ଦିଲ୍ଲୀରେ ମେଣ୍ଟ କସରତ: ଆଲୋଚନା ପାଇଁ ଗଲେ ପାଣ୍ଡିଆନ ଓ ବବି – Kalinga News

[ad_1]
ମନମୋହନ ଓ ମାନସଙ୍କୁ ଦିଲ୍ଲୀ ଛାଡ଼ିବାକୁ ମନା କରାଗଲା
ଭୁବନେଶ୍ବର: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଘନଘନ ଆଲୋଚନା ଚାଲିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ଦିଲ୍ଲୀରେ ଅଛନ୍ତି। ଆଜି ସଂଧ୍ୟାରେ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବଂ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇଛନ୍ତି। ଏଥିସହିତ ଶୀର୍ଷସ୍ତରରେ ଆଜି ବିଳମ୍ବିତ ରାତିରୁ ଆଲୋଚନା ଆରମ୍ଭ ହୋଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ମାର୍ଚ୍ଚ ୧୨ ତାରିଖ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ ଏବଂ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମେଣ୍ଟ ଘୋଷଣା କରିପାରନ୍ତି। ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ମେଣ୍ଟ ନେଇ ଘୋଷଣା ହେବ। ଏବେ ଆନ୍ଧ୍ରରେ ଟିଡିପି, ପଞ୍ଜାବରେ ଅକାଳୀ ଦଳ ସହ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ବଙ୍କ ଆଲୋଚନା ଚାଲିଥିବାରୁ ଗୋଟିଏ ଦିନରେ ନୂଆଦିଲ୍ଲୀରେ ତିନି ଦଳଙ୍କ ସହ ମେଣ୍ଟ ହେବା ନେଇ ଘୋଷଣା ହୋଇପାରେ ବୋଲି ବି କୁହାଯାଉଛି। ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ମନମୋହନ ଓ ମାନସଙ୍କୁ ଦିଲ୍ଲୀ ଛାଡ଼ିବାକୁ ମନା କରାଗଲା
ନୂଆ ସମୀକରଣ ନେଇ ଆଶାୟୀଙ୍କ ମୁଣ୍ଡ ଗୋଲ୍
ନବୀନ-ଶାହ ମେଣ୍ଟ ଘୋଷଣା କରିବେ
ସେପଟେ ନୂଆଦିଲ୍ଲୀରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଜୋର ଧରିଛି। ବିଜେପି ରାଜ୍ୟ ସଭାପତି ଏବଂ ସଂଗଠନ ସମ୍ପାଦକ ଆଜି ବିଜେପିର ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି। ବିଜେପିର ଜଣେ କେନ୍ଦ୍ର ମନ୍ତ୍ରୀ, ସାଂସଦ ଆଶାୟୀ ବି ସାମିଲ୍ ଥିବା ଜଣାପଡ଼ିଛି। ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ବାସଭବନରେ ବିଜେପି ନେତା ଆଲୋଚନା କରଥିବା କୁହାଯାଉଛି। ଏଥିରେ ତୋମାର ରାଜ୍ୟ ବିଜେପି ନେତାଙ୍କୁ ମେଣ୍ଟ ସମୀକରଣ ବିଷୟରେ ବୁଝାଇଥିଲେ। ଆସନ ଭାଗ ବଣ୍ଟା ନେଇ ପାର୍ଟିର ଶୀର୍ଷ ନେତୃତ୍ବଙ୍କ ସହ ବିଜେଡିର ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ। ବିଜେପି ଓଡ଼ିଶାରେ ୧୩ କିମ୍ବା ୧୪ଟି ଲୋକସଭା ଆସନ ଏବଂ ୪୨କିମ୍ବା ୪୫ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ହୋଇଥିବା କହିଥିଲେ। ହେଲେ ରାଜ୍ୟ ବିଜେପି ନେତା କହିଥିଲେ, ‘ଆପଣ ଶୀର୍ଷ ନେତାଙ୍କୁ ବୁଝାନ୍ତୁ ଯେ ରାଜ୍ୟରେ ବିଜେଡି ବିରୋଧରେ ହାୱା ଥିବାରୁ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେଉ। ଆମେ ଅଧିକ ସିଟ୍ ପାଇବା ସହ ସରକାର ଗଠନ କରିବୁ। ରାଜ୍ୟରେ ମୋଦୀ ହାୱା ଅଛି, ତେଣୁ ଲୋକସଭାରେ ବି ୧୩ରୁ ଅଧିକ ଆସନ ଜିତିବୁ। ମେଣ୍ଟ କରାନଯାଉ।’ ଏନେଇ ତୋମାର ଅମଙ୍ଗ ହେବାରୁ ବିଜେପି ନେତା ପଚାରିଥିଲେ ଯେ କେଉଁ କେଉଁ ଆସନ ବିଜେପି ପାଇଁ ଛଡ଼ାଯାଉଛି ତା’ର ସବିଶେଷ ସୂଚନା ଦିଆଯାଉ। ଏହା ଜାଣିବା ପରେ ତାଲିକାରେ କିଛି ପରିବର୍ତ୍ତନ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ରାଜ୍ୟ ବିଜେପି ନେତାଙ୍କ ଉତ୍ତର ଶୁଣିବା ପରେ ତୋମାର କହିଛନ୍ତି, ‘ଏବେ କେହି ଦିଲ୍ଲୀ ଛାଡ଼ି ନଯାଆନ୍ତୁ। ଆବଶ୍ୟକ ପଡ଼ିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଅନ୍ୟ ଶୀର୍ଷ ନେତୃତ୍ବ ଆଲୋଚନା କରିବେ। ଏବେ ଆପଣମାନେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି କେଉଁ ଆସନରେ ଜିତିଥିଲା, କେଉଁଠି ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ଅଳ୍ପକେ ହାରିଥିଲା, ଏବେ କେଉଁଠି ବହୁତ ଭଲ ସ୍ଥିତି ଅଛି ଅଥଚ ବିଜେଡି ଭାଗରେ ସିଟ୍ ପଡ଼ୁଛି ବୋଲି ଭାବୁଛନ୍ତି ତା’ର ତଥ୍ୟ ସହ ତାଲିକା ପ୍ରସ୍ତୁତ କରି ରଖନ୍ତୁ। କିନ୍ତୁ ଶୀର୍ଷ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ସେଥିରେ ଯେପରି କେହି ଅସହମତ ବୋଲି ଦର୍ଶାଇବନି।’
ଅପରପକ୍ଷେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଯେତିକି ବଢ଼ୁଛି ଆଶାୟୀଙ୍କ ହୃତ୍ସ୍ପନ୍ଦନ ସେତେ ବଢ଼ୁଛି। ବିଜେଡି ଆଶାୟୀ ଭାବୁଛନ୍ତି ଦଳ ପାଇଁ ଏତେ କାମ କଲୁ, ଯଦି ସିଟ୍ଟା ବିଜେପି ଭାଗରେ ପଡ଼ିଗଲା ତେବେ କ’ଣ କରିବୁ? ଏରିଆରେ ଆଉ ମୁହଁ ଦେଖାଇ ହେବ ତ? ସେହିପରି ବିଜେପି ନେତା କହୁଛନ୍ତି, ରାଜ୍ୟରେ ସରକାର ନଥାଇ ବି ସଂଗଠନ କରିଛୁ। ଘର ଘର ବୁଲି ସରକାରଙ୍କ ବିରୋଧରେ ପ୍ରଚାର କରିଛୁ। ଏବେ ଯଦି ବିଜେଡି ଭାଗରେ ସିଟ୍ ପଡ଼ିଯିବ ତେବେ କେମିତି ଲୋକଙ୍କୁ ବିଜେଡିକୁ ଭୋଟ୍ ଦେବାକୁ କହିବୁ। ଏତେ ପଇସା ଖର୍ଚ୍ଚ କଲୁ, ସଙ୍ଗଠନ କଲୁ ତା’ର କ’ଣ ଏଇ ଫଳ?
ମେଣ୍ଟ ଚର୍ଚ୍ଚା ପରେ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ବିଜେପି, ବିଜେଡି ନେତା ଦ୍ବନ୍ଦ୍ବରେ ଥିବାବେଳେ କଂଗ୍ରେସ ନେତାମାନେ ଉତ୍ସାହିତ ହୋଇଯାଇଛନ୍ତି। ବହୁ ସ୍ଥାନରେ ନିର୍ବାଚନରେ ଅମାନତ ହରାଉଥିବା କଂଗ୍ରେସ ଟିକେଟ୍ ଆଶାୟୀ ବି ଭାବିଲେଣି ଯେ ଆମେ ଏଥର ଜିତିଯିବୁ। ବିଜେପି-ବିଜେଡି ମେଣ୍ଟର ଫାଇଦା ଆମକୁ ନିଶ୍ଚିତ ମିଳିବ। ଆଉ କିଛି କଂଗ୍ରେସ ନେତା କହୁଛନ୍ତି, ଆମେ ବିଜେପି-ବିଜେଡି ନେତାଙ୍କ ବିରୋଧରେ ପ୍ରଚାର କଲୁ। ହେଲେ ଏବେ ଯଦି ସେମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ି ଆମ ଦଳରେ ମିଶିବେ ଆମକୁ ଟିକେଟ୍ ମିଳିବ ତ? ଏହିଭଳି ଭାବେ ଟିକେଟ୍ ଆଶାୟୀଙ୍କ ଦିନ କଟୁଛି। ନିର୍ବାଚନ ପାଇଁ ପ୍ରଚାର ମୁଡ୍ରେ ଥିବା ନେତା ଏବେ ସବୁ ବନ୍ଦ କରି ମେଣ୍ଟ ଖବର କ’ଣ ଜାଣିବାକୁ ଫୋନ୍ ବୁଲାଉଛନ୍ତି।
[ad_2]