ରୂପାନ୍ତର ନାଁରେ ଛଳନା କରାଯାଉଛି: ଧର୍ମେନ୍ଦ୍ର – Kalinga News

[ad_1]
ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ, ଇଷ୍ଟ ଇଣ୍ଡିଆ ପ୍ରତିନିଧିଙ୍କ ସାର୍ଟିଫିକେଟ୍ ଲୋଡ଼ା ନାହିଁ
ଭୁବନେଶ୍ୱର: କିଛି ଦିନ ହେଲା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନ ନେଇ ଟାର୍ଗେଟ କରୁଥିଲେ। କେନ୍ଦ୍ର ମନ୍ତ୍ରୀ ପୂର୍ବରୁ ଏନେଇ କିଛି ପ୍ରତିକ୍ରିୟା ଦେଇ ନଥିଲେ। ଆଜି କିନ୍ତୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସିଧାସଳଖ ବର୍ଷିଛନ୍ତି ଧର୍ମେନ୍ଦ୍ର। କାହାର ନାମ ନନେଇ କହିଛନ୍ତି ଯେ ଭଡ଼ାଟିଆ ଇଷ୍ଟ ଇଣ୍ଡିଆ ପ୍ରତିନିଧିଙ୍କ ସାର୍ଟିଫିକେଟ୍ ମୋର ଦରକାର ନାହିଁ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ବିକଶିତ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଓଡ଼ିଶାରେ ୨୫ ବର୍ଷର ଶାସନରେ କେବଳ ମିଛ ରୂପାନ୍ତରର କଥା କୁହାଯାଉଛି। ଏହା ପ୍ରତାରଣା ନା ଛଳନା? ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ କେବଳ ଦିନରେ ଲଣ୍ଠନ ଦେଖାଉଛନ୍ତି। ଶ୍ରୀ ପ୍ରଧାନ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ପାନୀୟ ଜଳ ବ୍ୟବସ୍ଥା, ଡ୍ରପ୍ ଆଉଟ ହାର ବଢ଼ିବା, ବେରୋଜଗାରୀ, ଅପରାଧ ଓ ଅପରାଧୀଙ୍କୁ ଦିଆଯାଉଥିବା ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସ୍ୱାସ୍ଥ୍ୟସେବା କେବଳ ବିଜ୍ଞାପନରେ ସୀମିତ। ନବଜାତ ଶିଶୁଙ୍କ ଓଜନ ଅନୁସାରେ ଉଚ୍ଚତା ଓ ଉଚ୍ଚତାନୁସାରେ ଓଜନ ହ୍ରାସ ହୋଇଛି। ଶିଶୁମାନେ ଅପପୁଷ୍ଟି ଓ ମହିଳା ରକ୍ତହୀନତାର ଶିକାର ହେବା ଚିନ୍ତାଜନକ। କେବଳ ବଡ଼ ବଡ଼ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିବା କୁହାଯାଉଥିବା ବେଳେ ସେଠାରେ ଡାକ୍ତର ନାହାନ୍ତି। ସରକାରୀ ହସ୍ପିଟାଲର ଅବସ୍ଥା ସଙ୍ଗୀନ।

Sambad is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ରାଜ୍ୟରେ ରୋଜଗାର ନାହିଁ। ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ କ’ଣ କେହି ବାହାରକୁ କାମ କରିବାକୁ ଯାଉନାହାନ୍ତି କି? ନୀଳବର୍ଣ୍ଣମାନଙ୍କ ଦ୍ୱାରା ପରିଚାଳିତ ମୁଖ୍ୟମନ୍ତ୍ରୀ ମାସିକ ପ୍ରାୟ ୨୫୦ କୋଟି ଟଙ୍କା ବେସରକାରୀ ହସ୍ପିଟାଲକୁ ଟେକି ଦେଇ କେବଳ ବିଜ୍ଞାପନରେ ସ୍ୱାସ୍ଥ୍ୟସେବା କରୁଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ଦୀର୍ଘ ବର୍ଷ ଧରି ସ୍ଥିର ସରକାର ଥିବା ସତ୍ତ୍ୱେ ପ୍ରାୟ ୫୦% ପିଲା ମାଟ୍ରିକରେ ଅଧାରୁ ପାଠ ଛାଡ଼ୁଛନ୍ତି। ଚଳିତବର୍ଷ ପ୍ରାୟ ୧୫ ହଜାର ପିଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରି ମଧ୍ୟ ପରୀକ୍ଷା ଦେବାକୁ ଯାଇନାହାନ୍ତି। ଏହା କ’ଣ ରୂପାନ୍ତର? ଢେଙ୍କାନାଳର କାମାକ୍ଷାନଗର ଓ ଅନୁଗୁଳ ବଅଁରପାଳରେ କେନାଲରେ ପାଣି ନମାଡ଼ିବା କ’ଣ ରୂପାନ୍ତର ?
ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ
ଇଷ୍ଟ ଇଣ୍ଡିଆ ପ୍ରତିନିଧିଙ୍କ ସାର୍ଟିଫିକେଟ୍ ଲୋଡ଼ା ନାହିଁ
ସ୍ବାସ୍ଥ୍ୟ ଭିତ୍ତିଭୂମି, ପାନୀୟ ଜଳ, ଡ୍ରପ୍ଆଉଟ୍, ବେରୋଜଗାରୀ, ଆଇନଶୃଙ୍ଖଳା ନେଇ ବର୍ଷିଲେ
ଶ୍ରୀ ପ୍ରଧାନ କହିଥିଲେ, ଏନ୍ସିଆରବି ରିପୋର୍ଟ ଅନୁଯାୟୀ ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠାରୁ ଖରାପ ତିନିଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ମମିତା ମେହେର ହତ୍ୟାକାଣ୍ଡର କୌଣସି ଉତ୍ତର ମିଳିଲା ନାହିଁ। ସରକାରଙ୍କ ବଡ଼ପଣ୍ଡାମାନେ ମାରି ପୋତିଦେଲେ। ଅଭିଯୁକ୍ତର ଜେଲ୍ରେ ମୃତ୍ୟୁ ଘଟିଲା। ଭଟ୍ଟଲି ଅଞ୍ଚଳରେ ଥାନାରେ ପଶି ପୁଲିସକୁ ମାଡ଼ ହେଲା। ମୁଖ୍ୟମନ୍ତ୍ରୀ ରାଜ୍ୟର ଗୃହମନ୍ତ୍ରୀ, ଏହାର ଉତ୍ତର ଦିଅନ୍ତୁ। ଏସବୁ ସତ୍ତ୍ୱେ ବିରୋଧୀ ଅନ୍ଧପୁଟୁଳି ବାନ୍ଧିଛନ୍ତି କହିଲେ ଲୋକେ ଜବାବ ଦେବେ। ଆଜି ଓଡ଼ିଶାରେ ନିର୍ବାଚିତ କ୍ୟାବିନେଟ୍ ମନ୍ତ୍ରୀମାନେ ମନୋନୀତ ମନ୍ତ୍ରୀ ପାଇଁ ଜରିପାଲ ବିଛାଉଛନ୍ତି, ଟ୍ରାଫିକ ପୁଲିସର କାମ କରୁଛନ୍ତି। ପ୍ରଜାତନ୍ତ୍ରରେ ଲୋକେ ଅହଙ୍କାରକୁ ବରଦାସ୍ତ କରିବେ ନାହିଁ। ଧୃତରାଷ୍ଟ୍ର କିଏ, ଆଗାମୀ ନିର୍ବାଚନରେ ଲୋକମାନେ ତାହାର ଜବାବ ଦେବେ।
କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର କହୁଛନ୍ତି ବିରୋଧୀ ସହି ପାରୁନାହାନ୍ତି। ମୋଦୀ ସରକାରରେ କୋଭିଡ୍ ସମୟରୁ ୨୦୨୯ ପର୍ଯ୍ୟନ୍ତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦ କୋଟି ଏବଂ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ଓଡ଼ିଶାରେ ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇଦିଆଯାଉଛି। ଜଳ ଜୀବନ ମିସନରେ ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ପାଇଁ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁ ଓଡ଼ିଶାରେ ସବୁ ଘରେ ପିଇବା ପାଣି ପହଞ୍ଚି ପାରିନାହିଁ। କଂଗ୍ରେସ ସରକାରର ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ମୋଦୀ ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଗତ ୯ ବର୍ଷର ଶାସନରେ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଛି। ସଦ୍ୟ ପ୍ରକାଶିତ ନୀତି ଆୟୋଗର ରିପୋର୍ଟ ଅନୁସାରେ ୨୦୧୩-୧୪ରେ ୨୯.୧୭% ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏହି ସଂଖ୍ୟା ହ୍ରାସ ପାଇ ୨୦୨୨-୨୩ରେ ୧୧.୨୮%ରେ ପହଞ୍ଚିଛି। ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
[ad_2]