ଯଶସ୍ବୀ ୧୭୯*: ଭାରତ ୩୩୬/୬ – Kalinga News

[ad_1]
ଭାଇଜାଗ୍: ଯଶସ୍ବୀ ଜୟସ୍ବାଲଙ୍କ କ୍ୟାରିୟର ଶ୍ରେଷ୍ଠ ଦ୍ବିତୀୟ ଟେଷ୍ଟ୍ ଶତକ (୧୭୯*) ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ୬ ୱିକେଟ୍ ହରାଇ ୩୩୬ ରନ୍ ସଂଗ୍ରହ କରିଛି। ଅଧିକାଂଶ ଭାରତୀୟ ବ୍ୟାଟର୍ ଭଲ ଆରମ୍ଭ କରିଥିଲେ ମଧ୍ୟ କେହି ଲମ୍ବା ପାଳି ଖେଳି ଅର୍ଦ୍ଧଶତକ ପୂର୍ଣ୍ଣ କରିପାରି ନାହାନ୍ତି। ବରଂ କେବଳ ଜୟସ୍ବାଲ ଏକା ଏକା ଦିନତମାମ ବ୍ୟାଟିଂ କରିଛନ୍ତି। ତଥାପି ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ବାଣ୍ଟି ନେଇଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ଘରୋଇ ଦଳ ୩ଟି ପରିବର୍ତନ କରି ଖେଳିଥିଲା। ଆହତ କାରଣରୁ କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଡ଼େଜା ବାଦ୍ ପଡ଼ିଥିବାବେଳେ ମାତ୍ରାଧିକ କ୍ରିକେଟ୍ ପାଇଁ ମହମ୍ମଦ ସିରାଜଙ୍କୁ ଦଳରୁ ମୁକ୍ତ କରିଦିଆଯାଇଥିଲା। ଏମାନଙ୍କ ବଦଳରେ ରଜତ ପଟିଦାର, କୁଲଦୀପ ଯାଦବ ଓ ମୁକେଶ କୁମାର ଖେଳିଛନ୍ତି। ରଜତ ପଟିଦାର ଟେଷ୍ଟ୍ ପଦାର୍ପଣ କରିଥିଲେ। ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମଧ୍ୟ ରୋହିତ ନିଜେ ଅଧିକ ସମୟ ଖେଳିପାରି ନଥିଲେ। ଇଂଲଣ୍ଡ ପାଇଁ ପଦାର୍ପଣ କରିଥିବା ଅଫସ୍ପିନର୍ ସୋଏବ ବଶିର ପ୍ରାଇଜ୍ ୱିକେଟ୍ ଭାବେ ରୋହିତ (୧୪ ରନ୍, ୪୧ ବଲ୍)ଙ୍କୁ ଓଲି ପୋପ୍ଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଏହା ପରେ ଶୁବମନ ଗିଲ୍ (୪୬ ବଲ୍ରୁ ୩୪ ରନ୍), ଶ୍ରେୟସ ଆୟର (୫୯ ବଲ୍ରୁ ୨୭ ରନ୍), ରଜତ ପଟିଦାର (୭୨ ବଲ୍ରୁ ୩୨ ରନ୍), ଅକ୍ଷର ପଟେଲ (୫୧ ବଲ୍ରୁ ୨୭ ରନ୍), ଶ୍ରୀକର ଭରତ (୨୩ ବଲ୍ରୁ ୧୭ ରନ୍) ନିଜ ନିଜ ପାଳିକୁ ଆଗକୁ ବଢ଼ାଇପାରି ନାହାନ୍ତି। ବାମହାତୀ ଯୁବ ତାରକା ଯଶସ୍ବୀ ଜୟସ୍ବାଲ କିନ୍ତୁ ଆକର୍ଷଣୀୟ ପାଳି ଖେଳି ପ୍ରଥମ ଟେଷ୍ଟରେ ଶତକ ହାତଛଡ଼ା ସୁଯୋଗକୁ ଏଠାରେ କାବୁ କରି ନେଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଅର୍ଦ୍ଧଶତକ, ଚା’ପାନ ବିରତି ପୂର୍ବରୁ ଶତକ ହାସଲ କରିଥିବା ଏହି ୨୨ ବର୍ଷୀୟ ମୁମ୍ବାଇ କ୍ରିକେଟର୍ ଦ୍ବିଶତକ ମୁହାଁ ହୋଇଛନ୍ତି। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଶତକ (୧୭୧) ହାସଲ କରିଥିବା ଜୟସ୍ବାଲ ଏହାକୁ ଅତିକ୍ରମ କରି ଟେଷ୍ଟ୍ ଜୀବନର ଶ୍ରେଷ୍ଠ ପାଳି ଖେଳି ସାରିଛନ୍ତି। ୨୫୭ ବଲ୍ ସମ୍ମୁଖୀନ ହୋଇ ୧୭ ଚୌକା, ୫ ଛକା ସହ ୧୭୯* ରନ୍ରେ ବ୍ୟାଟିଂ କରୁଛନ୍ତି। ତାଙ୍କ ସହ ଆର୍ ଅଶ୍ବିନ (୫*) ମଧ୍ୟ ରହିଛନ୍ତି। ଜୟସ୍ବାଲ ମ୍ୟାଚ୍ ପରେ କହିଛନ୍ତି ‘‘ମୁଁ ଭାରତ ପାଳିର ଶେଷ ପର୍ଯ୍ୟନ୍ତ ଖେଳିବାକୁ ଅଗ୍ରହୀ ରହିଛି ଏବଂ ଦୁଇ ଗୁଣା ରନ୍ ସଂଗ୍ରହ ଆଶା କରିଛି।’’

Sambad is now on WhatsApp
Join and get latest news updates delivered to you via WhatsApp
ଗିଲ୍ଙ୍କୁ ଚେତାବନୀ: ଅପେକ୍ଷାରେ ପୂଜାରା
ବିଶାଖାପାଟଣା: ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିନରେ ଶୁବମନ ଗିଲ୍ ୩୪ ରନ୍ରେ ଆଉଟ୍ ହେବା ପରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। ଲଗାତାର ସପ୍ତମ ପାଳିରେ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୬ ରନ୍ ତାଙ୍କର ନିକଟତମ ସ୍କୋର ମଧ୍ୟରେ ସର୍ବୋଚ୍ଚ ରହିଛି। ତେଣୁ ତାଙ୍କର ଏଭଳି ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଶିକ୍ଷକ ତଥା ଭାଷ୍ୟକାର ରବି ଶାସ୍ତ୍ରୀ। ଏପରିକି ତାଙ୍କ ସ୍ଥାନ ନେବାକୁ ଚେତେଶ୍ବର ପୂଜାରା ପ୍ରସ୍ତୁତ ଥିବା ସେ ଚେତାଇ ଦେଇଛନ୍ତି। ଶାସ୍ତ୍ରୀଙ୍କ ମତରେ, ଏହା ଯୁବ ଭାରତୀୟ ଦଳ। ତେଣୁ ପ୍ରତ୍ୟେକ ଯୁବ ଖେଳାଳିଙ୍କୁ ସେମାନଙ୍କ ଦକ୍ଷତା ଦେଖାଇବାକୁ ପଡ଼ିବ। ସମସ୍ତଙ୍କୁ ଜାଣି ରଖିବାକୁ ହେବ ଯେ, ପୂଜାରା ମଧ୍ୟ ଏବେ ଅପେକ୍ଷାରେ ଅଛନ୍ତି। ରଣଜୀ ଟ୍ରଫିରେ ଲଗାତାର ଚମତ୍କାର ପ୍ରଦର୍ଶନ ଦେଇ ଜାତୀୟ ଦଳକୁ ଫେରିବା ଆଶାରେ ସେ ରହିଛନ୍ତି। ତେଣୁ ଯିଏ ବି ଖରାପ ଖେଳିବ, ପୂଜାରା ଦଳ ସହିତ ଯୋଗଦେବାକୁ ପ୍ରସ୍ତୁତ ଥିବା ଶାସ୍ତ୍ରୀ ଚେତାବନୀ ଦେଇଛନ୍ତି। ଗିଲ୍ ଏହି ପାଳିରେ ୪୬ ବଲ୍ର ସମ୍ମୁଖୀନ ହୋଇ ୩୪ ରନ୍ (୫ ଚୌକା) କରିଥିଲେ। ଗତ ୬ ପାଳିରେ ତାଙ୍କର ରନ୍ ଧାରା ହେଉଛି ୨, ୨୬, ୩୬, ୧୦, ୨୩, ୦। ଏଭଳି ସ୍ଥିତିରେ ସୌରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ଖେଳୁଥିବା ପୂଜାରା ୭ ପାଳିରେ ୮୯.୬୬ ହାରରେ ୫୩୮ ରନ୍ ସଂଗ୍ରହ କରି ଲୟରେ ଥିବା ପ୍ରମାଣିତ କରିଛନ୍ତି। ସେ ଗତ ୭ ପାଳିରେ ୨୪୩*, ୪୯, ୪୩, ୪୩, ୬୬, ୯୧, ୩ ରନ୍ କରିଛନ୍ତି।
[ad_2]