ରାଜନୀତି

ଆଇନ ମନ୍ତ୍ରୀଙ୍କୁ ଜବାବ ଦେଲା ଯୁବ କଂଗ୍ରେସ: ବିଜେପିକୃତ ବିନାଶକୁ ବିରୋଧ କରୁଛି କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ଏବେ ଦେଶ ଓ ବିକାଶର ବିରୋଧୀ ହୋଇଗଲାଣି ବୋଲି ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ଆଜି ଏହାର ଜବାବ ଦେଇଛି ଯୁବ କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନେତା ୟାସିର ନୱାଜ କହିଛନ୍ତି, ଗତକାଲି ଯୁବ କଂଗ୍ରେସ ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ସାଧାରଣ ସମସ୍ୟା ପ୍ରସଙ୍ଗରେ ଗଣତାନ୍ତ୍ରିକ ପଦ୍ଧତିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଡିଜି-ଆଇଜି ସମ୍ମିଳନୀ ସମ୍ପର୍କରେ କିଛି ମନ୍ତବ୍ୟ ଦେଇ ନାହିଁ। କିନ୍ତୁ ଆଇନ ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣରେ ଶାଳୀନତା ରହୁନି। ସେ ଯୁବ କଂଗ୍ରେସର ଅଭିଯୋଗଗୁଡ଼ିକୁ ଏଡ଼ାଇ ଯାଇ ନିଜ ବକ୍ତବ୍ୟରେ ଅପ୍ରସଙ୍ଗ କଥା କହିଛନ୍ତି। ଓଡ଼ିଶାର ଲୋକେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରୁଥିବା ବେଳେ ଶ୍ରୀ ହରିଚନ୍ଦନ ବିକାଶର ଡେଙ୍ଗୁରା ପିଟୁଛନ୍ତି।

କଂଗ୍ରେସ ବିକାଶକୁ ବିରୋଧ କରୁ ନାହିଁ, ମାତ୍ର ବିଜେପିକୃତ ବିନାଶକୁ ଦୃଢ଼ ବିରୋଧ କରୁଛି। ଆଇନ ମନ୍ତ୍ରୀ ନିଜ ଦଳର ଇତିହାସକୁ ଭୁଲି ଯାଉଛନ୍ତି। ଧର୍ମ ଓ ଜାତି ନାମରେ ଦେଶରେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ବିଜେପି। କଂଗ୍ରେସ ଦେଶକୁ ବ୍ରିଟିସମୁକ୍ତ କରିଥିଲା ବେଳେ ବିଜେପି ଦେଶରେ ବ୍ରିଟିସଙ୍କ ଦାୟାଦ ଭଳି କାର୍ଯ୍ୟ କରୁଛି। ବିଜେପି ଦେଶକୁ ଭାଙ୍ଗିବାକୁ ମସୁଧା କରୁଥିଲା ବେଳେ କଂଗ୍ରେସ ଦେଶ ଯୋଡ଼ିବା କାର୍ଯ୍ୟରେ ବ୍ୟସ୍ତ ରହିଛି। ବିଜେପି ସରକାର ଅମଳରେ ବଜାର ଦର ଆକାଶ ଛୁଆଁ ହୋଇଗଲାଣି। ସାଧାରଣ ଜନତାଙ୍କ ଜୀବନ ଯାପନ ଦୁର୍ବିଷହ ହୋଇପଡ଼ିଛି। ମୋଦୀ ଶାସନରେ ଚାଷୀ, ବେକାର ଯୁବକ ଯୁବତୀ, ନିର୍ଯ୍ୟାତିତା ମହିଳା ମୁହଁ ଖୋଲିପାରୁ ନାହାନ୍ତି। କୋର୍ଟ, ଇଡି, ସିବିଆଇ ଆଦି ଅନୁଷ୍ଠାନ ବିଜେପିର ହାତବାରିସି ସାଜିଛି। ଯିଏ ବିଜେପି ସରକାର ବିରୋଧରେ ସ୍ବର ଉତ୍ତୋଳନ କଲା, ତାଙ୍କୁ ଏହି ଅସ୍ତ୍ର ଲଗାଇ ତଳିତଳାନ୍ତ କରାଯାଉଛି। ତେଣୁ ଲୋକବିରୋଧୀ କିଏ ତାହା ଆଇନମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ରଣଜିତ ପାତ୍ର, ମନୋଜ ବିଶ୍ବାଳ, ସୁଦୀପ ସାମଲ ଓ ନିହାର ବେହେରା ଉପସ୍ଥିତ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button