ଖେଳ ଖବର

ଲୋକାର୍ପଣ ଅପେକ୍ଷାରେ ଶ୍ରୀ ଜଗନ୍ନାଥ କ୍ରିକେଟ୍‌ ଷ୍ଟାଡିୟମ୍‌ – Kalinga News

[ad_1]

ଭୁବନେଶ୍ବର: କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ୁଛି। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ମଧ୍ୟ ଆଗରେ ରହୁଛି। ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ଖାଲି ଭୁବନେଶ୍ବର ଓ କଟକରେ କ୍ରୀଡ଼ାକୁ ବାନ୍ଧି ନରଖି ସାରା ରାଜ୍ୟରେ ପ୍ରସାରିତ କରିବାକୁ ସରକାର ଜୋର୍‌ଦାର ଉଦ୍ୟମ କରୁଛନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀ ଏଥିରେ ଯୋଡ଼ି ହୋଇଛି। ପୁରୀରେ ହୋଇଛି ଶ୍ରୀଜଗନ୍ନାଥ କ୍ରିକେଟ୍‌ ଷ୍ଟାଡିୟମ୍‌। ନାମଟି କ୍ରିକେଟ୍‌ ରହିଛି। ହେଲେ ଏଠାରେ ଅତ୍ୟାଧୁନିକ ସନ୍ତରଣାଗାର, ଜିମ୍ନାଷ୍ଟିକ୍ସ, ଟେବୁଲ ଟେନିସ୍‌ ଓ ଯୋଗ ହଲ୍‌ ରହିଛି। ଖାଲି ଏତିକି ନୁହେଁ ୧୦୦ ଅନ୍ତେବାସୀ ରହିବା ଭଳି ଛାତ୍ରାବାସ ଅଛି। ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମ୍‌ର ଶିଳାନ୍ୟାସ କରିବା ପରେ କାମ ଆରମ୍ଭ ହୋଇଥିଲା। ପାଖାପାଖି ୧୪ ଏକର ଜମିରେ ହୋଇଥିବା ଏହି ଷ୍ଟାଡିୟମ୍‌ ନିର୍ମାଣରେ ବାତ୍ୟା ଓ କୋଭିଡ୍‌ କଟକଣା ବାଧା ଦେବାରୁ ସମ୍ପୂର୍ଣ୍ଣ ହେବାରେ ଡେରି ହୋଇଥିଲା। ଏବେ ଏହା ଶେଷ ହୋଇଛି। କେବଳ ଲୋକାର୍ପଣ ଅପେକ୍ଷାରେ ରହିଛି।

ଜାତୀୟସ୍ତରୀୟ ପ୍ରତିଯୋଗିତା ଆଶା ନେଇ ହୋଇଥିବା କ୍ରିକେଟ୍‌ ଷ୍ଟାଡିୟମ୍‌ ମଧ୍ୟରେ ୮ଟି ପିଚ୍‌ ରହିଛି। ଷ୍ଟାଡିୟମ୍‌ ଗ୍ୟାଲେରିରେ ୨୦୦୦ ଲୋକ ବସିବାର ବ୍ୟବସ୍ଥା ରହିଛି। ଆନୁଷ୍ଠାନିକ ଭାବେ ଏହି ଷ୍ଟାଡିୟମ୍‌ ଉଦ୍‌ଘାଟନ ହୋଇ ନଥିଲେ ମଧ୍ୟ କ୍ରୀଡ଼ା ପ୍ରତିଯୋଗିତା ସହ କିଛି ସ୍ଥାନୀୟ କ୍ଲବ୍‌କୁ ଅଭ୍ୟାସର ସୁଯୋଗ ଦିଆଯାଇଛି। ସଂପ୍ରତି ନୂଆ-ଓ ରାଜ୍ୟସ୍ତରୀୟ ପୁରୁଷ କ୍ରିକେଟ୍‌ ପ୍ରତିଯୋଗିତା ଏଠାରେ ‌ଚାଲିଛି। ଆଗାମୀ ଦିନରେ ଏଠାରେ ରଣଜୀ ସହ ଅନ୍ୟ ଜାତୀୟସ୍ତରର କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ ଲାଗି ଏହି ଷ୍ଟାଡିୟମ୍‌ର ସକ୍ଷମ ରହିଛି।
କ୍ରିକେଟ୍‌ ଷ୍ଟାଡିୟମ୍‌କୁ ଲାଗି ରହିଥିବା ଜିମ୍ନାଷ୍ଟିକ୍ସ ହଲ୍‌। ଏଠାରେ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଉଚ୍ଚଗୁଣବତ୍ତା କେନ୍ଦ୍ରର ଏକ ଶାଖା ରହିଛି। ଏହି ଶାଖାରେ ବିଶ୍ବସ୍ତରୀୟ ଖେଳ ସଂରଜାମ ରହିଛି। ସଂପ୍ରତି ଦକ୍ଷ ପ୍ରଶିକ୍ଷକଙ୍କ ଦ୍ବାରା ୧୦୦ରୁ ଉର୍ଦ୍ଧ୍ବ ପିଲା ଅଭ୍ୟାସ ଚଲାଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ପିଲା ବିଭିନ୍ନ ସ୍ଥାନରୁ ଚୟନ ହୋଇ ଆସିଥିବା ପ୍ରତିଭା ରହିଛନ୍ତି। ଏମାନେ ଏଠାକାର କ୍ରୀଡ଼ା ଛାତ୍ରାବାସରେ ରହି ତାଲିମ ନେଉଛନ୍ତି। ଏହି ଜିମ୍ନାଷ୍ଟିକ୍ସ ହଲ୍‌ରେ ୫୦୦ ଦର୍ଶକ ବସିବାର କ୍ଷମତା ରହିଛି। ଏହି ହଲ୍‌ର ଉପରେ ଯୋଗ ଓ ଟେବୁଲ ଟେନିସର ସୁବିଧା ଅଛି। ସନ୍ତରଣାଗାର ମଧ୍ୟ ଅତ୍ୟାଧୁନିକ ହୋଇଛି। ପ୍ରତିଯୋଗିତା ଆୟୋଜନ ପାଇଁ ଏଠାରେ ବ୍ୟବସ୍ଥା ରହିଛି। ୫୦୦ରୁ ଉର୍ଦ୍ଧ୍ବ ଦର୍ଶକ କ୍ଷମତା ବିଶିଷ୍ଟ ଗ୍ୟାଲେରି ଏଠା‌ରେ ରହିଛି। ୧୦୦ ଜଣିଆ ଛାତ୍ରାବାସରେ ସଂପ୍ରତି ୫୫ ଅନ୍ତେବାସୀ ରହିଛନ୍ତି। ଏଥିରେ ୨୦ ଜଣ ଜିମ୍ନାଷ୍ଟିକ୍ସ, ୨୯ ଖୋ ଖୋ ଓ ୬ କବାଡ଼ି ଖେଳାଳି ରହିଛନ୍ତି। ସମସ୍ତ ଅନ୍ତେବାସୀ ସ୍ଥାନୀୟ ଜିଲ୍ଲା ସ୍କୁଲ୍‌ରେ ଅଧ୍ୟୟନ କରୁଛନ୍ତି।

ପ୍ରତିଭା ଚିହ୍ନଟ କରୁଛି ନୂଆ-ଓ: ସନ୍ତୋଷ

ବର୍ତ୍ତମାନ କ୍ରୀଡ଼ାକୁ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଦିଆଯାଉଛି। ‘ନୂଆ-ଓ’ ମାଧ୍ୟମରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ପ୍ରତିଭା ଚିହ୍ନଟ କରାଯାଉଛି। ସଂପ୍ରତି ଆମର ଏଠି ଏହି ଯୋଜନାରେ ରାଜ୍ୟସ୍ତରୀୟ ଦୁଇଟି ପ୍ରତିଯୋଗିତା ଖୋ ଖୋ ଓ କ୍ରିକେଟ୍‌ ଆୟୋଜନ କରାଯାଉଛି। ୩୦ ଜିଲ୍ଲାର ବିଜେତା ଦଳ ପୁରୀକୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆସିଛନ୍ତି। ଖୋ ଖୋରେ ୮୦୦ରୁ ୯୦୦ ଓ କ୍ରିକେଟ୍‌ରେ ୪୦୦ରୁ ୫୦୦ ଖେଳାଳି ଅଛନ୍ତି। ଶ୍ରୀ ଜଗନ୍ନାଥ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ପୁରୁଷ କ୍ରିକେଟ୍‌ ପ୍ରତିଯୋଗିତା ହେଉଥିଲା ବେଳେ ପୁରୀ ଜିଲ୍ଲା ସ୍କୁଲ୍‌ ପଡ଼ିଆରେ ମହିଳା କ୍ରିକେଟ୍‌ ଓ ଖୋ ଖୋ ପ୍ରତିଯୋଗିତା ହେଉଛି। କ୍ରିକେଟ୍‌ ୧୩ରେ ଶେଷ ହେବାକୁ ଥିଲା ବେଳେ ଖୋ ଖୋ ୧୦ ତାରିଖରେ ଉଦ୍‌ଯାପିତ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ।

ଆଗକୁ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା ହେବ: ଚନ୍ଦନ

ଷ୍ଟାଡିୟମ୍‌ ଲୋକାର୍ପଣ ଅପେକ୍ଷାରେ ରହିଛି। ୨୦୧୮ରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ବିଳମ୍ବ ହୋଇଥିଲା। ଏବେ ସମ୍ପୂର୍ଣ୍ଣ ହୋଇଛି। ଆଗାମୀ ଦିନରେ ଏଠାରେ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା କରିବାର ଯୋଜନା ରଖିଛୁ। ରଣଜୀ ଏବଂ ବିଭିନ୍ନ ଜାତୀୟସ୍ତରର କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ କରିବାର ଆମର ଯୋଜନା ରହିଛି। ଦୌଡ଼କୁଦ ଲାଗି ସିନ୍ଥେଟିକ୍‌ ଟ୍ରାକ୍‌ ସହ ଇନ୍‌ଡୋର୍‌ ହଲ୍‌ କରିବାର ଯୋଜନା ରହିଛି। ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଥିଲେ ମଧ୍ୟ ଏବେ ଏଠାରେ ୫୫ ଜଣ ରହିଛନ୍ତି। ଆସନ୍ତା ମାସରେ ଚୟନ ପରେ ଏହି ଛାତ୍ରାବାସ ପୂରଣ ହେବାର ସମ୍ଭାବନା ରହିଛି। ଏହି ଷ୍ଟାଡିୟମ୍‌ ଖାଲି ପୁରୀକୁ କ୍ରୀଡ଼ା‌କ୍ଷେତ୍ରରେ ଆଗକୁ ନେବନି ସାରା ରାଜ୍ୟ ପାଇଁ ନା କରିବ। ନିକଟରେ ପୁରୀର କିଶୋର ଜେନା ଦେଶ ପାଇଁ ଗୌରବ ଆଣିଛନ୍ତି। ପୁରୀର ପାରା ଧାବିକା ଜୟନ୍ତୀ ବେହେରା, ଜିମ୍ନାଷ୍ଟ ରାକେଶ ପାତ୍ର ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଆମର ଲକ୍ଷ୍ୟ ଆଗାମୀ ଦିନରେ ଏହି ଷ୍ଟାଡିୟମ୍‌ ରାଜ୍ୟକୁ ଅନେକ ତାରକା ଭେଟି ଦେବ ବୋଲି କହିଛନ୍ତି ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button