ରାଜନୀତି

ବିଜେଡି-ବିଜେପି ମେଣ୍ଟ ହେଲେ… କାହାର ଟିକେଟ୍‌ କଟିବ, କାହାର ରହିବ? – Kalinga News

[ad_1]

ଚିନ୍ତାରେ ଆଶାୟୀ, ଦ୍ବନ୍ଦ୍ବରେ କର୍ମୀ

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନି। ୫ ଦିନ ହେଲା ଯୁଆଡ଼େ ଗଲେ ସେହି ଗୋଟିଏ ଆଲୋଚନା ବିଜେଡି-ବିଜେପି ମେଣ୍ଟ ହେବ ନା ନାହିଁ? ଯଦି ମେଣ୍ଟ ହୁଏ, ତେବେ କିଏ କେଉଁ ଆସନ ପାଇବ? ବିଜେଡି ଜିତିଥିବା ଲୋକ‌ସଭା କିମ୍ବା ବିଧାନସଭା ଆସନକୁ କ’ଣ ସତରେ ବିଜେପି ହାତକୁ ଟେକି ଦେବ? ନା ବିଜେପି ସାଂସଦ ଯେଉଁଠି ଜିତିଛନ୍ତି ତାହାକୁ ବିଜେଡି ନେଇଯିବ? ଏମିତି ଗୋଲକଧନ୍ଦା ମଧ୍ୟରେ ଭୁବନେଶ୍ବର ଲୋକସଭା ସମେତ ରାଜଧାନୀର ତିନି ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଏକପ୍ରକାର ନିସ୍ତବ୍ଧ ହୋଇଯାଇଛି।

କାହାର ଟିକେଟ୍‌ କଟିବ, କାହାର ରହିବ?
କାହା ଖାତାକୁ ଯିବ ଭୁବନେଶ୍ବର ଲୋକସଭା ଆସନ?
କେଉଁ ଆସନ ବିଜେପିକୁ ଛାଡ଼ିବ ବିଜେଡି

ରାଜନୀତିକୁ ଅଧିକ ଉଷ୍ମ କରିଛି ଭୁବନେଶ୍ବର ଲୋକସଭା କ୍ଷେତ୍ର। ଯଦି ମେଣ୍ଟ ହୁଏ ତାହା ହେଲେ ଭୁବନେଶ୍ବର ଲୋକସଭା କ୍ଷେତ୍ର କାହା ଭାଗ୍ୟକୁ ଯିବ? ବିଜେପି ନେବ ନା ବିଜେଡି। କାରଣ ଉଭୟ ଦଳ ନିଜନିଜ ସ୍ତରରେ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି। ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରାୟ ୬ ମାସ ହେଲା କସରତ ଚଲାଇଛନ୍ତି। ସେପଟେ ବିଜେଡି ମଧ୍ୟ ପାଲଟା ନିଜର ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଶେଷ କରିଛି। ସମ୍ଭାବ୍ୟ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ୪ ମାସ ହେଲା ୭ଟି ଯାକ ବିଧାନସଭା କ୍ଷେତ୍ର ବୁଲି ଲୋକଙ୍କୁ ଭେଟୁଛନ୍ତି। ବିଧା‌ୟକମାନେ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି। ବିଜେଡି କୌଣସି ପ୍ରକାର ବିଜେପି ହାତକୁ ଏହି ଲୋକସଭା ଆସନ ଛାଡ଼ିବାକୁ ଚାହୁଁ ନ ଥିବା ସୂଚନା ମିଳିଛି। ଭୁବନେଶ୍ବରର ତିନି ବିଧାନସଭା କ୍ଷେତ୍ରରେ ମଧ୍ୟ ଉଭୟ ଦଳଙ୍କ ମଧ୍ୟରେ ରୋଚକ ସ୍ଥିତି। ଯଦି ଦେଖିବା ୨୦୦୦ ଓ ୨୦୦୪ ମେଣ୍ଟ ସରକାର ସମୟରେ ସମ୍ପୂର୍ଣ୍ଣ ଭୁବନେଶ୍ବର ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ଥିବାସମୟରେ ବିଜେପି ଭାଗରେ ପଡ଼ିଥିଲା। ପରବର୍ତ୍ତୀ ସମୟରେ ତିନୋଟି ନିର୍ବାଚନମଣ୍ଡଳୀ ହେବାପରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀମାନେ ହିଁ ବିଜୟ ହାସଲ କରିଥିଲେ। ୨୦୧୯ରେ ବିଜେପିର ଭୋଟ ପ୍ରତିଶତ ଏହି ୩ଟି ନିର୍ବାଚନ ମଣ୍ଡଳୀରେ ବଢ଼ିଛି ସତ, ମାତ୍ର ଗୋଟିଏରେ ବି ଜାତିପାରି ନ ଥିଲା। ତଥାପି ଯଦି ମେଣ୍ଟ ହୁଏ ତାହା ହେଲେ ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀ ବିଜେପି ଖାତାକୁ ଯିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଯେହେତୁ ଦୁଇ ଦିନ ତଳେ ନବୀନ ନିବାସରେ ଅନୁଷ୍ଠିତ ବିଜେଡି ବୈଠକରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ, ତେଣୁ ସେମାନଙ୍କ ଟିକେଟ୍‌ କଟିବାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି। ଅନ୍ୟ ଆଶାୟୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି ଯେ ସେମାନଙ୍କ ଭାଗ୍ୟ କ’ଣ ହେବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଉତ୍ତର ଭୁବନେଶ୍ବର କଥା ‌ଯଦି ଦେଖିବା ‌ବିଧାୟକ ପ୍ରିୟଦର୍ଶୀ ମିଶ୍ର ‌ବିଜେଡି ଟିକେଟ୍‌ ଦୌଡ଼ରେ ରହିଛନ୍ତି। ବିଜେପିରୁ ଯୁଗାଂଶୁ ପଣ୍ଡା, ଦିଲ୍ଲୀପ କୁମାର ମହାନ୍ତିଙ୍କ ସମେତ ଆଉ କିଛି ନେତା ମଧ୍ୟ ଅଛନ୍ତି। ମଧ୍ୟ ଭୁବନେଶ୍ବରରେ ବିଜେପିରୁ ଜଗନ୍ନାଥ ପ୍ରଧାନ ରହିଥିବା ବେଳେ ବିଜେଡିରୁ ଏକାଧିକ ଆଶାୟୀ ରହିଛନ୍ତି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ବିରୋଧ କରି କର୍ପୋରେଟର ଅମରେଶ ଜେନା ଗତ ସପ୍ତାହରେ ସମାବେଶ କରିବା ସହ ମଧ୍ୟ ଭୁବନେଶ୍ବରରେ ବିଜେଡିରୁ ପ୍ରାର୍ଥୀ ହେବାକୁ ନବୀନନିବାସରେ ବାୟୋଡାଟା ଦେଇ ଆସିଛନ୍ତି। ଏକାମ୍ର ଭୁବନେଶ୍ବରରେ ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ବିରୋଧ କରି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ମଧ୍ୟ ଅନ୍ୟତମ ଆଶାୟୀ ରହିଛନ୍ତି। ବିଜେପିରୁ ବାବୁ ସିଂଙ୍କ ନାମ ସର୍ବାଗ୍ରେ ରହିଛି। ଯଦି ମେଣ୍ଟ ହୁଏ, ତାହାହେଲେ ଏହି ନେତାମାନଙ୍କ ଭାଗ୍ୟ କ’ଣ ହେବ? ଏହିଭଳି ପ୍ରଶ୍ନ ଏବେ ଉଙ୍କିମାରୁଥିବା ଦେଖିବାକୁ ମିଳୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button