ରାଜ୍ୟ

ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ତିନି ରଥର ଚକଅଖ ଡେରା ନୀତି

ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ତିନି ରଥର ଚକଅଖ ଡେରା ନୀତି । ପରମ୍ପରା ଅନୁଯାଇ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ, ଘଣ୍ଟ ଛତା, କାହାଳି ସହ ଶ୍ରୀନଅରକୁ ଅଣାଯାଇଥିଲା। ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ। ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରିଥିଲେ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି ।

ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପୋଲିସ ଫୋର୍ସ ମୁତୟନ ସହ ଆଜ୍ଞାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯାଇଥିଲା । ସେପଟେ ଆଜି ସକାଳୁ ସକାଳୁ ଚକ ଅଖ ଡେରାଯିବା ପୂର୍ବରୁ ତିନିରଥର ଦୁଇଟି ଲେଖାଏଁ ଚକ ରଥଖଳାରୁ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରହିବା ପରେ ସେଥିରେ ପାଣିଆଆପଟ ସେବକଙ୍କ ଦ୍ବାରା ପାଣି ଢଳାଯାଇ କମାର ସେବକଙ୍କ ଦ୍ବାରା ପନ୍ଧାରୀରେ ଯୋଖିଆ ବାଡିଆ ଅନୁକୂଳ ହୋଇଥିଲା।

ପରେ ଅଖରେ ପୋଲାଙ୍ଗ ତେଲ ବୋଳା ହୋଇଥିଲା। ତେବେ ଆଜି ନିର୍ଦ୍ଧାରିତ ସମୟ ଅନୁଯାଇ ନୀତିକାନ୍ତି ସମାପନ ହୋଇଥିବା ବେଳେ ଚକଅଖ ଡେରା ନୀତିରେ ସୁରୁଖୁରରେ ସମ୍ପର୍ଣ୍ଣ ହୋଇଥିଲା । ଅନ୍ୟପଟେ ରଥଖଳାରେ ପ୍ରାୟତଃ ୨୦ରୁ ଊର୍ଦ୍ଧ୍ବ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେଵ ବୋଲି କହିଛନ୍ତି ମହାରଣା ସେବକ । ତେବେ ମହାପ୍ରଭୁଙ୍କ ଏହି ଚକଅଖ ଡେରା ନୀତି ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ଦେଖି ଭକ୍ତ ଶ୍ରଦ୍ଧାଳୁ ବେଶ୍ ଖୁସି ପ୍ରକଟ କରିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଭଉଁରୀ ଯାତ୍ରା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଵା ବେଳେ ଟ୍ରାଫିକ ବ୍ୟବସ୍ଥା ଲାଗି ସ୍ୱତନ୍ତ୍ର ଆଡ଼ଭାଇଜରୀ ଜାରି କରିଛି ପୁରୀ ପୋଲିସ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button