ସାଲିଆସାହି ସମାବେଶ ହୋଇପାରିଲା ନାହିଁ: ଆସିଲେନି ଅପରାଜିତା! – Kalinga News
[ad_1]
୫ ହଜାର ଲୋକଙ୍କ ପାଇଁ ଖାଇବା ହୋଇଥିଲା
ଚନ୍ଦ୍ରଶେଖରପୁର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାବେଶ ପାଇଁ ପ୍ରସ୍ତୁତି ସରିଥିଲା। ୫ ହଜାର ଲୋକଙ୍କୁ ସାମିଲ କରିବାକୁ ଯୋଜନା ହୋଇଥିଲା। ସେହି ଅନୁଯାୟୀ ଖାଦ୍ୟ ରନ୍ଧା ଯାଇଥିଲା। ରାତି ୮ଟାରେ ସାଂସଦ ସମାବେଶରେ ସାମିଲ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଏହାର ଘଣ୍ଟାକ ପୂର୍ବରୁ ମହିଳା, ଶିଶୁଙ୍କ ସମେତ ବୟସ୍କ ଲୋକଙ୍କୁ ଆେୟାଜକମାନେ ଚେୟାରରେ ବସାଇଥିଲେ। ସନ୍ଧ୍ୟା ୭ଟା ଯାଇ ୮ଟା ଟପିଲା। ମାତ୍ର ସାଂସଦଙ୍କ ଦେଖା ମିଳିଲା ନାହିଁ। ମାଇକ୍ରେ ବାରମ୍ବାର କୁହାଯାଉଥିଲା ସାଂସଦ ଆସୁଛନ୍ତି। ଖୁବ୍ଶୀଘ୍ର ପହଞ୍ଚିବେ, ଅପେକ୍ଷା କରନ୍ତୁ। ସମୟ ଗଡ଼ି ଗଲା ସିନା ସାଂସଦଙ୍କ ଦେଖା ମିଳିଲା ନାହିଁ। ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଠିକ୍ ଏହି ସମୟରେ ବର୍ଷା ହେବାରୁ ଲୋକେ ସମାବେଶ ସ୍ଥଳ ଛାଡ଼ି ପଳାଇଯାଇଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ଆସି ନ ଥିଲେ। ସାଲିଆସାହି ଆଦିବାସୀ ଗାଁ ଫୁଟବଲ୍ ପଡ଼ିଆର ଏହି ଘଟଣା ରାଜଧାନୀ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆୟୋଜକଙ୍କ କହିବା କଥା ହେଉଛି ଯେ ଖୋଲା ଆକାଶ ତଳେ ସଭା କରାଯାଇଥାନ୍ତା। ବର୍ଷାରୁ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପାଖାପାଖି ଦୁଇ ହଜାର ଲୋକଙ୍କ ସମାଗମ ହୋଇଥିଲା। ସାଂସଦଙ୍କୁ ପୋଛୋଟି ନେବା ପାଇଁ ଛକରେ ୫୦୦ ଲୋକ ଛିଡ଼ା ହୋଇ ରହିଥିଲେ। ହେଲେ ହଠାତ୍ ବର୍ଷା ହେବାରୁ ସମାବେଶ ହୋଇ ପାରି ନ ଥିଲା। ଲୋକେ ଘରକୁ ପଳାଇ ଯାଇଥିଲେ। ବର୍ଷା ଛାଡ଼ିବା ପରେ ଲୋକେ ଆସି ରାତି ୧୧ଟା ପର୍ଯ୍ୟନ୍ତ ଖାଇଥିଲେ। ପରେ ପୁଣିଥରେ ସମାବେଶ କରାଯିବ ବୋଲି କୁହାଯାଇଛି। ତେବେ ସ୍ଥାନୀୟ ବିଜେଡି ନେତାଙ୍କ କହିବା କଥା ହେଉଛି ଯେ ସାଂସଦଙ୍କୁ ଏଠାକାର ଲେକେ ଗ୍ରହଣ କରୁନାହାନ୍ତି। ବାରମ୍ବାର ପ୍ରତିଶ୍ରୁତି ଦେଇ ସେ ଏଠାକାର ଲୋକଙ୍କୁ ଭୂଆଁ ବୁଲାଇଛନ୍ତି। ଆଜି ଲୋକଙ୍କୁ ହଠାତ୍ ସମାବେଶକୁ ଡାକିବାରୁ ସେମାନେ ଆସିଲେ ନାହିଁ। ଏହା ଜାଣିବା ପରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସମାବେଶ ସ୍ଥଳକୁ ଆସିଲେ ନାହିଁ। ସାଲିଆସାହି ଲୋକଙ୍କ ସହ ବିଜେଡି ସବୁବେଳେ ରହିଛି, ରହିବ ମଧ୍ୟ। ସାଂସଦଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ବୋଲଗଡ଼ରେ ସାଂସଦଙ୍କ କାର୍ଯ୍ୟକ୍ରମ ଥିବାରୁ ସେଠାରୁ ଫେରିବାକୁ ସମୟ ଲାଗିଲା। ସାଲିଆସାହିରେ ୮ଟାରେ କାର୍ଯ୍ୟକ୍ରମ ରହିଥିଲା। ବର୍ଷା ହେବାରୁ ଖୋଲା ଆକାଶ ତଳେ ଲୋକଙ୍କୁ ଓଦା କରି ସମାବେଶ କରିବା ଠିକ୍ ନୁହେଁ। ତେଣୁ ସମାବେଶକୁ ବାତିଲ କରାଗଲା। ଖୁବ୍ଶୀଘ୍ର ପୁଣି ଏକ ସମାବେଶ ପାଇଁ ସମୟ ଧାର୍ଯ୍ୟ କରାଯିବ।
[ad_2]