ରାଜନୀତି

ବ୍ରହ୍ମପୁର ସଂସଦୀୟ କ୍ଷେତ୍ର: ତିନି ଦଳର ପ୍ରାର୍ଥୀ ବଦଳିପାରନ୍ତି – Kalinga News

[ad_1]

ବ୍ରହ୍ମପୁର: ଗଞ୍ଜାମ ରାଜନୀତିରେ ବିଜେଡିର ପତିଆରା ବଳବତ୍ତର ରହିଛି। ବିଜେପି ଓ କଂଗ୍ରେସ ବିଜେଡିକୁ ମାତ୍ ଦେବା ଲାଗି ରଣନୀତି ପ୍ରସ୍ତୁତରେ ବ୍ୟସ୍ତ। ତିନି ଦଳର ନଜର କିନ୍ତୁ ରହିଛି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଉପରେ। ପ୍ରାଥମିକ ପର୍ଯ୍ୟାୟରେ ପ୍ରାର୍ଥୀ ଚୟନ ମୂଳ ପ୍ରସଙ୍ଗ ହୋଇଛି। ତିନି ଦଳ ଆସନ୍ତା ନିର୍ବାଚନରେ ନୂଆ ମୁହଁ ଦେବା ଲାଗି ଯୋଜନା ଚଳାଇଛନ୍ତି। ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହୋଇଥିଲେ, ସେଥିରେ ପରିବର୍ତ୍ତନ ଲାଗି ମାନସମନ୍ଥନ ଚାଲିଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ମୋହନା ବିଧାନସଭା ଆସନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗଠିତ। ୨୦୧୯ରେ ବିଜେଡିରୁ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହୋଇ ଜିତିଥିଲେ। ଦଳର ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି, ତାଙ୍କୁ ଆଉଥରେ ଟିକେଟ୍ ଦିଆଯିବା ଦରକାର। କିନ୍ତୁ ଅନ୍ୟଗୋଟିଏ ବର୍ଗର ମତ ହେଉଛି, ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ଦୃଷ୍ଟିରୁ ଦଳ ତାଙ୍କୁ ଅନ୍ୟ କିଛି ଗୁରୁଦାୟିତ୍ବ ଦେବା ଦରକାର। ଗତବର୍ଷ ବ୍ରହ୍ମପୁରରେ ହଠାତ୍‌ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଆବିର୍ଭାବ ପରେ ଚନ୍ଦ୍ରଶେଖରଙ୍କ ଲୋକସଭା ପ୍ରାର୍ଥିତ୍ବକୁ ନେଇ ପ୍ରଶ୍ନ ଚିହ୍ନ ଲାଗିଛି। ଏଇଥିପାଇଁ ଯେ ସିଦ୍ଧାନ୍ତ ବ୍ରହ୍ମପୁର ସହିତ ଗୋପାଳପୁର, ଛତ୍ରପୁର, ଚିକିଟି ଭଳି ନିର୍ବାଚନମଣ୍ଡଳୀ ଗସ୍ତ କରି କର୍ମୀଙ୍କୁ ଭେଟିଥିଲେ। ଏଣୁ ସେ ପୁଣି ଥରେ ବ୍ରହ୍ମପୁର ରାଜନୀତିକୁ ଫେରିବେ ବୋଲି ଗୋଟିଏ ବାର୍ତ୍ତା ଯାଇଛି।

ସେପଟେ ୨୦୧୯ରେ ବିଜେପିରୁ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର। ହେଲେ ସେ କୌଣସି କାରଣରୁ ନିର୍ବାଚନମଣ୍ଡଳୀରୁ ଦୂରେଇଗଲେଣି। ଚର୍ଚ୍ଚା ଜୋର ଧରିଛି ଯେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଖୁବ୍ ଶୀଘ୍ର ବିଜେପି ଫେରିବେ। ଏକଥା ବି ଆଲୋଚନା ହେଉଛି, ବିଜେପି ତାଙ୍କୁ ଲୋକସଭା ପ୍ରାର୍ଥୀ କରିବ। ହେଲେ ଏଯାଏ ଶ୍ରୀ ପାଣିଗ୍ରାହୀ ମୁହଁ ଖୋଲିନାହାନ୍ତି। ସମ୍ଭବତଃ ଏ ସଂପର୍କରେ ଆଗୁଆ ସୂଚନା ପାଇଁ ଭ୍ରୁଗୁ ନିର୍ବାଚନମଣ୍ଡଳୀ ଛାଡ଼ିଥାଇପାରନ୍ତି। ଏହାବ୍ୟତୀତ ସ୍ଥାନୀୟ ବିଜେପିରେ ଗୋଷ୍ଠୀକନ୍ଦଳ ଶୀର୍ଷ ନେତୃତ୍ବକୁ ଚିନ୍ତାରେ ରଖିଛି। ଜିଲ୍ଲା ସଭାପତି ମୁକୁଟ ବିଭୂତି ଭୂଷଣ ଜେନାଙ୍କ ଠାରୁ ନେଇ ଦଳୀୟ ନେତୃତ୍ବ ଡା.ସୁବାସ ଚନ୍ଦ୍ର ସାହୁଙ୍କୁ ଦେଇଛନ୍ତି। କଂଗ୍ରେସର ସ୍ଥିତି ତଦ୍ରୁପ। ଗତ ନିର୍ବାଚନରେ ଦଳ ଭି.ଚନ୍ଦ୍ରଶେଖର ନାଇଡ଼ୁଙ୍କୁ ପ୍ରାର୍ଥୀ କରିଥିଲା। ନିର୍ବାଚନମଣ୍ଡଳୀରେ ସେ ଆଉ ସେତେଟା ସକ୍ରିୟ ନାହାନ୍ତି। ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ବି ତାଙ୍କୁ ଦେଖିବାକୁ ମିଳୁନାହିଁ। ଏଣୁ ତାଙ୍କ ବଦଳରେ କଂଗ୍ରେସ ଜଣେ ନୂଆ ଚେହେରାକୁ ସୁଯୋଗ ଦେବାକୁ ଚିନ୍ତା କରୁଛି। ହେଲେ ଦଳ ପାଖରେ ସେଭଳି ଚର୍ଚ୍ଚିତ ନେତାଙ୍କ ଅଭାବ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button