ଅପରାଧ

ମହିଳା ଏସ୍‌ଆଇଙ୍କ ନିର୍ଯାତନା ଯୁବକଙ୍କ ଆତ୍ମହତ୍ୟା!: ମୃତକ ସେୟାର୍‌ କରିଥିବା ଭିଡିଓ ଭାଇରାଲ୍‌ – Kalinga News

[ad_1]

ଭୁବନେଶ୍ୱର: କମିସନରେଟ ପୁଲିସକୁ ଅସହଜ ସ୍ଥିତିରେ ପକାଇ ଦେଇଛି ଲିଙ୍ଗରାଜ ଥାନାର ଏକ ମାମଲା। ଏହି ଥାନାର ମହିଳା ସବ୍-ଇନ୍ସପେକ୍ଟର (ଏସ୍‌ଆଇ)ଙ୍କ ଧମକ ଓ ନିର୍ଯାତନାର ଶିକାର ହୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ସେୟାର୍ କରିଥିବା ଏକ ଭିଡିଓରେ ସେ ନିଜେ ଏହି ଅଭିଯୋଗ କରିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ମୃତ ଯୁବକଙ୍କ ନାଁ ହେଉଛି ଦିବ୍ୟଜ୍ୟୋତି ସାହୁ (୨୯)। ସେ ନିଜ ଭିଡିଓରେ କହିଛନ୍ତି ଯେ ତାଙ୍କ ଶଳା ପ୍ରବୀଣ ତାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଉଧାର ଦେବାକୁ ଦିବ୍ୟ ମନା କରିଥିଲେ। ଏହାପରେ ପ୍ରବୀଣ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଥିଲେ। ପୁଣି କିଛିଦିନ ପୂର୍ବରୁ ବ୍ୟକ୍ତିଗତ ମତଭେଦ ହେତୁ ତାଙ୍କ ପତ୍ନୀ ସେମାନଙ୍କର ୪ ବର୍ଷର ପୁଅକୁ ନେଇ ବାପଘରକୁ ପଳାଇଥିଲେ। ଏଥିପାଇଁ ପାଟିତୁଣ୍ଡ ହୋଇଥିଲା। ଦିବ୍ୟ କହିଛନ୍ତି ଯେ ପ୍ରବୀଣଙ୍କ କଥାରେ ତାଙ୍କ ପତ୍ନୀ ପୁଲିସ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେଣୁ ଜାନୁଆରି ୨୧ରେ ଦିବ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ଯୌତୁକ ଦାବି କରିବା ଓ ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜାନୁଆରି ୨୨ରେ ଦିବ୍ୟ ଥାନାରେ ହାଜର ହୋଇଥିଲେ। ନୋଟିସ୍‌ ଦିଆଯିବା ପରେ ତାଙ୍କୁ ଛାଡି ଦିଆଯାଇଥିଲା ବୋଲି ଲିଙ୍ଗରାଜ ଥାନାର ଜଣେ ଅଧିକାରୀ କହିଛନ୍ତି। ଦିବ୍ୟ ଭିଡିଓରେ ଅଭିଯୋଗ କରିଛନ୍ତି ଯେ ଥାନା ଏସ୍‌ଆଇ ସୁପ୍ରିୟା ପ୍ରିୟଦର୍ଶନୀ ଏହି ଘଟଣା ପରେ ମାମଲାର ସମାଧାନ ପାଇଁ ୫୦ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ କିମ୍ବା ଆସି ହାଜର ନହେଲେ ଘର ଲୋକଙ୍କୁ ବାନ୍ଧି ଜେଲ୍‌ରେ ପୂରାଇବେ ବୋଲି ଧମକ ଦେଇଥିଲେ। ଏହାପରେ ଏହି ଘଟଣା ସଂପର୍କରେ ସମସ୍ତଙ୍କୁ ଜଣାଇବାଲାଗି ଦିବ୍ୟ ଭିଡିଓ ତିଆରି କରିଥିଲେ। ପରେ ଜାନୁଆରି ୩୦ତାରିଖ ରାତିରେ ପିପିଲି ଥାନା ସୀମା ମଧ୍ୟରେ ଥିବା ଉତ୍ତରାସ୍ଥ ନିଜ ଘରେ ଆତ୍ମହତ୍ୟା କରିଥିଲେ। କିନ୍ତୁ ନିଜ ଜୀବନ ଶେଷ କରିବା ପୂର୍ବରୁ ତିଆରିଥିବା ଭିଡିଓଟିକୁ କିଛି ବନ୍ଧୁଙ୍କ ସହ ସେୟାର କରି ଦେଇଥିଲେ।

ଦିବ୍ୟଙ୍କ ପତ୍ନୀ ବର୍ତ୍ତମାନ ଲିଙ୍ଗରାଜ ଥାନା ସୀମା ମଧ୍ୟରେ ଶିଶୁପାଳଗଡ଼ ନିକଟ ତାଙ୍କ ବାପାଙ୍କ ଘରେ ରହୁଛନ୍ତି। ସେପଟେ ପିପିଲି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଦିବ୍ୟ ଆତ୍ମହତ୍ୟା କରିଥିବା ଘରୁ ପିପିଲି ପୁଲିସ ଏକ ଆତ୍ମହତ୍ୟା ନୋଟ୍‌ ଉଦ୍ଧାର କରିଥିବା ଓ ସେଥିରେ ସେ ଭିଡିଓରେ କହିଥିବା ସମାନ କଥା ଲେଖିଛନ୍ତି ବୋଲି କୁହାଯାଉଛି। ଅନୁସନ୍ଧାନର ଏକ ଅଂଶ ଭାବରେ ଲିଙ୍ଗରାଜ ଥାନାର ଉକ୍ତ ମହିଳା ଏସ୍‌ଆଇଙ୍କୁ ପଚରାଉଚରା କରାଯିବ ବୋଲି ପିପିଲି ଥାନାର ଜଣେ ଅଧିକାରୀ କହିଛନ୍ତି। ଉଲ୍ଳେଖନୀୟ ଯେ ଦିବ୍ୟଙ୍କ ମୃତ୍ୟୁ ପରେ ପିପିଲି ପୁଲିସ ପୂର୍ବରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଶନିବାର ଉପରୋକ୍ତ ଭିଡିଓ ଭାଇରାଲ୍‌ ହେବା ଏକ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ଏନେଇ ଦିବ୍ୟଙ୍କ ବାପା ମଧ୍ୟ ପିପିଲି ଫାଣ୍ଡି ମାଧ୍ୟମରେ ପିପିଲି ଥାନା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ତାଙ୍କ ପୁଅଙ୍କୁ ଶ୍ବଶୁରଘର ଲୋକ ନିର୍ଯାତନା ଦେଉଥିବା ବେଳେ ଲିଙ୍ଗରାଜ ଥାନା ଏସ୍‌ଆଇ ମଧ୍ୟ ନିର୍ଯାତନା ଦେବାରୁ ପୁଅ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button