ଖେଳ ଖବର

ସାସାରାମରେ କ୍ରିକେଟ୍‌ ଖେଳିବା ଅପରାଧ: ଆକାଶ ଦୀପ – Kalinga News

[ad_1]

୬ ମାସ ଭିତରେ ବାପା-ଭାଇଙ୍କୁ ହରାଇଥିଲେ

ରାଞ୍ଚି: ରାଞ୍ଚିରୁ ଆରମ୍ଭ ହୋଇଛି ବେଙ୍ଗଲ କ୍ରିକେଟର୍‌ ଆକାଶ ଦୀପଙ୍କ ଟେଷ୍ଟ୍ ଜୀବନ। କେବଳ ଆରମ୍ଭ ହୋଇନାହିଁ, ଚମତ୍କାର ପଦାର୍ପଣ ସହ ମଧ୍ୟ ଆସିଛନ୍ତି ଅନ୍ତର୍ଜାତୀୟ କ୍ରିକେଟ୍‌କୁ। ଭାରତର ପ୍ରମୁଖ ବୋଲିଂ ଅସ୍ତ୍ର ଯଶପ୍ରୀତ୍ ବୁମରାଙ୍କ ବଦଳରେ ଖେଳିବାର ସୁବର୍ଣ୍ଣ ସୁଯୋଗକୁ ପଦାର୍ପଣର ପ୍ରଥମ ଦିନରେ ୩ ୱିକେଟ୍ ସହ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟତମ ବେଙ୍ଗଲ କ୍ରିକେଟର୍ ମୁକେଶ କୁମାରଙ୍କୁ ପଛରେ ପକାଇ ଆକାଶ ଦୀପଙ୍କ ଆଗମନ ମଧ୍ୟ ଶୁକ୍ରବାର ଢେର ଚର୍ଚ୍ଚାର କାରଣ ହୋଇଛି। ରାହୁଲ ଦ୍ରାବିଡ଼ଙ୍କଠାରୁ ଟେଷ୍ଟ କ୍ୟାପ୍‌ ଗ୍ରହଣ କରିବା ପରେ ନିଜ ବିଧବା ମା’ଙ୍କୁ ଆଲିଙ୍ଗନ କରିବାର ମୁହୂର୍ତ ବି କ୍ରିକେଟପ୍ରେମୀଙ୍କୁ ଭାବବିହ୍ବଳ ହେବାକୁ ବାଧ୍ୟ କରିଦେଇଛି। ଏଥି ସହିତ ଆକାଶ ଦୀପଙ୍କ କ୍ରିକେଟ୍ ଜୀବନ ଯାତ୍ରା ପୁଣି ଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

ବେଙ୍ଗଲ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଆକାଶ ଦୀପ ଟେଷ୍ଟ୍ ପଦାର୍ପଣ ପୂର୍ବରୁ ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୦୪ ୱିକେଟ୍ ନେଇଛନ୍ତି। ବେଙ୍ଗଲ ରଣଜୀ ଦଳରୁ ପ୍ରଭାବୀ ପ୍ରଦର୍ଶନ ପରେ ଭାରତ ‘ଏ’ ଦଳରେ ସ୍ଥାନ ପାଇ ସମ୍ପ୍ରତି ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୩ ମ୍ୟାଚ୍‌ରୁ ୧୩ ୱିକେଟ୍ ନେଇ ଟେଷ୍ଟ୍ ଦଳକୁ ଡାକରା ପାଇଥିଲେ। କୋଲକାତାର ଦୁର୍ଗାପୁରରେ ଜଣେ ଟେନିସ୍ ବଲ୍ କ୍ରିକେଟର୍ ଭାବେ ପରିଚିତ ଥିବା ୨୭ ବର୍ଷୀୟ ଆକାଶ ଦୀପଙ୍କ ୭ ବର୍ଷର କ୍ରିକେଟ୍ ଯାତ୍ରା ଢେର ରୋମାଞ୍ଚକର। ଟେନିସ୍ ବଲ୍‌ ଖେଳି ରୋଜଗାର କରିବାକୁ ବିହାରରୁ କୋଲକାତା ଚାଲିଆସିଥିବା ଏହି ଯୁବକ କ୍ରମେ ବେଙ୍ଗଲ ୨୩ ବର୍ଷରୁ କମ୍‌ ଦଳ, ରଣଜୀ ଦଳ ସହ ଆର୍‌ସିବି ପାଇଁ ଆଇପିଏଲ୍‌ ଚୁକ୍ତି ହାତେଇ ଦ୍ରୁତ ଅଗ୍ରଗତି କରିଥିଲେ। ବିରାଟ କୋହଲି ଓ ଗ୍ଳେନ୍ ମ୍ୟାକ୍ସୱେଲ୍ ବି ତାଙ୍କ ବୋଲିଂରେ ପ୍ରଭାବିତ ହୋଇଥିଲେ।

ଆକାଶ ଦୀପଙ୍କୁ ରାତାରାତି ଟେଷ୍ଟ୍ କ୍ୟାପ୍ ମିଳିନାହିଁ। କଠିନ ପରିଶ୍ରମ ଏବଂ ପ୍ରତିକୂଳ ପରିସ୍ଥିତି ଭିତରେ ଆଗକୁ ବଢ଼ିବାର ସଙ୍କଳ୍ପ ତାଙ୍କୁ ଏଠାରେ ପହଞ୍ଚାଇଛି। ବିହାରର ସାସାରାମରେ କ୍ରିକେଟ୍ ଖେଳିବା ଏକ ଅପରାଧ ଭଳି ବୋଲି ଦିନେ କହିଥିଲେ ଆକାଶ ଦୀପ। ବାପା ରାମଜୀ ସିଂହ ଚାହୁଁଥିଲେ ଆକାଶ ଦୀପ ପୁଲିସ୍ କନଷ୍ଟେବଳ କି ସରକାରୀ ପିଅନ ଚାକିରିଟିଏ ପାଇଯାଉ। କିନ୍ତୁ ଆକାଶ ଦୀପଙ୍କ ନିଶା ଥିଲା କ୍ରିକେଟ୍ ପାଇଁ ଆକାଶଛୁଆଁ। ପିତା ଜଣେ ସରକାରୀ ସ୍କୁଲ୍ ଶିକ୍ଷକ କିନ୍ତୁ ଆକାଶ ଦୀପ ପାଠରେ ସେତେ ଭଲ କରୁ ନଥିଲେ। କ୍ରିକେଟ୍ ପାଇଁ ଏତେ ପାଗଳ ଓ ବାଳୁଙ୍ଗା ଥିଲେ ଯେ ତାଙ୍କ ଗାଁରେ ପିଲାମାନଙ୍କୁ ସେମାନଙ୍କ ପିତାମାତା ପରାମର୍ଶ ଦେଉଥିଲେ ଆକାଶ ଦୀପଠାରୁ ଦୂରେଇ ରହିବାକୁ। ଏ ପିଲା ସହ ମିଶିଲେ ପାଠଶାଠ ହେବନି ନଷ୍ଟ ହୋଇଯିବ ବୋଲି ବି ଧାରଣା ଥିଲା ସଭିଙ୍କର। ସମୟ ଏଭଳି ବଦଳିଗଲା ଯେ ଆକାଶ ଦୀପଙ୍କ ଜୀବନପଥ ଦିଗହରା ହୋଇଗଲା। ୬ ମାସ ଭିତରେ ବାପା ଓ ବଡ଼ ଭାଇ ଚାଲିଗଲେ। ବିଧବା ମା’ ଓ ଭାଉଜ ସହ ୨ ବଢ଼ିଲା ଝିଆରୀଙ୍କ ବୋଝ ପଡ଼ିଗଲା ଆକାଶ ଦୀପଙ୍କ ଉପରେ। ଆକାଶ ଦୀପ କୋଲକାତା ଚାଲିଆସିଲେ କିଛି କରିବା ନିଶାରେ। ଜଣେ ସାଙ୍ଗର ସହାୟତାରେ ଦୁର୍ଗାପୁରରେ କ୍ଲବ୍ କ୍ରିକେଟ୍ ଖେଳିଲେ। କିନ୍ତୁ ସେଠାରେ ରୋଜଗାର ନଥିବାରୁ ମଝିରେ ମଝିରେ ଟେନିସ୍ ବଲ୍ କ୍ରିକେଟ୍ ଖେଳି ମାସକୁ ୨୦,‌ ୦୦୦ ଟଙ୍କା ରୋଜଗାର କରିବାରେ ସକ୍ଷମ ହେଲେ। ଦୈନଦିନ ଖର୍ଚ୍ଚ ମିଳିଗଲା ଓ ଶିଖିବାର ବାଟ ବି ଫିଟିଗଲା। ଅର୍ଥାଭାବରୁ ପ୍ରଶିକ୍ଷଣ ନେଇପାରି ନଥିଲେ। କିନ୍ତୁ ପୂର୍ବତନ ବେଙ୍ଗଲ କ୍ରିକେଟର୍‌ ସୌରାଶିଷ ଲାହିରି, ଅରୁଣ ଲାଲ, ରଣଦେବ‌ ବୋଷଙ୍କଠାରୁ ମୁଁ ଅନେକ କିଛି ଶିଖିଛି ବୋଲି କୁହନ୍ତି ଆକାଶ ଦୀପ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button