ଧୁରନ୍ଧର ଫିଲ୍ମର ପ୍ରକୃତ କାହାଣୀ, ପାକିସ୍ତାନର ଗ୍ୟାଙ୍ଗ୍ ୱାର୍ ଉପରେ ପର୍ଯ୍ୟବେସିତ

‘ଧୁରନ୍ଧର’ର ଟ୍ରେଲର ହିଁ ଫିଲ୍ମଟି ଆକର୍ଷଣୀୟ ବୋଲି ସୂଚାଇ ଦେଇଥିଲା । ଏଥିରେ ଅକ୍ଷୟ ଖାନ୍ନା, ଅର୍ଜୁନ୍ ରାମପାଲ ଏବଂ ସଞ୍ଜୟ ଦତ୍ତଙ୍କୁ ଏକ ଭୟଙ୍କର ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମଳିଛି । ଏଥିରେ ରଣବୀରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ହେଲେ ତାଙ୍କ ଚରିତ୍ର ସମ୍ପର୍କରେ ଅଧିକ କିଛି ପ୍ରକାଶ କରାଯାଇନଥିଲା । ଟ୍ରେଲର ଆସିବା ପରେ ସମସ୍ତଙ୍କ ମନରେ ଫିଲ୍ମ ପାଇଁ ଅଧିକ ଆଗ୍ରହ ଦେଖିବାକୁ ମିଳିଥିଲା ।
ଏହି ଫିଲ୍ମଟି ଏକ ଗୁପ୍ତଚର (Spy) କାହାଣୀ ଉପରେ ଆଧାରିତ । କିନ୍ତୁ ଏହାର ମୂଳ କାହାଣୀ ପାକିସ୍ତାନର କରାଚି ସ୍ଥିତ ‘ଲିଆରି’ (Lyari) ଅଞ୍ଚଳର ବାସ୍ତବ ଗ୍ୟାଙ୍ଗ୍ ୱାର୍ (Gang war) ଉପରେ ପର୍ଯ୍ୟବସିତ । ଏହି ଫିଲ୍ମର ପ୍ରଥମ ଭାଗରେ ଭାରତ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ବିମାନ ଅପହରଣ ଏବଂ ସଂସଦ ଆକ୍ରମଣ ପରେ, ଆଇବି ମୁଖ୍ୟ ଅଜୟ ସାନ୍ୟାଲ ପାକିସ୍ତାନୀ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ ଏହି ପ୍ଲାନର ନାମ ” ଧୁରନ୍ଧର “ରଖାଯାଇଛି । ଯାହାର ଉଦ୍ଦେଶ୍ୟ ହେଉଛି ପାକିସ୍ତାନର ଆତଙ୍କବାଦୀକୁ ଭିତରୁ ଦୁର୍ବଳ କରିବା । ଏଥିପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ହମଜା ଅଲି ମଜାରୀ ଅର୍ଥାତ୍ (ରଣବୀର ସିଂ) ।
ଲିଆରି କରାଚିର ଏକ ପୁରୁଣା ଅଞ୍ଚଳ, ଯାହା ଦିନେ ଫୁଟବଲ୍ ପାଇଁ ପ୍ରସିଦ୍ଧ ଥିଲା । କିନ୍ତୁ ୨୦୦୦ ଦଶକରେ ରାଜନୈତିକ ଛତ୍ରଛାୟା, ଡ୍ରଗ୍ସ କାରବାର ଏବଂ ଗ୍ୟାଙ୍ଗ୍ ଲଢେଇ ଯୋଗୁଁ ଏହା ଏକ ରଣକ୍ଷେତ୍ର ପାଲଟି ଯାଇଥିଲା । ଏହି ସ୍ଥାନ ପୋଲିସ ପାଇଁ ମଧ୍ୟ ଏକ “ନୋ-ଗୋ ଜୋନ୍” ଥିଲା । ରେହମାନ ଡକାୟତ ଯିଏ ଲିଆରିର ସବୁଠାରୁ ବଡ଼ ଡନ୍ ଥିଲା । ସେ ‘ପିପୁଲ୍ସ ଅମନ କମିଟି’ ଗଠନ କରି ପୁରା ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଥିଲା । ସ୍ଥାନୀୟ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବାରୁ କିଛି ଲୋକ ତାକୁ ‘ରବିନ୍ ହୁଡ୍’ ଭାବୁଥିଲେ । ୨୦୦୯ରେ ପୋଲିସ ଏନକାଉଣ୍ଟରରେ ସେ ନିହତ ହୋଇଥିଲା । ଉଜୈର ବାଲୋଚ ରେହମାନର ମୃତ୍ୟୁ ପରେ ତା’ର ସମ୍ପର୍କୀୟ ଭାଇ ଉଜୈର ଗ୍ୟାଙ୍ଗର ମୁଖିଆ ହୋଇଥିଲା । ସେ ଅତ୍ୟନ୍ତ ନିଷ୍ଠୁର ଥିଲା ଏବଂ ପ୍ରାୟ ୨୦୦ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି ।
ସେହିପରି ଭାବରେ ଏସପି ଚୌଧୁରୀ ଅସଲମ ଏହି ନିର୍ଭୀକ ପୋଲିସ ଅଫିସର ଲିଆରିର ଗ୍ୟାଙ୍ଗ୍ ଗୁଡିକୁ ଦମନ କରିବା ପାଇଁ ଅପରେସନ୍ ଚଳାଇଥିଲେ। ସେ ହିଁ ରେହମାନ ଡକାୟତକୁ ଏନକାଉଣ୍ଟର କରିଥିଲେ । ୨୦୧୪ରେ ଏକ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା । ବାସ୍ତବରେ ଲିଆରିର ଏହି ଯୁଦ୍ଧ ସ୍ଥାନୀୟ ରାଜନୀତି ଏବଂ ଗ୍ୟାଙ୍ଗ୍ ମଧ୍ୟରେ ଥିଲା । କିନ୍ତୁ ‘ଧୁରନ୍ଧର’ ଫିଲ୍ମରେ କାହାଣୀକୁ ରୋମାଞ୍ଚକର କରିବା ପାଇଁ ଏଥିରେ ଭାରତୀୟ ଗୁପ୍ତଚର ଯୋଡା ଯାଇଛି ।




