ରଣଜୀ ଟ୍ରଫି ଫାଇନାଲ୍: ପ୍ରଥମ ଦିନ ୧୩ ୱିକେଟ୍ ପତନ – Kalinga News
[ad_1]
ମୁମ୍ବାଇକୁ ପୁଣି ରକ୍ଷା କଲେ ଶାର୍ଦୁଳ
ମୁମ୍ବାଇ: ସ୍ଥାନୀୟ ୱାଙ୍ଖ୍ଡ଼େ ଷ୍ଟାଡିୟମ୍ରେ ରବିବାରଠାରୁ ରଣଜୀ ଟ୍ରଫି ଫାଇନାଲ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ କିନ୍ତୁ ୧୩ ୱିକେଟ୍ର ପତନ ଉତ୍କଣ୍ଠା ଭରିଦେଇଛି। ଘରୋଇ ମୁମ୍ବାଇକୁ ପୁଣି ଥରେ ଭାରତୀୟ ଅଲ୍ରାଉଣ୍ଡର୍ ଶାର୍ଦୁଳ ଠାକୁର ରକ୍ଷା କରିଛନ୍ତି। ପ୍ରଥମ ପାଳିରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ୨୨୪ ରନ୍ କରିବା ପରେ ବିଦର୍ଭ ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ୧୩ ଓଭରରେ ମାତ୍ର ୩୧ ରନ୍ କରି ୩ ୱିକେଟ୍ ହରାଇଛି। ଅଗ୍ରଣୀ ନେବା ପାଇଁ ବିଦର୍ଭକୁ ଏବେ ଆହୁରି ୧୯୪ ରନ୍ ଆବଶ୍ୟକ ରହିଛି।
ରବିବାର ଐତିହାସିକ ୱାଙ୍ଖ୍ଡ଼େ ଷ୍ଟାଡିୟମ୍ରେ ବିଦର୍ଭ ଅଧିନାୟକ ଅକ୍ଷୟ ୱାଡ଼କର ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାକୁ ମୁମ୍ବାଇର ପ୍ରାରମ୍ଭିକ ଯୋଡ଼ି ପୃଥ୍ବୀ ସ’ (୬୩ ବଲ୍ରୁ ୪୬ ରନ୍) ଏବଂ ଭୂପେନ ଲାଲୱାନି (୬୪ ବଲ୍ରୁ ୩୭ ରନ୍) ଭୁଲ୍ ପ୍ରମାଣିତ କରିଥିଲେ। ୨୦ ଓଭରରେ ଏହି ଯୋଡ଼ି ୮୧ ରନ୍ ସଂଗ୍ରହ କରି ନେଇଥିଲେ। କିନ୍ତୁ ବିଦର୍ଭ ବୋଲର ଅପ୍ରତ୍ୟାଶିତ ଭାବେ ପ୍ରାଧାନ୍ୟ ବିସ୍ତାର କରି ୩୦ ରନ୍ ଭିତରେ ମୁମ୍ବାଇର ୬ ୱିକେଟ୍ ଦଖଲ କରି ନେଇଥିଲେ। ଯୁବ ତାରକା ମୁଶୀର ଖାନ୍ (୬), ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବିଦା ହୋଇଥିବା ଶ୍ରେୟସ ଆୟର (୭) ଏବଂ ଅଧିନାୟକ ଅଜିଙ୍କ୍ୟ ରାହାଣେ (୭) ମଧ୍ୟ ସଂଘର୍ଷ କରିଥିଲେ। ଏହି ସମୟରେ କ୍ରିଜ୍କୁ ଆସିଥିବା ଶାର୍ଦୁଳ ଠାକୁର ପୁଣି ଥରେ ତାଙ୍କ କମାଲ ଦେଖାଇଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରି ୬୯ ବଲ୍ରୁ ୭୫ ରନ୍ (୮ ଚୌକା, ୩ ଛକା) ସଂଗ୍ରହ କରି ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲେ। ଫଳରେ ଶେଷ ୪ଟି ଭାଗୀଦାରିରୁ ମୁମ୍ବାଇ ୧୧୩ ରନ୍ ଯୋଡ଼ି ସମ୍ମାନ ରଖିଥିଲା। ବିଦର୍ଭ ପାଇଁ ହର୍ଷ ଦୁବେ, ୟଶ ଠାକୁର ୩ ଲେଖାଏଁ ଏବଂ ଉମେଶ ଯାଦବ ୨ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ବିଦର୍ଭକୁ ଶାର୍ଦୁଳ ଠାକୁର ତୃତୀୟ ଓଭରରେ ପ୍ରଥମ ଝଟ୍କା ଦେଇଥିଲେ। ଧ୍ରୁବ ସୋରେଙ୍କୁ ଏଲ୍ବି କରିଦେବା ପରେ ଧବଲ କୁଲକର୍ଣ୍ଣିଙ୍କ ଡବଲ୍ ୱିକେଟ୍ ବିଦର୍ଭ ପାଳିକୁ ପ୍ରଥମରୁ ବିଗାଡ଼ି ଦେଇଛି। ଅମନ ମୋଖାଡ଼େ ଓ କରୁଣ ନାୟାରଙ୍କୁ ସେ ୱିକେଟ୍ରକ୍ଷକଙ୍କ ଗ୍ଲୋଭ୍ରେ ଧରାଇ ପ୍ୟାଭିଲିଅନ୍ ଫେରାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ପ୍ରଥମ ପାଳି: ୬୪.୩ ଓଭରରେ ୨୨୪/୧୦ (ଶାର୍ଦୁଳ ଠାକୁର-୭୫, ପୃଥ୍ବୀ ସ’-୪୬, ଭୂପେନ ଲାଲୱାନି-୩୭, ୟଶ ଠାକୁର-୩/୫୪, ହର୍ଷ ଦୁବେ-୩/୬୨, ଉମେଶ ୟାଦବ-୨/୪୩, ଆଦିତ୍ୟ ଠାକରେ-୧/୩୬)। ବିଦର୍ଭ ପ୍ରଥମ ପାଳି: ୧୩ ଓଭରରେ ୩୧/୩ (ଅଥର୍ବ ଟାଇଡେ-୨୧*, ଧବଲ କୁଲକର୍ଣି-୨/୯, ଶାର୍ଦୁଳ ଠାକୁର-୧/୧୪)।
[ad_2]