ରାଜନୀତି

ବଡ଼ସାହିରେ ବଡ଼ ଦ୍ବନ୍ଦ୍ବ: ପୁଣି ନୂଆ ନା ପୁରୁଣା? – Kalinga News

[ad_1]

ଏଥର ଧାରା ଭାଙ୍ଗିପାରେ ବିଜେପି, ବିଜେଡିରୁ ମାଳମାଳ ଆଶାୟୀ

ବଡ଼ସାହି: ୨୦୦୯ ମସିହାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ର ୨୧ ପଞ୍ଚାୟତ ଓ ବେତନଟୀ ବ୍ଲକ୍‌ର ୨୪ଟି ପଞ୍ଚାୟତକୁ ନେଇ ଗଠିତ ବଡ଼ସାହି ବିଧାନସଭା କ୍ଷେତ୍ର। ଏହି ଆସନ ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷିତ ରହିଥିବା ବେଳେ ଏଠାରେ ଏଯାଏ ୩ଟି ସାଧାରଣ ନିର୍ବାଚନ ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପ୍ରତି ନିର୍ବାଚନରେ ଏଠାରୁ ନୂତନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସ୍ଥାନୀୟ ଜନତା ସବୁବେଳେ ନୂଆ ମୁହଁଙ୍କୁ ସୁଯୋଗ ଦେଉଥିବାରୁ ଏଥର ସେହି ଧାରା ବଜାୟ ରହିବ ନା କେହି ପୁରୁଣା ନେତା ଦ୍ବିତୀୟଥର ବିଧାୟକ ହେବେ; ସେ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି।

ବଡ଼ସାହି ନିର୍ବାଚନମଣ୍ଡଳୀ ଗଠନ ହେବାପରେ ୨୦୦୯ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ସାମିଲ ହୋଇ ପାରିନଥିଲା ବିଜେପି। ଯାମିନୀକାନ୍ତ ନାୟକଙ୍କୁ ଦଳ ଟିକେଟ୍‌ ଦେଇଥିଲେ ବି ସେ ନାମାଙ୍କନ ଦାଖଲ କରିବାରେ ବିଫଳ ହୋଇଥିଲେ। ସେହିବର୍ଷ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ପାତ୍ରଙ୍କୁ ହରାଇ ବିଜେଡିର ମନୋରଞ୍ଜନ ସେଠୀ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ମନୋରଞ୍ଜନଙ୍କୁ ଟିକେଟ୍‌ ନଦେଇ କଂଗ୍ରେସରୁ ଗଣେଶ୍ୱରଙ୍କୁ ଆଣି ପ୍ରାର୍ଥୀ କରିଥିଲା ଏବଂ ସେ ମଧ୍ୟ ବିଜୟୀ ହୋଇଥିଲେ। ବିଜେପି ପକ୍ଷରୁ ବୃନ୍ଦାବନ ଦାସ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ନିଜ ଦଳରୁ କାହାକୁ ନ ପାଇ ବିଜେପିର ଯାମିନୀକାନ୍ତ ନାଏକଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନରେ ବି ଅନ୍ୟ ଦଳରୁ ପ୍ରାର୍ଥୀ ଆମଦାନି ଧାରା ଜାରି ରହିଥିଲା। ବିଜେପିର ବୃନ୍ଦାବନ ଦାସଙ୍କୁ ବିଜେଡି ନିଜ ଦଳକୁ ଆଣି ପ୍ରାର୍ଥୀ କରିଥିଲା ବେଳେ କଂଗ୍ରେସ ଦେବଯାନୀ ବେହେରାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଉଭୟ ପରାସ୍ତ ହୋଇଥିଲେ। ସେହିବର୍ଷ ବିଜେପି ସାରା ଜିଲ୍ଲାରେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବଡ଼ସାହିରେ ବି ଏହି ଧାରା କାଏମ ରହିଥିଲା ଏବଂ ନୂଆ ମୁହଁ ଭାବେ ନିର୍ବାଚନ ଲଢ଼ିଥିବା ସନାତନ ବିଜୁଳି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସନାତନ ବିଜୁଳି ଏଥର ଦ୍ବିତୀୟଥର ପାଇଁ ବିଜେପି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି ତାଙ୍କ ସମର୍ଥକ କହୁଛନ୍ତି। ଏମିତି ହେଲେ ସେ ପ୍ରଥମ ପ୍ରାର୍ଥୀ ଭାବେ ସମାନ ଦଳରୁ ଦ୍ବିତୀୟଥର ପାଇଁ ନିର୍ବାଚନ ଲଢ଼ିବେ। ନିର୍ବାଚନମଣ୍ଡଳୀରେ ସଂଗଠନ ଦୃଷ୍ଟିରୁ ସନାତନ ସାମାନ୍ୟ ସହଜ ସ୍ଥିତିରେ ଥିବା କୁହାଯାଉଛି। ତେବେ ବିଜେଡିରୁ ଇସ୍ତଫା ଦେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଥିବା ୨୪ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ମଲ୍ଲିକ ତାଙ୍କ ବାଟରେ କଣ୍ଟା ହୋଇପାରନ୍ତି। ସେହିପରି ୧୫ ବର୍ଷ ଧରି ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଯୁବନେତା କ୍ଷୀରୋଦଚନ୍ଦ୍ର ପାତ୍ରଙ୍କୁ ଦଳ ଭରସା କରିବ ବୋଲି କୁହାଯାଉଛି। ଅନ୍ୟ ଦଳରୁ ନେତା ଆଣିବା ବଦଳରେ କ୍ଷୀରୋଦଙ୍କୁ ପ୍ରାର୍ଥୀ କଲେ ଦଳ ଭଲ ଫଳାଫଳ କରିବ ବୋଲି ଆଭ୍ୟନ୍ତରୀଣ ରିପୋର୍ଟ ଯାଇଥିବା ଚର୍ଚ୍ଚା ହେଉଛି। ତାଙ୍କ ବିକଳ୍ପ ଭାବେ ଏଯାଏ କଂଗ୍ରେସରୁ ଅନ୍ୟ କାହାର ନାଁ ସାମନାକୁ ଆସିନାହିଁ।

ତେବେ ବିଜେଡିରୁ ସର୍ବାଧିକ ପ୍ରାର୍ଥୀ ଦାବିଦାର ରହିବା ଶୀର୍ଷ ନେତୃତ୍ବଙ୍କୁ ଅକଳରେ ପକାଇପାରେ। ଅବସରପ୍ରାପ୍ତ ଆଇପିଏସ୍‌ ଗୋପବନ୍ଧୁ ମଲ୍ଲିକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅଞ୍ଜନା ବେହେରା, ଯୁବ ସଂଗଠକ ଲଲାଟେନ୍ଦୁ ବେହେରା, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଯାମିନୀକାନ୍ତ ନାଏକ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅର୍ଜୁନ ଦଳେଇ, ସମାଜସେବୀ ବିକାଶ ସେଠୀ ଓ ମିଲି ସେଠୀ, କରମଚାନ୍ଦ କାଳନ୍ଦୀ ପ୍ରମୁଖ ଟିକେଟ୍‌ ଦୌଡ଼ରେ ଅଛନ୍ତି। ସମସ୍ତେ ସମାନ୍ତରାଳ ଭାବେ ନିଜ ନିଜ ସଂଗଠନ କରୁଥିବାରୁ କର୍ମୀ କାହାକୁ ସମର୍ଥନ କରିବେ; ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button