷଣ ପାଇଁ ଏକ ମାନକ କର୍ମ ସଂପାଦନ ପ୍ରକ୍ରିୟା (ଏସ୍‌ଓପି) ପାଳନ କରିଛି। ଆଦେଶକୁ ପାଳନ କରିବା ପାଇଁ ଆମକୁ ଆଉ କିଛି ଅଧିକ ସମୟ ଦରକାର। ସୂଚନା ସଂଗ୍ରହ ପାଇଁ ଆମେ ଉଦ୍ୟମ ଚଳାଇଛୁ। ଏଥିପାଇଁ ଆମକୁ ସଂପୂର୍ଣ୍ଣ ପକ୍ରିୟାର ମୂଳକୁ ଯିବାକୁ ପଡ଼ୁଛି। ବ୍ୟାଙ୍କ ହିସାବରେ ଆମକୁ ଉକ୍ତ ତଥ୍ୟକୁ ଗୋପନ ରଖିବାକୁ କୁହାଯାଇଥିଲା। ସାଲଭେ କହିଥିଲେ ବଣ୍ଡ୍‌ କିଏ କିଣିଥିଲେ‌, କେଉଁଠାରୁ ଅର୍ଥ ଆସିଛି ଏବଂ କେଉଁ ରାଜନୈତିକ ଦଳ କେତେ ପାଇଛନ୍ତି ତାହାର ବିସ୍ତୃତ ତଥ୍ୟ ରହିଛି। ବର୍ତ୍ତମାନ କ୍ରେତାଙ୍କ ନାମକୁ ମଧ୍ୟ ରଖିବାକୁ ପଡ଼ିବ। ସେହି ନାମଗୁଡ଼ିକୁ ସଂକଳିତ କରିବା ସହିତ ବଣ୍ଡ୍‌ ନମ୍ବର ସହିତ ପୁନର୍ବାର ମିଳାଇବାକୁ ହେବ। ଉକ୍ତ ତଥ୍ୟ ମିଳାଇବା କାର୍ଯ୍ୟ ସମୟସାପେକ୍ଷ। ଏହାପରେ ଖଣ୍ଡପୀଠ କହିଥିଲେ ଯେ ଆମେ ତୁମକୁ ଏହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇ ନଥିଲୁ। ତେଣୁ ଏହି କାର୍ଯ୍ୟ କରିବାର କୌଣସି ଆବଶ୍ୟକତା ନଥିଲା। ଏହି ରାୟକୁ ମାନିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ ରାୟ ଦିଆଯିବାର ଗତ ୨୬ ଦିନ ଭିତରେ ବ୍ୟାଙ୍କ କି କାର୍ଯ୍ୟ କରୁଥିଲା। ଏ ନେଇ ‌ଏସବିଆଇଠାରୁ ନିଷ୍କପଟତା ଆଶା କରାଯାଉଥିଲା। ବ୍ୟାଙ୍କ ଜାଣିଶୁଣି କୋର୍ଟ ଆଦେଶ କାର୍ଯ୍ୟକାରୀ କରିନାହିଁ। ପ୍ରଧାନ ବିଚାରପତି ଏହା ମଧ୍ୟ କହିଥି‌ଲେ ଯେ ଏସ୍‌ବିଆଇର ଜଣେ ବରି‌ଷ୍ଠ ଅଧିକାରୀ ଏକ ଆଫିଡେଭିଟ୍‌ ଦାଖଲ କରିଥିଲେ। ସମ୍ବିଧାନ ପୀଠ ଦେଇଥିବା ରାୟରେ ସଂଶୋଧନ ପାଇଁ ସେ ଏହା କରିଥିଲେ। ଏହା ଏକ ଗମ୍ଭୀର ବିଷୟ।

ଅନ୍ୟପକ୍ଷରେ ଏସ୍‌ବିଆଇ ପିଟିସନକୁ ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏଡିଆର୍‌ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ଉକ୍ତ ତଥ୍ୟ ଯେଭଳି ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ନମିଳିବ ସେଥିପାଇଁ ଶେଷ ମୁହୂର୍ତ୍ତରେ ବ୍ୟାଙ୍କ ଅଧିକ ସମୟ ମାଗିଛି। କିନ୍ତୁ ସାଲଭେ କହିଥିଲେ ଯେ ଉକ୍ତ କାର୍ଯ୍ୟ ସଂପାଦନ ପାଇଁ ଆଉ ୩ ମାସ ସମୟ ଲାଗିବ। ‌ମୁଁ ତ୍ରୁଟି କରିପାରିବି ନାହିଁ। ତ୍ରୁଟି କରିଲେ ଦାତାମାନେ ମୋ ନାମରେ ମାମଲା ରୁଜୁ କରିବେ। ତଥ୍ୟ ଯେଭଳି ଲିକ୍‌ ନହେବ ସେଥିପାଇଁ ଏଭଳି ପ୍ରକ୍ରିୟା ଅବଲମ୍ବନ କରାଯାଇଛି। ତେବେ ବ୍ୟାଙ୍କ ପକ୍ଷରୁ ଉପସ୍ଥାପିତ ସମସ୍ତ ଯୁକ୍ତିକୁ କୋର୍ଟ ଖାରଜ କରିଦେଇ କହିଥିଲେ ଯେ ଆସନ୍ତାକାଲି ସୁଦ୍ଧା ବ୍ୟାଙ୍କ ପକ୍ଷରୁ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କୁ ଦେବାକୁ ପଡ଼ିବ। ୧୫ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ୱେବସାଇଟ୍‌ରେ ସାର୍ବଜନୀନ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଐତିହାସିକ ରାୟରେ ନିର୍ବାଚନୀ ବଣ୍ଡ୍‌ ଯୋଜନାକୁ ବେଆଇନ ଘୋଷଣା କରିଥିଲେ। ଏହା ଭାରତୀୟ ନାଗରିକଙ୍କର ସୂଚନା ଅଧିକାର ଆଇନର ଉଲ୍ଲଂଘନ କରୁଛି ବୋଲି କହିଥିଲେ। ଏଥିସହିତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଏ ବାବଦରେ ମିଳିଥିବା ଚାନ୍ଦାର ବିସ୍ତୃତ ତଥ୍ୟ ନିର୍ବାଚନ କମିସନଙ୍କୁ ପ୍ରଦାନ କରିବା ଲାଗି ଷ୍ଟେଟ୍ ବ୍ୟାଙ୍କକୁ କହିଥି‌ଲେ। ଏହାର ୭ ଦିନ ଭିତରେ ଅର୍ଥାତ୍ ମାଚ୍ଚ ୧୩ ତାରିଖ ସୁଦ୍ଧା ନିର୍ବାଚନ କମିସନ ଏହିସବୁ ତଥ୍ୟ ଏହାର ୱେବସାଇଟ୍‌ରେ ସାର୍ବଜନୀନ କରିବାକୁ କୁହାଯାଇଥିଲା। ଏଡିଆର୍‌ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆଜିା ରାୟକୁ ସ୍ବାଗତ କରିଛନ୍ତି। ‌ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଯେଉଁ ତଥ୍ୟ ମାଗିଥିଲେ ତାହା ବ୍ୟାଙ୍କ ନିକଟରେ ଉପଲବ୍ଧ ରହିଛି। ଏସବିଆଇ ମଧ୍ୟ ସତ୍ୟପାଠରେ ଏହା ଦର୍ଶାଇଛି। କିଏ ଦାନ ଦେଇଛି ଏବଂ କେଉଁ ଦଳ ଦାନ ନେଇଛି, କେବଳ ସେହି ତଥ୍ୟ ବ୍ୟାଙ୍କକୁ ଦାଖଲ କରିବାକୁ ହେବ। ତଥ୍ୟ ମିଳାଇବାର ଆବଶ୍ୟକତା ନାହିଁ। କେବଳ ନିର୍ବାଚନ କମିସନଙ୍କୁ ଦାଖଲ କରିବାକୁ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button