ରାଜ୍ୟ

ମହତାବ ଥିଲେ ଆତ୍ମବିଶ୍ୱାସ ଓ ଜ୍ଞାନର ଅଦ୍ଭୁତ ସଂଯୋଗ

ବ୍ୟକ୍ତି କେତେଦିନ ବଞ୍ଚେ, ତାହା ମହତ୍ୱପୂର୍ଣ୍ଣ ନୁହେଁ। ବରଂ କିଭଳି ବଞ୍ଚେ। ତାହା ବେଶୀ ମାଏନା ରଖେ। ଆଉ ଏହା ଡକ୍ଟର ମହତାବଙ୍କ ଜୀବନୀରୁ ଶିକ୍ଷା ମିଳେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଡକ୍ଚର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଆୟୋଜିତ ଜାତୀୟ ସମ୍ମିଳନୀରେ ସାମିଲ୍ ହୋଇ ଗଡ଼କରୀ କହିଛନ୍ତି ଯେ, ଆତ୍ମବିଶ୍ୱାସ ସହ ଜ୍ଞାନର ଅଦ୍ଭୂତ ସଂଯୋଗ ଥିଲେ ମହତାବ। ଓଡ଼ିଶା ପାଇଁ ମହତାବଙ୍କ ଅବଦାନକୁ ଇତିହାସ ସବୁବେଳେ ମନେ ରଖିବ। ମହତାବଙ୍କ ଜୀବନୀରୁ ପ୍ରେରଣା ନେଇ ରାଷ୍ଟ୍ର ପୁନନିର୍ମାଣରେ ବିଶ୍ୱଗୁରୁ ପାଇଁ ବାଟ ମିଳିବ। ଡକ୍ଟର ମହତାବ ଥିଲେ ଓଡ଼ିଶାର ଏକ ବହମୁଖୀ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ ବୋଲି କହିଛନ୍ତି ନୀତିନ। ଏହା ସହ ଜଳ, ଶକ୍ତି, ପରିବହନ ଓ ଯୋଗାଯୋଗ- ଏହି ୪ଟି ମୂଳବିନ୍ଦୁ ଦ୍ୱାରା ଓଡ଼ିଶାର ବିକାଶ ସମ୍ଭବ ବୋଲି କହିଛନ୍ତି ଗଡ଼କରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଡକ୍ଚର ମହତାବ ଏକାଧାରରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଚ୍ରନୀତିଜ୍ଞ, କୂଟନୀତିଜ୍ଞ, ସାହିତ୍ୟିକ, ସାମ୍ୱାଦିକ ଓ ଐତିହାସିକ ଥିଲେ। ସେ ଥିଲେ ଯଥାର୍ଥରେ ଆଧୁନିକ ଓଡ଼ିଶାର ନିର୍ମାତା। ରାଜ୍ୟ ସରକାର ମହତାବଙ୍କ ସ୍ମୃତିକୁ ପୁନଃ ଉଜ୍ଜୀବିତ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। କଟକ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ, ଓଡ଼ିଶାର ବିକାଶ ପାଇଁ ଡକ୍ଟର ମହତାବଙ୍କ ଆକାଂକ୍ଷା, ଅଭିଳାଷ ଅନେକ ଥିଲା। ଏହାକୁ ପାଥେୟ କରି ଏକ ସମୃଦ୍ଧ ଓଡ଼ିଶା ଗଠନ କରିପାରିବା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ମୁଖ୍ୟମନ୍ତ୍ରୀ ମହତାବଙ୍କ ଜୀବନୀ ସମ୍ୱନ୍ଧୀୟ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରିବା ସହ ଏହାର ପରିଦର୍ଶନ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button