ବିଶ୍ବଜିତ ହତ୍ୟା ମାମଲା: କୁଆଡ଼େ ଗଲେ ମହିଳା କେୟାର୍ ଟେକର୍? – Kalinga News
[ad_1]
ତଣ୍ଟି କାଟିବା ସହ ମୁହଁକୁ ଛେଚିଦେଇଛନ୍ତି, କାଠପିଟଣା ଜବତ
ବାଲିଅନ୍ତା: ସାଗୁଆ ଗାଁରେ ଘଟିଥିବା ହୋଟେଲ ବ୍ୟବସାୟୀ ବିଶ୍ବଜିତ ନାୟକ ଓରଫ୍ ବାବୁ ହତ୍ୟା ଘଟଣା ଅଧିକ ରହସ୍ୟମୟ ହୋଇପଡ଼ିଛି। ଅଧିକାଂଶ ସମୟରେ ବାବୁ ଏକୁଟିଆ ରହୁଥିବା ମଉକାରେ ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ବାବୁଙ୍କ ତଣ୍ଟି କଟା ହୋଇଛି ଏବଂ ତାଙ୍କ ମୁହଁକୁ କୌଣସି ଓଜନିଆ ବସ୍ତୁରେ ଛେଚି ଦିଆଯାଇଛି। ସେ କରାଟେ ଜାଣିଥିବାରୁ ଏକାଧିକ ଦୁର୍ବୃତ୍ତ ମିଶି ତାଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଏମିତିକି ତାଙ୍କୁ ନିଶାସକ୍ତ କରି କିମ୍ବା ଅନ୍ୟ କୌଣସି ଉପାୟରେ ସଂଜ୍ଞାହୀନ କରି ହତ୍ୟା କରାଯାଇଥିବା ମଧ୍ୟ ଆଲୋଚନା ହେଉଛି। ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁକିଛି ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଘଟଣା ପଛରେ ବାବୁଙ୍କ ମହିଳା କେୟାର୍ ଟେକର୍ଙ୍କ ହାତ ଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ୨ ଦିନ ତଳୁ ବାବୁଙ୍କୁ ହତ୍ୟା କରାଯାଇଥିବା ବେଳେ ମହିଳାଙ୍କୁ ଦେଖାଦର୍ଶନ ନାହିଁ। ସେହିଭଳି ବାବୁଙ୍କ ମୋବାଇଲ୍ ଫୋନ୍ର ପତ୍ତା ମିଳୁନାହିଁ। ତେଣୁ ଏହି ହତ୍ୟାକାଣ୍ଡ ପଛରେ ସେହି ମହିଳା କେୟାର୍ ଟେକର୍ଙ୍କ ପ୍ରଚ୍ଛନ୍ନ ହାତ ଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଳଜଳ ହୋଇ ଦେଖାଯାଉଛି। ସେହି ମହିଳା କେୟାର୍ ଟେକର୍ ଠାବ ହେବା ପରେ ଯାଇ ଏହି ହତ୍ୟାକାଣ୍ଡ ରହସ୍ୟର ପର୍ଦ୍ଦାଫାସ ହେବ। ଏଥିସହିତ ବାବୁଙ୍କ ମୋବାଇଲ୍ ଫୋନ୍ର କଲ୍ ଡିଟେଲ୍ସରୁ ମଧ୍ୟ ବହୁତ କିଛି ତଥ୍ୟ ମିଳିବ ବୋଲି ପୁଲିସ ସୂଚନା ଦେଇଛି। ସେହିଭଳି ନିକଟସ୍ଥ ଏକ ସିସିଟିଭିରୁ କିଛି ଫୁଟେଜ୍ ମଧ୍ୟ ସଂଗ୍ରହ କରାଯାଇଛି। ସେଥିରୁ କିଛି ସୁରାକ ମିଳିବା ଆଶା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳେ ବାଲିଅନ୍ତା ଥାନା ପୁଲିସ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହ ସାଗୁଆରେ ପହଞ୍ଚିଥିଲା। ସାଗୁଆ ଗାଁ ଲୋକଙ୍କ ସହିତ ଆଖପାଖ ଗାଁର ଶହଶହ ଲୋକେ ପୁଲିସ ତଦନ୍ତ ଓ ହତ୍ୟାକାରୀ ବାବଦରେ ଜାଣିବାକୁ ରୁଣ୍ଡ ହୋଇଥିଲେ। ପୁଲିସ ଟିମ୍ ଶବ ପଞ୍ଚନାମା କରିଥିଲା। ସାଇଣ୍ଟିଫିକ୍ ଟିମ୍ ଘର ଭିତରୁ ବିଭିନ୍ନ ସ୍ଥାନରୁ ରକ୍ତ ନମୁନା ସଂଗ୍ରହ କରିବା ସହ ଆଙ୍ଗୁଠି ଛାପର ଫଟୋ ନେଇଥିଲା। ଚଟାଣ, ଆଲ୍ମିରା, କବାଟ, କାନ୍ଥ, ବିଦ୍ୟୁତ୍ ସୁଇଚ୍, କଲିଂ ବେଲ୍ ଆଦି ବହୁ ସ୍ଥାନରେ ରକ୍ତ ଛିଟା ଲାଗିଥିଲା। ସେସବୁ ଜାଗାରୁ ସାଇଣ୍ଟିଫିକ୍ ଟିମ୍ ଆଙ୍ଗୁଠି ଛାପ ସଂଗ୍ରହ କରିଛି। ବାବୁଙ୍କ ମୃତଦେହ ଥିବା ଖଟ ନିକଟରୁ ଏକ କାଠ ପିଟଣା ଜବତ କରାଯାଇଥିଲା। ସେହିଭଳି ଉକ୍ତ ଘରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। କିନ୍ତୁ ତଦନ୍ତରେ ବାଧା ଉପୁଜିବା କାରଣ ଦର୍ଶାଇ ପୁଲିସ ସେସବୁ ବାବଦରେ କୌଣସି ତଥ୍ୟ ଦେଇନାହିଁ। ସନ୍ଧାନୀ କୁକୁର ନିକଟସ୍ଥ ଏକ ଘରକୁ ଓ ବାବୁଙ୍କ ଘରର ବାଡ଼ିପଟକୁ ବାରମ୍ବାର ଯାଇଥିଲା। ବାବୁଙ୍କ ଘରର ଛାତ ଉପରକୁ ମଧ୍ୟ ବହୁଥର ଯାଇଥିଲା। ତେଣୁ ହତ୍ୟାକାଣ୍ଡ ପୂର୍ବରୁ ଦୁର୍ବୃତ୍ତମାନେ କିଛି ସମୟ ପର୍ଯ୍ୟନ୍ତ ବାବୁଙ୍କ ଘର ଚାରିପଟେ ଚକ୍କର କାଟିଥିବା ଅନୁମାନ କରାଯାଉଛି।
ଯୋଜନାବଦ୍ଧ ହତ୍ୟାକାଣ୍ଡ
ବାବୁଙ୍କ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ଏକ ଯୋଜନାବଦ୍ଧ କାଣ୍ଡ ବୋଲି ଜଣାପଡ଼ିଛି। ମହିଳା କେୟାର୍ ଟେକର୍ ଫେରାର ହୋଇଯାଇଥିବାରୁ ଏହି ସନ୍ଦେହ ଦୃଢ଼ୀଭୂତ ହୋଇଛି। ତେଣୁ ହତ୍ୟାକାରୀମାନେ ତାଙ୍କୁ ଛକି ରହିଥିବା ଅନୁମାନ କରାଯାଉଛି। ମହିଳା କେୟାର୍ ଟେକର୍ଙ୍କ ସୂଚନା ଆଧାରରେ ହତ୍ୟାକାରୀମାନେ ସେଦିନ ରାତିରେ ଏକାଠି ହୋଇଥିବା ସନ୍ଦେହ କରାଯାଉଛି।
କ’ଣ ହୋଇପାରେ ହତ୍ୟାର କାରଣ
ବାବୁଙ୍କୁ ହତ୍ୟା କରିବା ପଛରେ କି କାରଣ ରହିଛି, ତାହାକୁ ନେଇ ଏବେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଟଙ୍କା ପଇସା, ଗହଣାଗାଣ୍ଠି ଲୁଟ୍, ସମ୍ପତ୍ତିବାଡ଼ି ଲାଳସା, ବ୍ୟାବସାୟିକ ଶତ୍ରୁତା, ପ୍ରେମଜନିତ କାରଣ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଥିବା ଆଲୋଚନା ହେଉଛି। ସେ ଭିଏସ୍ଏସ୍ନଗରରେ ହୋଟେଲ ବ୍ୟବସାୟ କରୁଥିଲେ। ବ୍ୟାଙ୍କ ବାଲାନ୍ସ ଭଲ ଥିଲା। ଗାଁରେ ଉପରମହଲା ତିଆରି ଚାଲିଥିଲା। ତେଣୁ ନିଜ ପାଖରେ କିଛି ମୋଟା ଅଙ୍କ ଥିବା ସ୍ବାଭାବିକ। ସେହି ଟଙ୍କା ଲୋଭରେ ମହିଳା କେୟାର୍ ଟେକର୍ ଏଭଳି କାଣ୍ଡ ଭିଆଇଥିବା ନେଇ ଚର୍ଚ୍ଚା ହେଉଛି। ଏହାବାଦ୍ ବାବୁଙ୍କ ଜୀବନଚର୍ଯ୍ୟାକୁ ନେଇ ମଧ୍ୟ ନାନାକଥା ଆଲୋଚନା ହେଉଛି। ବାବୁ ଅଧିକାଂଶ ସମୟ ଭୁବନେଶ୍ବରରେ ରହୁଥିଲେ। ଘର କାମ ଚାଲିଥିବାରୁ କାମ ତଦାରଖ କରିବାକୁ ଗାଁକୁ ଆସୁଥିଲେ। ଗାଁରେ ରହିବା ବେଳେ ସାଙ୍ଗରେ କେବଳ ମହିଳା କେୟାର୍ ଟେକର୍ ରହୁଥିଲେ। କାରଣ ପ୍ରାୟ ୫ ବର୍ଷ ତଳେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଅନ୍ୟଜଣଙ୍କ ସହ ଚାଲିଯାଇଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏକମାତ୍ର ପୁଅକୁ ସେ ହଷ୍ଟେଲ୍ରେ ଛାଡ଼ିଦେଇଛନ୍ତି। ବାବୁଙ୍କ ବାପା ବିପିନ ନାୟକ ସେହି ଗାଁରେ ତାଙ୍କ ଦ୍ବିତୀୟ ପତ୍ନୀ ଓ ପରିବାର ସହ ରହୁଥିଲେ। କିନ୍ତୁ ବାବୁଙ୍କ ସହିତ ସେମାନଙ୍କର ବେଶି ମିଳାମିଶା ନଥିଲା। ବାବୁଙ୍କ ନିଜ ମା’ ନିଶାମଣି ଅର୍ଥାତ୍ ବିପିନଙ୍କ ପ୍ରଥମ ପତ୍ନୀ ପୁରୀରେ ରହୁଥିବା ବେଳେ ନିଜ ସାନ ଭାଇ ରଞ୍ଜିତ ଧାମରାରେ ରହୁଛନ୍ତି। ଗ୍ରାମବାସୀଙ୍କ ସୂଚନାନୁସାରେ ବାବୁଙ୍କୁ ଗୁରୁବାର ଦିନ ସକାଳେ ମହିଳା କେୟାର୍ ଟେକର୍ଙ୍କ ସହ ଦେଖିବାକୁ ମିଳିଥିଲା। କିନ୍ତୁ ତା’ପରଠୁ କେହି ସେମାନଙ୍କୁ ଦେଖିନାହାନ୍ତି। ଏମିତିକି ତାଙ୍କ ଘରକୁ ଅନ୍ୟ କେହି ଯିବା ଆସିବା କରିବା ମଧ୍ୟ କେହି ଦେଖିନାହାନ୍ତି। କମ୍ ଲୋକ ସଂଖ୍ୟା ବିଶିଷ୍ଟ ଏହି ଗାଁରେ ବାବୁଙ୍କ ଘର ପାଖକୁ ଲାଗି ଅନ୍ୟ କାହାର ଘର ନଥିବାରୁ ତାଙ୍କ ଚଳଣି ବାବଦରେ ମଧ୍ୟ କାହାକୁ ବେଶି କିଛି ଜଣାନାହିଁ। ତେଣୁ ହତ୍ୟାକାଣ୍ଡ ବାବଦରେ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି।
[ad_2]