ଝାନସିର ପ୍ରଥମ ମହିଳା ଅଟୋ ଡ୍ରାଇଭର ହତ୍ୟାକାଣ୍ଡ- ପ୍ରେମରେ ଧୋକାରୁ ବିବାହ ବାର୍ଷିକୀରେ ମର୍ଡର କଲା ପୁରୁଣା ପ୍ରେମିକ

ଝାନସିର ପ୍ରଥମ ମହିଳା ଅଟୋ ଡ୍ରାଇଭରଙ୍କ ହତ୍ୟାକାଣ୍ଡ ପଛରେ ଆସିଲା ରୋଚକ କଥା। ଅନୀତା ଚୌଧୁରୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ଝା କୁ ପୁଲିସ ହାଫ୍ ଏନକାଉଣ୍ଟର କରିଛି। ମୁକେଶ ଉପରେ ୨୫ହଜାର ଟଙ୍କାର ପୁରଷ୍କାର ଘୋଷଣା କରିଥିଲା ପୁଲିସ। ଆଉ ଗିରଫ ପରେ ଅଭିଯୁକ୍ତ ମୁହଁରୁ ଯାହା ଶୁଣିଲା, ତାକୁ ନେଇ ପୁଲିସ ତାଜୁବ୍ ହୋଇଯାଇଛି। ପ୍ରେମରେ ଧୋକା ହେବାରୁ ସେ ଅନୀତାଙ୍କୁ ଗୁଳି କରି ହତ୍ୟା କରିଥିବା କଥା କହିଛି ମୁକେଶ। ଅନୀତାଙ୍କ ସହ ତାଙ୍କର ୭ ବର୍ଷ ଧରି ସମ୍ପର୍କ ଥିଲା। ମନ୍ଦିରରେ ସେମାନେ ବିବାହ ବି କରିସାରିଥିଲେ। ହେଲେ ଅନୀତା ଅନ୍ୟ ଜଣେ ଯୁବକକୁ ଭଲ ପାଇବାକୁ ଲାଗିଲା। ଯାହାକୁ ନେଇ ୫ ବର୍ଷ ପୂର୍ବରୁ ତାଙ୍କ ସହ ବ୍ରେକଅପ୍ କରିନେଲା। ପ୍ରେମରେ ଧୋକା ମିଳିଥିବାରୁ ବରଦାସ୍ତ କରିପାରିଲାନି ମୁକେଶ।
ଆଉ ବିବାହ ବାର୍ଷିକୀ ରାତିରେ ହିଁ ଅନୀତାକୁ ଗୁଳି କରି ମର୍ଡର କରିଦେଲା। ଅନୀତାର କାନମୁଣ୍ଡାକୁ ଟାର୍ଗେଟ କରି ଗୁଳି କରିଥିଲା। ଜାନୁଆରୀ ୫ର ଘଟଣା। ରାତି ସାଢ଼େ ୨ଟା ପାଖାପାଖି ରାସ୍ତା କଡ଼ରେ ଏକ ଅଟୋ ଓଲଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଆହତ ଅନୀତାଙ୍କୁ ହସ୍ପିଟାଲ ନେଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସ୍ୱାମୀ ବେମାରରେ ପଡ଼ିଥିବା ହେତୁ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ ଅନୀତା। ଆରମ୍ଭରୁ ଏହା ଦୁର୍ଘଟଣା ବୋଲି ପ୍ରତୀୟମାନ ହୋଇଥିଲା। କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ୩ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ପୁଲିସ। ଏହି ହତ୍ୟାକାଣ୍ଡରେ ମୁକେଶ ସହ ତା ଭିଣୋଇ ମନୋଜ ଝା ଓ ପୁଅ ଶିବମ ଝା ସାମିଲ୍ ଅଛନ୍ତି। ମନୋଜ ଓ ଶିବମକୁ ପୁଲିସ ଆଗରୁ ହେପାଜତକୁ ନେଇସାରିଥିଲା। ଅନୀତାଙ୍କ ଭଉଣୀ ବୀନିତା ସନ୍ଦେହ କରି କହିଥିଲେ, ତାଙ୍କ ଭଉଣୀର ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ। ବରଂ ମର୍ଡର। ମୁକେଶ ଅନେକ ମାସ ଧରି ଅନୀତାଙ୍କ ପିଛା କରୁଥିଲା। ଅନୀତାଙ୍କୁ ଜୀବନରେ ମାରିବାକୁ ଧମକ ଦେଉଥିଲା। କାରଣ ମୁକେଶ ଥିଲା ଅନୀତାଙ୍କ ଏକ୍ସ ବୟଫ୍ରେଣ୍ଡ୍। ଅନୀତା ଏଥିରେ ବ୍ୟଥିତ ହୋଇ ଥାନାର ବି ଦ୍ୱାରସ୍ଥ ହୋଇଥିଲେ। ଶବ ବ୍ୟବଛେଦ ରିପୋର୍ଟରେ ଗୁଳି କରି ହତ୍ୟା ହେବାର କଥା ପୁଷ୍ଟି ପରେ ଏ ମାମଲା ଅଧିକ ଜଟିଳ ହୋଇଥିଲା। ପୁଲିସକୁ ଚକମା ଦେବାକୁ ମୁକେଶ ବେତବା ନଦୀ ପାଖରେ ଥିବା ନୋଟଘାଟ ପୋଲରେ ନିଜ କାର୍ ଛାଡ଼ି ଫେରାର୍ ହୋଇଯାଇଥିଲା। କାର ଭିତରୁ ପୁଲିସ ଧାରୁଆ ଅସ୍ତ୍ର ଜବତ କରିଥିଲା।




