ଅପରାଧ

ନିଶାମାଫିଆ ସହରରୁ ତଡ଼ା ହେବେ – Kalinga News

[ad_1]

ତାଲିକା କରୁଛି କମିସନରେଟ୍‌ ପୁଲିସ, ୫୦ ଲକ୍ଷର ବ୍ରାଉନ୍‌ସୁଗାର ଜବତ ୩ ନିଶା ବ୍ୟବସାୟୀ ଗିରଫ

ଭୁବନେଶ୍ବର: ପୂର୍ବ ଅପରାଧ ଇତିହାସରୁ କମିସନରେଟ୍‌ ପୁଲିସ ୭୦ରୁ ଅଧିକ ନିଶାବ୍ୟବସାୟୀ ଓ ମାଫିଆଙ୍କ ତାଲିକା କରିଛି। ଯେଉଁ ମାଫିଆ ଜେଲ୍‌ରେ ଅଛନ୍ତି ଓ ଯେଉଁମାନେ ଜାମିନ୍‌ରେ ଆସିଛନ୍ତି, କମିସନରେଟ୍‌ ପୁଲିସ ସମସ୍ତଙ୍କର ପଞ୍ଜିକା ହିସାବ କରୁଛି। ଯେଉଁମାନଙ୍କ ନାମରେ ଏକାଧିକ ମାମଲା ରହିଛି ଓ ଯେଉଁମାନେ ବାରମ୍ବାର ଗିରଫ ହୋଇ ଜାମିନ୍‌ରେ ଆସିବା ପରେ ପୁଣି ନିଶାକାରବାର କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି ଚାଲିଛି। ଏପରିକି ସେମାନଙ୍କ ଭିତରୁ କେତେଜଣଙ୍କୁ ସହରରୁ ବାହାର, ଅର୍ଥାତ୍‌ ‘ତଡ଼ିପାର୍‌’ ବି କରା ଯାଇପାରେ। ଆଜି ଦୁଇଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ପୁଲିସ କମିସନର ନିଶା ବ୍ୟବସାୟୀଙ୍କୁ ଏଭଳି ଖୋଲା ଚେତାବନୀ ଦେଇଛନ୍ତି। ଆଗକୁ ନିର୍ବାଚନ ଥିବାରୁ ପୁଲିସ ପକ୍ଷରୁ ନିଶାକାରବାର ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। କିଭଳି ନିଶାମାଫିଆ ବନ୍ଧା ହେବେ ଓ ଏହା ଉପରେ ରୋକ୍‌ ଲଗାଯିବ, ସେଥିପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଥିବା ପୁଲିସ କମିସନ କହିଛନ୍ତି।

ଆଜି ସକାଳ ସମୟରେ କମିସନରେଟ୍‌ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ (ଏସ୍‌ସିୟୁ) ଏକ ବଡ଼ ଧରଣର ବ୍ରାଉନ୍‌ସୁଗାର ଚାଲାଣକୁ ପଣ୍ଡ କରି ଏଥିରେ ସମ୍ପୃକ୍ତ ଦୁଇ ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲ୍ଲା ଖୁଣ୍ଟୁଣି ଅଞ୍ଚଳର ଶିବ ପ୍ରସାଦ ଦାଶ(୨୭) ଓ ଜଗବନ୍ଧୁ ଦାଶ(୨୯)। ସେମାନଙ୍କଠାରୁ ୪୦୦ ଗ୍ରାମ ବ୍ରାଉନ୍‌ସୁଗାର, ଗୋଟିଏ ବାଇକ୍‌ ଓ ୩,୫୦୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଅଧିକ ହେବ। ତଦନ୍ତ ବେଳେ ଜଣାପଡ଼ିଛି ଯେ ଶିବ ଏକ ଘରୋଇ ବ୍ୟାଙ୍କରେ ଲୋନ୍‌ କଲେକ୍ଟର ଭାବେ କାମକରୁଥିଲା। ହେଲେ ରାତାରାତି ଲକ୍ଷପତି ହେବାର ସ୍ବପ୍ନ ଦେଖି ବ୍ରାଉନ୍‌ସୁଗାର ମାଫିଆଙ୍କ ସହ ମିଶିଥିଲା। କିଛି ମାସ ହେବ ସେ ଚାକିରିଛାଡ଼ି ବ୍ରାଉନ୍‌ସୁଗାର ଚାଲାଣରେ ମାତିଥିଲା। ସେ ନିଜ ଅଞ୍ଚଳର ଜଗବନ୍ଧୁକୁ ବି ଏଥିରେ ସାମିଲ୍‌ କରିଥିଲା। ତା’କୁ ମଧ୍ୟ ମୋଟାଅଙ୍କର ଅର୍ଥ ରୋଜଗାରର ଲୋଭ ଦେଖାଇଥିଲା। ଉଭୟ ବିଶେଷକରି ଖୋର୍ଦ୍ଧାର ହଳଦିଆ ଅଞ୍ଚଳରୁ ବ୍ରାଉନ୍‌ସୁଗାର ଆଣି ଉଭୟ ଭୁବନେଶ୍ବର ଓ କଟକର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବ୍ରାଉନସୁଗାର ଯୋଗାଉଥିଲେ।

ଏସ୍‌ସିୟୁ ସେମାନଙ୍କ ବିଷୟରେ ଜାଣିବା ପରେ ଏକ ଟିମ୍‌ ଉଭୟଙ୍କ ଗତିବିଧି ଉପରେ ନଜର ରଖିଥିଲା। ମଙ୍ଗଳବାର ଭୋର ସମୟରେ ଉଭୟ ହଳଦିଆରୁ ବାଇକ୍‌ରେ ବ୍ରାଉନ୍‌ସୁଗାର ନେଇ ଭୁବନେଶ୍ବର ଆସୁଥିବା ବେଳେ ତମାଣ୍ଡୋ ନିକଟରେ ପୁଲିସ ଉଭୟଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ହେଲେ ପୁଲିସକୁ ଦେଖି ସେମାନେ ଫେରାର୍‌ ଉଦ୍ୟମ କରିଥିଲେ। ତମାଣ୍ଡୋରୁ ପାହାଳ ପର୍ଯ୍ୟନ୍ତ ପାଖାପାଖି ୨୦କିମି ଗୋଡ଼ାଗୋଡ଼ି ପରେ ପୁଲିସ ପାହାଳ ନିକଟରେ ଉଭୟଙ୍କୁ କାବୁ କରିଥିଲା। ଜେରା ବେଳେ ଦୁହେଁ ସବୁ ସତ ମାନିଥିଲେ। ସେମାନଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଏହା ଜାଣିବାଲାଗି ପୁଲିସ ଉଭୟଙ୍କୁ ମାରାଥନ ଜେରାକରି କିଛି ତଥ୍ୟ ହାତେଇଛି। ଅନ୍ୟମାନଙ୍କୁ ଧରିବାଲାଗି ପୁଲିସ ହଳଦିଆ ଓ ଖୁଣ୍ଟୁଣି ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ଆସନ୍ତାକାଲି, ଅର୍ଥାତ୍‌ ବୁଧବାର ଦିନ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟପଟେ ଅବକାରୀ ଟିମ୍‌ ପଳାସୁଣୀ ନିକଟରେ ଚଢ଼ଉ କରି ଜଣେ ନିଶାବ୍ୟବସାୟୀକୁ ଗିରଫ କରିଛି। ସେ ହେଉଛି ସରୋଜ ସାହୁ(୨୯)। ତା’ପାଖରୁ ୮୫ଗ୍ରାମ ବ୍ରାଉନ୍‌ସୁଗାର ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button