ଦ୍ବନ୍ଦ୍ବ ହଟୁନି, ଚର୍ଚ୍ଚା ଥମୁନି: ପୁଣି ଦିଲ୍ଲୀ ଗଲେ ବିଜେପି ନେତା – Kalinga News

[ad_1]
ତୁହାକୁତୁହା ଆଲୋଚନା ଜାରି, ଆଜି ହୋଇପାରେ ନିଷ୍ପତ୍ତି
ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ବିଜେଡିର ଶୀର୍ଷ ନେତା ନିରବ। ସମ୍ଭାବ୍ୟ ମେଣ୍ଟକୁ ବାଏଁ ବାଏଁ ଉଡ଼ାଉଛନ୍ତି ବିଜେପି ରାଜ୍ୟ ନେତା ଓ ପ୍ରଭାରୀ। ହେଲେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମୁନି, ବରଂ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ଉଭୟ ଦଳର ଛାମୁଆ ନେତା ଓ କର୍ମୀଙ୍କ ଆଶା-ଆଶଙ୍କା ମଧ୍ୟ ବହୁଗୁଣିତ ହେଲାଣି। ଠିକ୍ ଏମିତି ସମୟରେ ଆଜି ରାଜ୍ୟ ବିଜେପି ନେତାମାନଙ୍କୁ ପୁଣି ଦିଲ୍ଲୀ ଡକାଯାଇଛି। ସୋମବାର ଦିନ ହିଁ ମେଣ୍ଟ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି। ବିଜେଡି ଓ ବିଜେପିର ଉପର ମହଲ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମେଣ୍ଟ ଆପାତତଃ ଚୂଡ଼ାନ୍ତ। କେବଳ ଆସନ ଭାଗବଣ୍ଟାରେ କିଛିଟା ସମସ୍ୟା ରହିଛି। ଏହା ଦିନେ କିମ୍ବା ଦୁଇ ଦିନ ଭିତରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇଯାଇପାରେ। ମେଣ୍ଟ ନେଇ ଥରେ ନୁହେଁ, ଏକାଧିକ ବାର ଦିଲ୍ଲୀରେ ବିଜେଡି ସହ ବିଜେପି କେନ୍ଦ୍ର ନେତୃତ୍ବ ଆଲୋଚନା କରିଛନ୍ତି। ବିଜେପି ରାଜ୍ୟ ନେତାଙ୍କ ସହିତ ବି କେନ୍ଦ୍ରୀୟ ବିଜେପି ନେତାଙ୍କ ଆଲୋଚନା ହୋଇଛି। ଏହାସତ୍ତ୍ବେ କୌଣସି ଅଜଣା କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ଆଲୋଚନାକୁ ସିଧା ଫାଙ୍କି ଦେଇ ଦ୍ବନ୍ଦ୍ବ ବଢ଼ାଉଛନ୍ତି। ତାଙ୍କ ସ୍ବରରେ ସ୍ବର ମିଶାଇ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ମେଣ୍ଟ ଚର୍ଚ୍ଚାକୁ ମିଛ ବୋଲି କହିଛନ୍ତି। ପୁଣି ଆଜି ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରି କହିଛନ୍ତି, ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ଉଭୟ ବିଧାନସଭା ଓ ଲୋକସଭା ପାଇଁ ଦଳ ପ୍ରସ୍ତୁତି କରୁଛି। ଗୋଟିଏ ଗୋଟିଏ ଆସନ ପାଇଁ ଆଲୋଚନା ହୋଇଛି। ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ବିଜେପି ନେତାଙ୍କ ଦୃଢୋକ୍ତି ପରେ ପରେ ହଠାତ୍ ଅପରାହ୍ନରେ ବିଜେପି ରାଜ୍ୟ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡକାଯାଇଛି। ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି। ଓଡ଼ିଶାରେ ଥିବା ବିଜେପିର ନିର୍ବାଚନ ପ୍ରଭାରୀ ଶ୍ରୀ ତୋମାର ଓ ସହପ୍ରଭାରୀ ବି ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ମେଣ୍ଟ ଉପରେ ଆଲୋଚନା ହୋଇ ଚୂଡ଼ାନ୍ତ ହେବ କି ନାହିଁ, ତାହା ଏହି ନେତାମାନେ ସ୍ପଷ୍ଟ କରି ନାହାନ୍ତି। ଯିବା ପୂର୍ବରୁ ପ୍ରଭାରୀ ଶ୍ରୀ ତୋମାର କହିଛନ୍ତି, କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡକରା ପାଇଁ ଦିଲ୍ଲୀ ଯାଉଛୁ। ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ। ସେହିପରି ସଭାପତି ଶ୍ରୀ ସାମଲ କହିଛନ୍ତି, ଦିଲ୍ଲୀରୁ ଯେତେବେଳେ ଡକରା ଆସିବ ଆମେ ସେତେବେଳେ ଯିବୁ। ସେଠାରେ କ’ଣ ଆଲୋଚନା ହେବ, ତାହା ଉପରେ ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ‘ମିଛ ଓ ଗୁଜବ’ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ବିଜେପି ସଭାପତି ମନା କରିଦେଇଥିଲେ। ତେବେ ସେ କହିଥିଲେ, ଜନସାଧାରଣ ଶ୍ରେଷ୍ଠ ବିଚାରକ। ସେମାନେ ହିଁ ନିଷ୍ପତ୍ତି ନେବେ। ମିଳିଥିବା ସୂଚନା ଅନୁଯାୟୀ ଦିନେ ଦୁଇ ଦିନ ଭିତରେ ବିଜେପି ତାହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ। ଏହା ପୂର୍ବରୁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସିବ। ସେଥିରେ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହେବ।
ଅପର ପକ୍ଷରେ ମେଣ୍ଟ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତାମାନେ ମୁହଁ ଖୋଲୁନାହାନ୍ତି। ବିଜେଡିର ନିଷ୍ପତ୍ତି ପ୍ରକ୍ରିୟାରେ ଯେଉଁ ନେତାମାନେ ସାଧାରଣତଃ ସାମିଲ ହୁଅନ୍ତି, ସେମାନେ ବି ନିରବ। ବରିଷ୍ଠ ବିଧାୟକ ନୃସିଂହ ସାହୁ ମଝିରେ ମଝିରେ ମନ୍ତବ୍ୟ ରଖୁଥିଲେ ବି ତାହା ରାଜନୈତିକ ଦୃଷ୍ଟିରୁ ସେତେଟା ଗ୍ରହଣୀୟ ହେଉନାହିଁ। ବିଜେଡିର ଏହି ରହସ୍ୟଜନକ ନିରବତାକୁ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି ମୁଖ୍ୟମନ୍ତ୍ରୀଙ୍କର ଦୁଇଟି ଶବ୍ଦ ‘ଗୁଜବ’ ଓ ‘ମିଛକଥା’। ମୁଖ୍ୟମନ୍ତ୍ରୀ ରାଜ୍ୟ ବିଜେପି ନେତାଙ୍କୁ ଇଙ୍ଗିତ କରି ଏପରି ମନ୍ତବ୍ୟ ଦେଇଥିବାର ବୁଝାପଡ଼ୁଛି। ଅର୍ଥାତ୍ କେନ୍ଦ୍ରୀୟସ୍ତରରେ ହେଉଥିବା ଆଲୋଚନାକୁ ରହସ୍ୟରେ ରଖି ବିଜେପି ନେତୃତ୍ବ ଯେଉଁ ବୟାନ ଦେଇଛନ୍ତି, ତାହାକୁ ମୁଖ୍ୟମନ୍ତ୍ରୀ ନିଜେ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି। ଗତ ୭ ତାରିଖରେ ବିଜେଡି ପକ୍ଷରୁ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ବିଜେପି କେନ୍ଦ୍ର ନେତାଙ୍କ ସହ କଥା ହୋଇଥିଲେ। ୮ ତାରିଖରେ ସେମାନେ ଭୁବନେଶ୍ବର ଫେରିଥିଲେ। ତେବେ ସେହି ଆଲୋଚନା ସମ୍ପର୍କରେ ବିଜେଡି ପକ୍ଷରୁ କୌଣସି ସୂଚନା ଏ ଯାଏ ଦିଆଯାଇନାହିଁ। ରାଜ୍ୟର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଆଜି ବିଜେଡି ସାଂସଦ ଅମର ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ଚଳିତ ସପ୍ତାହ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍ଡିଏର ସହଯୋଗୀ ଦଳମାନଙ୍କର ମୁଖ୍ୟମାନଙ୍କୁ ନେଇ ଏକ ନୈଶ୍ୟଭୋଜି ଆୟୋଜନ କରିବେ ବୋଲି କୁହାଯାଉଛି। ସେହି ଭୋଜି ପୂର୍ବରୁ ବିଜେଡି ସହ ମେଣ୍ଟ ପ୍ରକ୍ରିୟା ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ଏପଟେ ମେଣ୍ଟ ପ୍ରକ୍ରିୟା ଝୁଲିଥିବା ବେଳେ ସାରା ରାଜ୍ୟର ରାଜନୈତିକ ଚିତ୍ର ପୂରା ବଦଳିଯାଇଛି। ତୃଣମୂଳ ସ୍ତରରେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ଆଉ ବଳ କଷାକଷି ଦେଖିବାକୁ ମିଳୁନି। ଉଭୟ ଦଳର ଆଶାୟୀମାନଙ୍କ ବନ୍ଧୁମିଳନ, ଶୋଭଯାତ୍ରା ସବୁ ଠପ୍ ହୋଇଯାଇଛି। ସବୁଆଡ଼େ କେବଳ ଗୋଟିଏ ଚର୍ଚ୍ଚା- ମେଣ୍ଟ ହେବ ନା ନାହିଁ? ଯଦି ମେଣ୍ଟ ହେଲା କାହା ଭାଗରେ କେଉଁ ଆସନ ପଡ଼ିବ? ମେଣ୍ଟ ଚୂଡ଼ାନ୍ତ ହେଲେ ଆଶାୟୀମାନେ ଦଳ ପ୍ରତି ବିଶ୍ବସ୍ତ ହୋଇ ରହିବେ ନା ଅଲଗା ହୋଇ ଭିନ୍ନ ରଣନୀତି କରିବେ, ସେଥିପାଇଁ ଅପେକ୍ଷା କରିଛନ୍ତି। ତେବେ ଆସନ୍ତା ସପ୍ତାହ ଓଡ଼ିଶା ରାଜନୈତିକ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଲେଖା ହେବ, ଏହା ସ୍ପଷ୍ଟ।
[ad_2]