ମନୋରଞ୍ଜନ

ସୋସିଆଲ ମିଡିଆରେ ’ବୟକଟ ମାଳଦ୍ୱୀପ’ ଟ୍ରେଣ୍ଡ ଜାରି: ଭାରତ-ମାଳଦ୍ବୀପ ସମ୍ପର୍କ ତିକ୍ତ – Kalinga News

[ad_1]

ଗସ୍ତ ବାତିଲ କଲେ ବହୁ ଭାରତୀୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷଦ୍ବୀପ ଗସ୍ତ ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳର କେତେକ ପ୍ରତିକ୍ରିୟାଶୀଳ ନେତା ଭାରତକୁ ଟାର୍ଗେଟ କରି ବିଭିନ୍ନ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟକୁ ଦେଖି ମାଳଦ୍ବୀପରେ ଛୁଟି କଟାଇବାକୁ ମନସ୍ଥ କରିଥିବା ଭାରତୀୟମାନେ ଏବେ ମାଳଦ୍ୱୀପ ଗସ୍ତ ବାତିଲ କରି ଲକ୍ଷଦ୍ବୀପ ଯିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ‘ବୟକଟ ମାଳଦ୍ୱୀପ’ ଟ୍ରେଣ୍ଡ ଦେଖିବାକୁ ମିଳିଛି ଏବଂ ଦୁଇ ଦେଶର ସଂପର୍କ ତିକ୍ତ ହୋଇଉଠିଛି।
ମାଳଦ୍ୱୀପ ନେତାମାନେ ଭାରତକୁ ନେଇ କରିଥିବା ପୋଷ୍ଟ ଉପରେ ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି, ଯେଉଁଥିରେ ସେମାନେ ମାଳଦ୍ୱୀପ ପର୍ଯ୍ୟଟନ ବାତିଲ କରିବାକୁ କହିଛନ୍ତି। ଏକ୍ସରେ ଜଣେ ୟୁଜର ତାଙ୍କ ମାଳଦ୍ୱୀପ ଗସ୍ତ ବାତିଲ କରିବା ବିଷୟରେ ସୂଚନା ଦେଇ ଲେଖିଛନ୍ତି, ‘ମୁଁ ଫେବ୍ରୁଆରି ୨ରେ ପଡ଼ୁଥିବା ମୋ ଜନ୍ମଦିନ ପାଇଁ ମାଳଦ୍ୱୀପ ଯିବାକୁ ଯୋଜନା କରୁଥିଲି। ଟ୍ରାଭେଲ ଏଜେଣ୍ଟଙ୍କ ସହ ଚୁକ୍ତି ମଧ୍ୟ ସରିଥିଲା। କିନ୍ତୁ ମାଳଦ୍ୱୀପର ଜଣେ ମନ୍ତ୍ରୀଙ୍କ ଟୁଇଟ୍ ଦେଖିବା ପରେ ତୁରନ୍ତ ଏହାକୁ ବାତିଲ କରିଦେଇଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଦୁଃଖିତ ମାଳଦ୍ୱୀପ, ଆମର ଲକ୍ଷଦ୍ବୀପ ଅଛି। ମୁଁ ଆତ୍ମନିର୍ଭରଶୀଳ…। ଜଣେ ୟୁଜର ଲେଖିଛନ୍ତି, ମାଳଦ୍ୱୀପରେ ତିନି ସପ୍ତାହ ରହିବା ପାଇଁ ସେ ୫ ଲକ୍ଷ ଟଙ୍କାର ବୁକିଂ କରିଥିଲେ। କିନ୍ତୁ ମାଳଦ୍ୱୀପ ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଏହାକୁ ବାତିଲ କରିଛନ୍ତି।

ଶାସକ ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଳଦ୍ୱୀପ (ପିପିଏମ୍)ର ନେତା ଜାହିଦ ରମିଜ୍ ଭାରତକୁ ଟାର୍ଗେଟ୍‌ କରି ଏକ୍ସରେ ଲେଖିଛନ୍ତି, ‘ଭଲ ପଦକ୍ଷେପ। ତେବେ ପର୍ଯ୍ୟଟନ କ୍ଷେତ୍ରରେ ଆମ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ଧାରଣା ରଖିବା ହିଁ ଭୁଲ୍। ଆମେ ପ୍ରଦାନ କରୁଥିବା ସେବାଗୁଡିକ ସେମାନେ କିପରି ପ୍ରଦାନ କରିପାରିବେ? ସେମାନେ କେମିତି ଏତେ ପରିଷ୍କାର ହୋଇପାରିବେ? କୋଠରିରୁ ଆସୁଥିବା ଦୁର୍ଗନ୍ଧ ସବୁଠାରୁ ଅଧିକ..। ମାଳଦ୍ୱୀପର ମନ୍ତ୍ରୀ ଅବଦୁଲ୍ଲା ମହଜୁମ୍ ମଜିଦ କହିଛନ୍ତି ଯେ ପର୍ଯ୍ୟଟନ କ୍ଷେତ୍ରରେ ମାଳଦ୍ୱୀପ ସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ସୂଚନାଯୋଗ୍ୟ, ଲକ୍ଷଦ୍ବୀପ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଲୋକଙ୍କୁ ଲାକ୍ଷାଦ୍ୱୀପ ଆସିବାକୁ ନିବେଦନ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ଦର୍ଶାଯାଇଛି।

ସପ‌କ୍ଷରେ ବାହାରିଲେ ସେଲିବ୍ରିଟି, ଆମେ ଘୃଣାକୁ ବରଦାସ୍ତ କରିବୁନି

ନୂଆଦିଲ୍ଲୀ: ଲକ୍ଷଦ୍ବୀପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିବା ପରେ ସେଠାକାର ବେଳାଭୂମିରେ କିଛି ସମୟ କଟାଇଥିଲେ। ତାହାପରେ ପ୍ରଧାନମନ୍ତ୍ରୀ ଲକ୍ଷଦ୍ବୀପ ସଂପର୍କରେ ସାମାଜିକ ଗଣମାଧ୍ୟମରେ ଫଟୋ ଏବଂ ମନ୍ତବ୍ୟ ପୋଷ୍ଟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସେହି ଟ୍ବିଟ୍‌ ପରେ ମାଳଦୀପର ଜଣେ ପରେ ଜଣେ ମନ୍ତ୍ରୀ ବିବାଦୀୟ ବୟାନ ଦେଇଛନ୍ତି। ମାଳଦୀପ ମନ୍ତ୍ରୀମାନଙ୍କ ବୟାନକୁ ବଲିଉଡ ତାରକା ଏବଂ ପୂର୍ବତନ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ଆଦି ଜୋରଦାର ସମାଲୋଚନା କରିଛନ୍ତି। ସିନେ ତାରକା ଅକ୍ଷୟ କୁମାର ଏକ୍ସରେ ପୋଷ୍ଟ କରିଛନ୍ତି ଯେ ମାଳଦ୍ବୀପର ପ୍ରମୁଖ ବ୍ୟକ୍ତିମାନେ ଭାରତୀୟଙ୍କ ସଂପର୍କରେ ଘୃଣା ଏବଂ ବିଦ୍ବେଷମୂଳକ ଟିପ୍ପଣୀ ଦେଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଲା ଯେଉଁ ଦେଶ ସବୁଠୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ପଠାଉଛି ସେହି ଦେଶ ବିରୋଧରେ ମାଳଦୀପ ଏହି ଟିପ୍ପଣୀ ଦେଇଛି। ଆମେ ଆମ ପଡ଼ୋଶୀଙ୍କ ପ୍ରତି ଭଲ। କିନ୍ତୁ ବିନା କାରଣରେ ଆମେ କାହିଁକି ଏପ୍ରକାର ଘୃଣାକୁ ବରଦାସ୍ତ କରିବୁ? ମୁଁ ଏକାଧିକ ଥର ମାଳଦୀପ ଗସ୍ତ କରିଛି ଏବଂ ସର୍ବଦା ମାଳଦୀପର ପ୍ରଶଂସା କରିଛି। କିନ୍ତୁ ବ୍ୟକ୍ତିଗତ ସମ୍ମାନ ଆଗ। ଭାରତୀୟ ଦ୍ବୀପଗୁଡ଼ିକୁ ବିକାଶ କରି ଆମ ନିଜ ଦେଶର ପର୍ଯ୍ୟଟନକୁ ଆଗକୁ ନେବାଲାଗି ଅକ୍ଷୟକୁମାର କହିଛନ୍ତି। ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି ମାଳଦ୍ବୀପ ଏକ ମୁସ୍‌ଲିମ ରାଷ୍ଟ୍ର ହୋଇ ମଧ୍ୟ ମୁସ୍‌ଲିମ ବହୁଳ ଅଂଚଳ ଲକ୍ଷଦ୍ବୀପକୁ ଭୟ କରୁଛି। ଲକ୍ଷଦ୍ବୀପରେ ୯୮ ପ୍ରତିଶତ ଜନସଂଖ୍ୟା ମୁସ୍‌ଲିମ। ଏହି ଅଂଚଳକୁ ଦୁର୍ଗନ୍ଧପୂର୍ଣ୍ଣ କହିବା ମାଳଦ୍ବୀପର କ୍ଷୁଦ୍ର ମାନସିକତାକୁ ଦର୍ଶାଉଛି ବୋଲି କଙ୍ଗନା କହିଛନ୍ତି।

ଅନ୍ୟତମ ଅଭିନେତା ଜନ୍ ଆବ୍ରାହମ ମଧ୍ୟ ଭାରତର ଆତିଥେୟତା ଓ ଅତିଥି ଦେବୋ ଭବଃ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ଲକ୍ଷଦ୍ବୀପକୁ ଯିବାଲାଗି ସେ ଆହ୍ବାନ କରିଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ଲାକ୍ଷାଦୀପ ସପକ୍ଷରେ ଟ୍ବିଟ କରିଛନ୍ତି। ଅଭିନେତା ସଲମାନ ଖାନ ତାଙ୍କ ପୋଷ୍ଟରେ ଲକ୍ଷଦ୍ବୀପର ସୁନ୍ଦର ଏବଂ ପରିସ୍କାର ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖି ବହୁତ ଭଲ ଲାଗୁଛି ବୋଲି କହିଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହା ଭାରତରେ ବୋଲି ସଲମାନ କହିଛନ୍ତି। ପୂର୍ବତନ କ୍ରିକେଟର ସଚିନ ‌ତେନ୍ଦୁଲକର ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନିଜ ୫୦ତମ ଜନ୍ମଦିନ ପାଳନ କରିଥିବା ବିଷୟକୁ ସ୍ମରଣ କରି ଏକ ପୋଷ୍ଟ କରିଛନ୍ତି। ଭାରତକୁ ସୁନ୍ଦର ସମୁଦ୍ର କୂଳ ଏବଂ ପ୍ରାଚୀନ ଦ୍ବୀପର ଆଶୀର୍ବାଦ ମିଳିଛି ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button