ମୟୂରଭଞ୍ଜରେ ଝାଡ଼ଖଣ୍ଡ ତାତି: ଅଡ଼ୁଆ ପରିସ୍ଥିତିରେ ଜେଏମ୍ଏମ୍, ସୁଯୋଗ ନେଇପାରେ ଭଂଜସେନା – Kalinga News

[ad_1]
ରୁଦ୍ରରଂଜନ ଶେଜପଡ଼ା
ବାଲେଶ୍ବର: ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହୋଇଛନ୍ତି। ଫଳରେ ତାଙ୍କ ଦଳ ଜେଏମ୍ଏମ୍ ବ୍ୟାକ୍ଫୁଟ୍କୁ ଚାଲିଯିବାର ସମ୍ଭାବନା ରହିଛି। ହେମନ୍ତ ପ୍ରଭାବ କେବଳ ଝାଡ଼ଖଣ୍ଡରେ ନୁହେଁ, ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଦେଖାଦେଇଛି। ଏଠାରେ ପ୍ରଥମକରି ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ଭଂଜସେନା ପାଇଁ ଏକପ୍ରକାର ସୁଯୋଗ ସୃଷ୍ଟି ହୋଇଥିବା ବେଳେ ଜେଏମ୍ଏମ୍ ପାଇଁ ଅଡ଼ୁଆ ପରିସ୍ଥିତି ଉପୁଜିଛି।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ୬୦୦ କୋଟି ଟଙ୍କା ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଏପରି ସମୟରେ ଗତକାଲି (ବୁଧବାର) ସନ୍ଧ୍ୟା ବେଳେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାପରେ ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଗିରଫ କରିନେଇଛନ୍ତି। ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଏପରି ଗିରଫ ହେବା ଘଟଣା ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ଚର୍ଚ୍ଚାର ବିଷୟ ହୋଇନି, ରାଜନୈତିକ ପ୍ରଭାବ ମଧ୍ୟ ପକାଇଛି। କୁହାଯାଉଛି, ଆଗାମୀ ନିର୍ବାଚନରେ ଜେଏମ୍ଏମ୍ ଉପରେ ଏହାର ପ୍ରଭାବ ପଡ଼ିପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ମୟୂରଭଞ୍ଜରେ ଦଳର ସଙ୍ଗଠନ ରହିଥିବାରୁ ଅନୂରୂପ ଭାବେ ଏଠାକାର କର୍ମୀମାନଙ୍କଠାରୁ ଆରମ୍ଭକରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିରୁତ୍ସାହିତ କରିପାରେ। ଏପରିହେଲେ, ‘ଜଣଙ୍କ କ୍ଷତିରେ ଅନ୍ୟ ଜଣଙ୍କ ଲାଭ’ ଭଳି ଭଞ୍ଜସେନା ପାଇଁ ଏହା ସୁଯୋଗ ଆଣିପାରେ। ପୂର୍ବରୁ ଭଞ୍ଜସେନା ପ୍ରଥମଥର ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ଘୋଷଣା କରିସାରିଛି। ତେବେ, ଜେଏମ୍ଏମ୍ ସମସ୍ୟାରେ ଛନ୍ଦିହେବା ଜନିତ କାରଣରୁ ତାଙ୍କ ସଙ୍ଗଠନକୁ ଫାଇଦା ହାସଲ କରିବ କି ବୋଲି ପ୍ରଶ୍ନକୁ ସିଧାସଳଖ ଅଗ୍ରାହ୍ୟ କରିଛନ୍ତି ଭଂଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା। ସେ କହିଛନ୍ତି, ‘ହେମନ୍ତ ସୋରେନଙ୍କ ଗିରଫଦାରୀର ପ୍ରଭାବ ଜେଏମ୍ଏମ୍ ଉପରେ କ’ଣ ପଡ଼ିବ, ନ ପଡ଼ିବ; ସେକଥା ମୁଁ କହିପାରିବିନି। ସେହିପରି ଆମକୁ ଫାଇଦା ମିଳିବ କି ନାହିଁ, ସେକଥା ବି ମୁଁ ଜାଣିନି। ଆମେ ମୟୂରଭଞ୍ଜର ବିକାଶ ପାଇଁ ଲଢ଼ୁଥିଲୁ ଏବଂ ଭବିଷ୍ୟତରେ ମଧ୍ୟ ଲଢ଼ିବୁ। ଏଥର ଲୋକସଭା ଆସନ ସହ କିଛି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବାକୁ ଚିନ୍ତା କରିଛୁ।’
ଅନ୍ୟପକ୍ଷରେ, ପଶ୍ଚିମ ମୟୂରଭଞ୍ଜ ଜେଏମ୍ଏମ୍ ସଭାପତି ତଥା ରାଜ୍ୟ ପ୍ରବକ୍ତା ସୁନୀଲ ମାଝୀ କହିଛନ୍ତି, ଝାଡ଼ଖଣ୍ଡରେ ଆମ ସରକାର ଥିଲା, ଆଗକୁ ରହିବ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି। ଝାଡ଼ଖଣ୍ଡ କି ମୟୂରଭଞ୍ଜ; କେଉଁଠି ବି ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଏକଦା କଳିଙ୍ଗକେଶରୀ ଜେଏମ୍ଏମ୍ରେ ଯୋଗଦେଇଥିଲେ। ସେତେବେଳେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ ମିଳିଥିଲା। ହେଲେ ନା ଭୋଟର, ଦଳୀୟ ନେତୃବୃନ୍ଦ; କାହା ଉପରେ କିଛି ପ୍ରଭାବ ପକାଇ ପାରି ନଥିଲେ। ତାଙ୍କ ତତ୍ତ୍ବାବଧାନରେ ଚାଲିଥିବା ଭଞ୍ଜସେନା ସଂଗଠନ କାଗଜକଲମରେ ଚାଲିଛି। ଜେଏମ୍ଏମ୍କୁ ଭଲପାଉଥିବା ଆଦିବାସୀ େଭାଟରଙ୍କୁ କୌଣସି ଦଳ ବା ସଂଗଠନ ଭୁଆଁ ବୁଲାଇ ପାରିବେ ନାହିଁ।’ ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୪ ମସିହାରେ ସୁଦାମ ମାରାଣ୍ଡି ଜେଏମ୍ଏମ୍ ଟିକେଟ୍ରେ େଲାକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେହିପରି ବିଭିନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ବେଶ୍ ଭଲ ଭୋଟ୍ ହାତେଇବାକୁ ସମର୍ଥ ହୋଇଆସୁଛି।
[ad_2]




