ରାଜ୍ୟ

୫୭ ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର- ଶୁଭେଛାର ସୁଅ

୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବେଶ୍ ଯୁବସୁଲଭତା ଗୁଣ। ସଦା ଚଳଚଞ୍ଚଳ। ଯେତେ କ୍ଳାନ୍ତି ଥିଲେ ବି ହସ ହସ ମୁହଁରେ କାହାରିକୁ ନିରାଶ କରନ୍ତିନି ମୁକୁ। ଆଉ ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭକାମନା ନେଇ ସୁଅ ଛୁଟିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଧର୍ମେନ୍ଦ୍ରଙ୍କୁ ଶୁଭେଛା ଜଣାଇଛନ୍ତି। ଶିକ୍ଷା କ୍ଷେତ୍ରରେ ସୁଧାର ଓ ସଂସ୍କାର ଆଣିବା ଦିଗରେ ଧର୍ମେନ୍ଦ୍ରଙ୍କ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ସୁଖୀ, ନିରୋଗ ଓ ଦୀର୍ଘାୟୁ କାମନା କରିବା ସହ ଜନସେବା ଲାଗି ତାଙ୍କୁ ମହାପ୍ରଭୂ ଓ ମାଆ ସମଲେଶ୍ୱରୀ ଅସୀମ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଅର ଜନ୍ମଦିନରେ ଦୀପ ଜାଳିଛନ୍ତି ମାଆ ବସନ୍ତମଞ୍ଜରୀ। ତାଳଚେର ହନୁମାନ ମନ୍ଦିରରେ ଦୀପ ଜାଳି ଜଣେ ମାଆ ପାଇଁ ତା ପୁଅର ଜନ୍ମତିଥିରୁ ଅଧିକ ଆଉ କଅଣ ଖୁସିର ମୂହୂର୍ତ୍ତ ଥାଇପାରେ ବୋଲି ଭାବବିହ୍ୱଳ ହୋଇପଡ଼ିଛନ୍ତି ବସନ୍ତମଞ୍ଜରୀ।

ଏହି ପରିପ୍ରେକ୍ଷୀରେ ତାଙ୍କର ଶୁଭଚିନ୍ତକ ହଜାରେ ଆଠ ଦୀପ ଜାଳି ଦୀର୍ଘାୟୁ କାମନା କରିଥିଲେ। ଭୁବନେଶ୍ୱରରେ ତାଙ୍କର ଜନ୍ମଦିନକୁ ପାଳିଛନ୍ତି ଯୁବ ଓ ଛାତ୍ର ବର୍ଗ। ଦେଶର ଶିକ୍ଷାମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବାକୁ ଯାଇ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ ସହ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳବଣ୍ଟନ କରାଯାଇଥିଲା। ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବାକୁ ତାଙ୍କ ବାସଭବନରେ ସକାଳୁ ଶୁଭେଛୁଙ୍କ ସୁଅ ଛୁଟିଥିଲା। ଓଡ଼ିଶା ବିକାଶରେ ଧର୍ମେନ୍ଦ୍ରଙ୍କ ଅବଦାନ ଅତୁଳନୀୟ। ମୋଦିଙ୍କ ଆଗଧାଡ଼ିର ଏହି ସୈନିକ ସବୁ ଜଟିଳ ପରିସ୍ଥିତିକୁ କିଭଳି ସହଜ କରିହେବ, ସେ କରିସ୍ମା ତାଙ୍କୁ ଜଣା ବୋଲି ଅନେକ କୁହନ୍ତି।

ସେ ନିର୍ବାଚନୀ ମୈଦାନ ହେଉ ଅବା ଦଳୀୟ ରଣନୀତି। ସମାଜରେ ସଂସ୍କାର ହେଉ ଅବା ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳାର ପୁରୁଣା ନାରାକୁ ବଦଳାଇବାର ଫର୍ମୁଲା ହେଉ। ସବୁଠି ଧର୍ମେନ୍ଦ୍ରଙ୍କ ଛାପ ବାରି ହୋଇପଡ଼େ। ଓୟୁଏଟିରେ କେକ୍ କାଟି ଜନ୍ମଦିନ ପାଳିଛନ୍ତି ଧର୍ମେନ୍ଦ୍ର। ଓୟୁଏଟିସ୍ଥିତ କୃଷକ ଭବନରେ ଏମର୍ଜେନ୍ସିର ୫୦ ବର୍ଷ ପୂର୍ତ୍ତିକୁ କଳାଦିବସ ଭାବେ ପାଳନ କରାଯିବା ଅବସରରେ ଶୁଭେଛୁ ଓ ସମର୍ଥକ ତାଙ୍କର ପ୍ରିୟ ନେତାଙ୍କୁ ବିନା କେକ୍ କଟାରେ ଛାଡ଼ିନଥିଲେ। ତାଙ୍କର ଜନ୍ମଦିନରେ ସମସ୍ତଙ୍କର ଏତେ ଭଲ ପାଇବା ଦେଖି କୃତଜ୍ଞତା ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର। ୫୭ ବର୍ଷରେ ଧର୍ମେନ୍ଦ୍ର। ତାଙ୍କ କାର୍ଯ୍ୟଶୈଳୀ ତାଙ୍କର ସ୍ୱତନ୍ତ୍ରତାକୁ ବେଶ୍ ପ୍ରତିପାଦିତ କରିଥାଏ। ତାଙ୍କର ରାଜନୈତିକ ଓ ସାମାଜିକ କାର୍ଯ୍ୟକଳାପ ଓଡ଼ିଶା ତଥା ଜାତୀୟସ୍ତରରେ ବେଶ୍ ଉଲ୍ଲେଖନୀୟ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button