ଖେଳ ଖବର

ରଣଜୀ ଟ୍ରଫି: ବରୋଦାକୁ ଆଦୌ ହରାଇନି ଓଡ଼ିଶା – Kalinga News

[ad_1]

ଭୁବନେଶ୍ବର: ଶୁକ୍ରବାରଠୁ ଆରମ୍ଭ ହେଉଛି ୨୦୨୩-୨୪ ରଣଜୀ ଋତୁ। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ବରୋଦା ସହିତ ହେବ। ପୂର୍ବରୁ ଏହି ଦୁଇ ଦଳଙ୍କ ମଧ୍ୟରେ ୭ଥର ମୁକାବିଲା ହୋଇଥିଲା ବେଳେ ଓଡ଼ିଶା ଗୋଟିଏ ବି ମ୍ୟାଚ୍‌ ଜିତିନାହିଁ। ବରୋଦା ୨ ବିଜୟ ଓ ୫ ଅମୀମାଂସିତ ରଖି ଆଗରେ ରହିଛି। ଶେଷ ଥର ପାଇଁ ଗତ ଋତୁରେ ଭୁବନେଶ୍ବରର ବିକାଶ ପଡ଼ିଆରେ ଉଭୟ ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ୧ ପଏଣ୍ଟ ପାଇଥିଲା। ଓଡ଼ିଶା ଏଥର ସହଜସାଧ୍ୟ ଗ୍ରୁପ୍‌ରେ ଥିବା ବେଳେ ବରୋଦା ପରେ ମଧ୍ୟପ୍ରଦେଶ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପୁଡ଼ୁଚେରୀ, ଉତ୍ତରାଖଣ୍ଡ ଓ ଦିଲ୍ଲୀ ବିପକ୍ଷରେ ଖେଳିବ। ଏଥର ଓଡ଼ିଶା ୪ ଘରୋଇ ମ୍ୟାଚ୍‌ ଖେଳିବ।

୨୦୦୦-୦୧: ଉଭୟ ଦଳଙ୍କ ଭିତରେ ବଡ଼ୋଦରାରେ ହୋଇଥିବା ପ୍ରଥମ ମୁକାବିଲା ଅମୀମାଂସିତ ରହିଥିଲା। ପାଳି ଅଗ୍ରଣୀ ଭିତ୍ତିରେ ବରୋଦା ୩ ପଏଣ୍ଟ ପାଇଥିଲା। ଟସ୍‌ ଜିତି ଘରୋଇ ଦଳ ବ୍ୟାଟିଂ କରିଥିଲା ବେଳେ ନୟନ ମୋଙ୍ଗିଆଙ୍କ ୧୮୧ ରନ୍‌ ସହାୟତାରେ ୫୬୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଦେବାଶିଷ ମହାନ୍ତି ଓ ସଂଜୟ ରାଉଳ ୩ ୱିକେଟ୍‌ ଲେଖାଏଁ ନେଇଥିଲେ। ହେଲେ ଓଡ଼ିଶା ପ୍ରଥମ ପାଳିରେ ଶିବସୁନ୍ଦର ଦାସ (୫୪), ରଶ୍ମିରଂଜନ ପରିଡ଼ା (୯୪)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଆଶିଦୃଶିଆ ସ୍କୋର କରିପାରି ନଥିଲେ। ଓଡ଼ିଶା ୨୮୦ ରନ୍‌ରେ ସୀମିତ ରହିଥିଲା। ଦ୍ବିତୀୟ ପାଳିରେ ବରୋଦା ୪ ଅର୍ଦ୍ଧଶତକ ସହାୟତାରେ ୪୦୯ ରନ୍‌ କରିବା ପରେ ଓଡ଼ିଶା ଖେଳ ଶେଷ ହେବା ବେଳକୁ ୫ ୱିକେଟ୍‌ ବିନିମୟରେ ୩୬୧ ରନ୍‌ କରିପାରିଥିଲା। ପ୍ରଭଞ୍ଜନ ମଲ୍ଲିକ ୧୩୧*, ପି. ଜୟଚନ୍ଦ୍ର ୮୨, ରଶ୍ମିରଂଜନ ପରିଡ଼ା ୭୧ ରନ୍‌ କରି ମ୍ୟାଚ୍‌ ଅମୀମାଂସିତ ରଖିଥିଲେ।

୨୦୦୨-୦୩: ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ବରୋଦା ୧୪୧ ରନ୍‌ର ପାଳି ବିଜୟ ପାଇଥିଲା। ଏସ୍‌ଏସ୍‌ ପରବଙ୍କ ୧୪୧ ରନ୍‌ ସହଯୋଗରେ ଭ୍ରମଣକାରୀ ଦଳ ୪୦୭ ରନ୍‌ ସଂଗ୍ରହ କରିଥିଲା। ଦେବାଶିଷ ମହାନ୍ତି ୪ ଓ ଅଜୟ ବାରିକ ୩ ୱିକେଟ୍‌ ନେଇ ନୂଆ ଆଶା ସଂଚାର କରିଥିଲେ। କିନ୍ତୁ ଓଡ଼ିଶା ବ୍ୟାଟର୍‌ ନିରାଶ କରି ମାତ୍ର ୧୩୧ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲେ। ଇର୍ଫାନ୍‌ ପଠାନ୍‌ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଥମ ଥର ୫ ୱିକେଟ୍‌ ସଫଳତା (୬/୩୧) ପାଇବା ସହ ଓଡ଼ିଶାକୁ ପଛକୁ ଠେଲିଦେଇଥିଲେ। ଫଲୋଅନ୍‌ ପରେ ଦ୍ବିତୀୟ ପାଳିରେ ଓଡ଼ିଶାର ସମାନ ପ୍ରଦର୍ଶନ ଜାରି ରହିଥିଲା। କେବଳ ସଂଜୟ ରାଉଳ (୫୩)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଶସ୍ତାରେ ଆଉଟ୍‌ ହୋଇଥିଲେ। ଓଡ଼ିଶା ୧୩୫ ରନ୍‌ରେ ଅଟକି ଯିବାରୁ ବରୋଦା ତୃତୀୟ ଦିନରେ ଜିତିଯାଇଥିଲା।

୨୦୦୭-୦୮: ତୃତୀୟ ଭେଟାଭେଟିରେ ମ୍ୟାଚ୍‌ ପୁଣି ଅମୀମାଂସିତ ରହିଥିଲା ବେଳେ ଏଥର ଓଡ଼ିଶା ଅଗ୍ରଣୀ ପାଇଥିଲା। ଦୁଇ ଗୁରୁ-ଶିଷ୍ୟ ‌ଯୋଡ଼ି ଦେବାଶିଷ ମହାନ୍ତି (୩/୩୬) ଓ ବସନ୍ତ ମହାନ୍ତି (୪/୬୨)ଙ୍କ ଘାତକ ସୁଇଂରେ ଘରୋଇ ଦଳ ୨୫୫ ରନ୍‌ରେ ସୀମିତ ରହିଥିଲା। ପରେ ଶିବସୁନ୍ଦର ୧୧୪ ରନ୍‌ର ଶତକୀୟ ପାଳି ବଳରେ ଓଡ଼ିଶା ଅଗ୍ରଣୀ ପାଇବା ସହ ୨୯୪ ରନ୍‌ କରିପାରିଥିଲା। ବରୋଦା ପାଳି ବଞ୍ଚାଇବା ପାଇଁ ଓଡ଼ିଶାକୁ ଆଉ ସୁଯୋଗ ନଦେଇ ଖେଳ ଶେଷ ହେବା ପର୍ଯ୍ୟନ୍ତ ୯ ୱିକେଟ୍‌ ବିନିମୟରେ ୪୨୪ ରନ୍‌ ସଂଗ୍ରହ କରିଥିଲା। ପିନାଲ ଶାହ ୧୪୮ ଓ ରାଜେଶ ପାୱାର ୯୧ ରନ୍‌ର ପାଳି ଖେଳି ମ୍ୟାଚ୍‌ ବଞ୍ଚାଇଥିଲେ।

୨୦୧୦-୧୧: ଉଭୟ ଦଳଙ୍କ ମଧ୍ୟରେ ତୃତୀୟ ଅମୀମାଂସିତ ମ୍ୟାଚ୍‌ ଏହି ଋତୁରେ ହୋଇଥିଲା। ରେଭେନ୍ସା କଲେଜ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଅଗ୍ରଣୀ ପାଇଥିଲା। ଏଥର ମଧ୍ୟ ବସନ୍ତ ମହାନ୍ତିଙ୍କ ୫/୩୧ ସଫଳତା ଯୋଗୁଁ ବରୋଦାକୁ ୧୪୮ ରନ୍‌ରେ ଓଡ଼ିଶା ଆଉଟ୍‌ କରିଥିଲା। କେବଳ ରାକେଶ ସୋଲାଙ୍କି ୮୭* ରନ୍‌ର ଅପରାଜିତ ପାଳି ଖେଳିଥିଲେ। ତେବେ ଓଡ଼ିଶା ପ୍ରଥମ ପାଳିରେ ପଦାର୍ପଣକାରୀ ଗୋବିନ୍ଦ ପୋଦ୍ଦାର (୧୦୬), ବିପ୍ଳବ ସାମନ୍ତରାୟ (୫୫), ନଟରାଜ ବେହେରା (୫୫)ଙ୍କ ଯୋଗୁ ଓଡ଼ିଶା ଅଗ୍ରଣୀ ପାଇବା ସହ ୩୫୨ ରନ୍‌ କରିଥିଲା। ତେବେ ଦଳକୁ ଉଦ୍ଧାର କରିବାକୁ ଯାଇ ଅମ୍ବାତି ରାୟୁଡୁ ୨୦୦* ରନ୍‌ର ରକ୍ଷଣାତ୍ମକ ପାଳି ଖେଳିଥିଲେ। ଖେଳ ଶେଷ ହେବା ବେଳକୁ ବରୋଦା ୬ ୱିକେଟ୍‌ ବିନିମୟରେ ୪୧୪ ରନ୍‌ ସଂଗ୍ରହ କରିଥିଲା।
୨୦୧୨-୧୩: ଏହି ଋତୁରେ ବରୋଦା ୧୦ ୱିକେଟ୍‌ରେ ବିଜୟ ହାସଲ କରିଥିଲା। ବଡ଼ୋଦରାରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୋବିନ୍ଦ ପୋଦ୍ଦାରଙ୍କ ୮୨ ରନ୍‌ ସହାୟତାରେ ଓଡ଼ିଶା ୧୮୧ ରନ୍‌ କରିଥିଲା। ଭାର୍ଗବ ଭଟ୍ଟ ୬ ୱିକେଟ୍‌ ନେଇଥିଲେ। ବରୋଦା ମିଳିତ ଯୋଗଦାନ ଯୋଗୁଁ ପାଳି ଅଗ୍ରଣୀ ପାଇବା ସହ ୩୦୧ ରନ୍‌ରେ ଆଉଟ୍‌ ହୋଇଥିଲା। ଦୀପକ ବେହେରା ପ୍ରଥମ ଥର ୫ ୱିକେଟ୍‌ ସଫଳତା (୫/୭୭) ପାଇଥିଲେ। ତେବେ ଦ୍ବିତୀୟ ପାଳିରେ ଓଡ଼ିଶା ଆହୁରି ଖରାପ ଖେଳି ମାତ୍ର ୧୨୩ ରନ୍‌ରେ ଆଉଟ୍‌ ହୋଇଯିବାରୁ ମାତ୍ର ୪ ରନ୍‌ର ଲକ୍ଷ୍ୟକୁ ଘରୋଇ ଦଳ ବିନା କୌଣସି କ୍ଷତିରେ ହାସଲ କରିଥିଲା।

୨୦୧୭-୧୮: ଏହି ମୁକାବିଲାରେ ଅମୀମାଂସିତ ମ୍ୟାଚ୍‌ରୁ ବରୋଦା ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ହାତେଇଥିଲା। କେଦାର ଦେବଧର (୧୦୪), ବିଷ୍ଣୁ ସୋଲାଙ୍କି (୧୦୯) ଓ ନିନାଦ ରଠବା (୧୧୫)ଙ୍କ ତିନି ଶତକୀୟ ପାଳି ବଳରେ ଘରୋଇ ଦଳ ୫୦୩ ରନ୍‌ ସଂଗ୍ରହ କରିଥିଲା। ବସନ୍ତ ମହାନ୍ତି ୮୫ ରନ୍‌ ବ୍ୟୟ କରି ୫ ୱିକେଟ୍‌ ଦଖଲ କରିଥିଲେ। ଶୁଭ୍ରାଂଶୁ ସେନାପତି (୧୭୩)ଙ୍କ ସହ ବିପ୍ଳବ (୫୫) ଓ ରାଜେଶ ଧୂପର (୮୬) ଓଡ଼ିଶା ପାଇଁ ଭଲ ଖେଳିଥିଲେ ବି ପାଳି (୪୪୫/୧୦) ବଞ୍ଚାଇ ପାରି ନଥିଲେ। ଖେଳ ଶେଷ ହେବା ବେଳକୁ ସୋଲାଙ୍କି (୫୩)ଙ୍କ ୱିକେଟ୍‌ ହରାଇ ବରୋଦା ୨୫୯ ରନ୍‌ କରି ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ଆଦିତ୍ୟ ୱାଘମୋର ୧୦୧* ଓ ଦୀପକ ହୁଦା ୧୦୦* ରନ୍‌ କରିଥିଲେ।

୨୦୨୨-୨୩: ବିକାଶ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ ଅମୀମାଂସିତ ରହିଥିଲା। କିନ୍ତୁ ପାଳି ଅଗ୍ରଣୀ ଭିତ୍ତିରେ ବରୋଦା ୩ ପଏଣ୍ଟ ପାଇଥିଲା। ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ଶାନ୍ତନୁ ମିଶ୍ର (୬୧), ଶୁଭ୍ରାଂଶୁ ସେନାପତି (୫୨), ଅଭିଷେକ ରାଉତ (୭୦), ଦେବବ୍ରତ ପ୍ରଧାନ (୮୯), ଶୁଭମ୍‌ ନାୟକ (୮୨) ଓଡ଼ିଶାକୁ ୪୫୭ରେ ପହଞ୍ଚାଇଥିଲେ। ନିନାଦ ରାଠୱା ୫ ୱିକେଟ୍‌ ପାଇଥିଲେ। ଜବାବରେ ବରୋଦା ପାଇଁ ଶାଶ୍ୱତ ରାୱତ (୧୩୫), ପ୍ରିୟାଂଶୁ ମୋଲିୟା (୧୧୮) ଓ ଅଭିମନ୍ୟୁସିଂହ ରାଜପୁତ (୧୦୨*)ଙ୍କ ଶତକୀୟ ପାଳି ବଳରେ ଦଳ ଅଗ୍ରଣୀ ପାଇବା ସହ ୬୨୪/୮ରେ ପାଳି ଘୋଷଣା କରିଥିଲା। ଏହି ମ୍ୟାଚ୍‌ରେ ୱିକେଟ୍‌ରକ୍ଷକ ରାଜେଶ ଧୂପରଙ୍କୁ ଛାଡ଼ିଦେଲେ ୧୦ ଜଣ ବୋଲିଂ କରିଥିଲେ।

ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ବାଳ, ଆଶୀର୍ବାଦ ସ୍ବାଇଁ, ରାଜେଶ ଧୂପର, ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂହ, ତରଣୀ ସା’।
ବରୋଦା ଦଳ: ବିଷ୍ଣୁ ସୋଲାଙ୍କି, ମିତେଶ ପଟେଲ, କୃନାଲ ପାଣ୍ଡ୍ୟା, ଅତୀତ ସେଠ୍‌, ଭାର୍ଗବ ଭଟ୍ଟ, ଲୁକମାନ ମେରିୱାଲା, ଜ୍ୟୋତ୍‌ସ୍ନିଲ୍‌ ସିଂହ, କିନିତ ପଟେଲ, ମହେଶ ପିଠିୟା, ପ୍ରତ୍ୟୁଷ କୁମାର, ଅଭିମନ୍ୟୁସିଂହ ରାଜପୁତ, ନିନାଦ ରଠୱା, ଶାଶ୍ବତ ରାୱତ, ଶିବାଙ୍ଗ ସାନେ, ଶିବାଳିକ ଶର୍ମା, ସୋଏବ ସୋପାରିୟା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button