ରାଜ୍ୟ

ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫: ୫ ଲକ୍ଷ କୋଟିର ନିବେଶ ଆଶା

ଭୁବନେଶ୍ବର: ଆଉ ଦୁଇ ଦିନ ପରେ ଭୁବନେଶ୍ବରର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ ୨୦୨୫ ଆରମ୍ଭ ହେବ। ବହୁ ପ୍ରତୀକ୍ଷିତ ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ରାଜ୍ୟର ମୋହନ ମାଝୀଙ୍କ ସରକାର ସମସ୍ତ ପ୍ରଚେଷ୍ଟା ଚଳାଇଛନ୍ତି। ଚଳିତବର୍ଷର କନକ୍ଲେଭ ଜରିଆରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ମିଳିବା ନେଇ ଶିଳ୍ପ ବିଭାଗ ଆଶା ରଖିଛି। ପାଖାପାଖି ୧୦୦ କମ୍ପାନିଙ୍କ ଜରିଆରେ ଏହି ନିବେଶ ଆସିବ। କନ୍‌କ୍ଲେଭ୍‌ ପୂର୍ବରୁ ଆଜି ଏହାର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ଶିଳ୍ପମନ୍ତ୍ରୀ ସଂପଦ ଚରଣ ସ୍ବାଇଁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ୨୮ ତାରିଖରେ କନ୍‌କ୍ଲେଭ୍‌ର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ଜୁଏଲ ଓରାମ୍‌ ଯୋଗଦେବେ।

କନ୍‌କ୍ଲେଭରେ ଯୋଗଦେବା ପାଇଁ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିସାରିଛନ୍ତି। ସେହିଭଳି ୧୬ରୁ ଅଧିକ ଦେଶରୁ ୧୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ପ୍ରତିନିଧି ଆସିବେ। ସେମାନଙ୍କ ମଧ୍ୟରେ ରାଷ୍ଟ୍ରଦୂତ, କନସଲ୍‌ ଜେନେରାଲ୍‌ ଆଦି ରହିଛନ୍ତି। ସହଭାଗୀ ଦେଶ ଭାବେ ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ସେମାନଙ୍କ ଉନ୍ନତ ଜ୍ଞାନକୌଶଳ ଆଧାରିତ ବିଶେଷତା ଏଠାରେ ପ୍ରଦର୍ଶନ କରିବେ। ଓଡ଼ିଶା ସହିତ ସେମାନଙ୍କର ଥିବା ଗଭୀର ସହଭାଗିତାକୁ ମଧ୍ୟ ପ୍ରୋତ୍ସାହିତ କରିବେ। ଏଥିରେ ଇଟାଲୀ, ଫ୍ରାନ୍ସ, ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ନେପାଳ, ଭେନେଜୁଏଲା, ବେଲାରୁଷ, ଇଜିପ୍ଟ, କାଜାଖ୍‌ସ୍ତାନ, ଜିମ୍ବାୱେ, ଭିଏତନାମ, ରୁଆଣ୍ଡା ଆଦି ଦେଶର ପ୍ରତିନିଧି ସାମିଲ ହେବେ। ଏଥିସହିତ ଏହି ଶିଳ୍ପ ମହାକୁମ୍ଭରେ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ, କୁମାର ମଙ୍ଗଳମ୍‌ ବିର୍ଲା, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରନ ଆଦାନୀ, ହିତେଶ ଦୋଶୀ, ବାଲକୃଷ୍ଣ ଗୋଏଙ୍କା ଏବଂ ଟିଭି ନରେନ୍ଦ୍ରନଙ୍କ ଭଳି ଶିଳ୍ପ ନେତୃବୃନ୍ଦ ଯୋଗଦେବେ।

୧୬ ଦେଶର ଶତାଧିକ ପ୍ରତିନିଧି ଆସିବେ
ପ୍ରଧାନମନ୍ତ୍ରୀ ଓ ୩ କେନ୍ଦ୍ରମନ୍ତ୍ରୀ ଯୋଗଦେବେ
ଏଲ୍‌ଏନ୍‌ ମିତ୍ତଲ, କୁମାର ମଙ୍ଗଳମ୍‌ ବିର୍ଲା, ଅନୀଲ ଅଗ୍ରୱାଲ୍‌,
ସଜ୍ଜନ ଓ ନବୀନ ଜିନ୍ଦଲ, କରନ ଆଦାନୀ ସାମିଲ ହେବେ

କନ୍‌କ୍ଲେଭ୍‌ରେ ୩ଟି ବିଷୟଗତ ଅଧିବେଶନ ହେବ। ସେଗୁଡ଼ିକ ହେଲା ଷ୍ଟାର୍ଟଅପ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଏବଂ ମହିଳା ଉଦ୍ୟୋଗୀ। ଏହା ସହିତ ସିଇଓମାନଙ୍କ ଗୋଲଟେବୁଲ, ମହିଳା ଉଦ୍ୟୋଗୀମାନଙ୍କ ଗୋଲଟେବୁଲ ବୈଠକ କରାଯାଇ ଅର୍ଥପୂର୍ଣ୍ଣ ଆଲୋଚନା ହେବ। ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀରେ ପ୍ରାୟ ୧୫୦ ପ୍ରଦର୍ଶକ ‌ସାମିଲ ହୋଇ ସେମାନଙ୍କ ସାମଗ୍ରୀ ଓ ସମାଧାନ ପ୍ରଦର୍ଶନ କରିବେ। ୨୮ ଓ ୨୯ ତାରିଖରେ ଏହି ପ୍ରଦର୍ଶନୀ କନକ୍ଲେଭର ପ୍ରତିନିଧିମାନଙ୍କ ପାଇଁ ଏବଂ ଜାନୁଆରି ୩୦ରେ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ। ପ୍ରଥମ ଦିନ ଅରୁଣା ମହାନ୍ତିଙ୍କ ଟ୍ରୁପ୍‌ ପକ୍ଷରୁ ଏବଂ ଦ୍ବିତୀୟ ଦିନ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଏଥିସହିତ ଦୁଇଦିନ ଯାକ ଚିତ୍ତାକର୍ଷକ ଡ୍ରୋନ୍‌ ସୋ ମଧ୍ୟ କରାଯିବ।

ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ କେବଳ ନିବେଶ ଶିଖର ସମ୍ମିଳନୀ ନୁହେଁ। ବରଂ ବୈଷୟିକ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାକୁ ଏକ ପ୍ରମୁଖ ଦାବିଦାର ଭାବେ ସ୍ଥାନିତ କରିବା ପାଇଁ ଏକ ପରିବର୍ତ୍ତନର ଯାତ୍ରା ଅଟେ। ବୟନଶିଳ୍ପ, ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ, ଅକ୍ଷୟ ଶକ୍ତି ଏବଂ ସିନେମା ଓ ଗଣମାଧ୍ୟମ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଉପରେ ରାଜ୍ୟ ସରକାରଙ୍କ ଧ୍ୟାନ କେନ୍ଦ୍ରିତ ରହିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ରଖିଥିବା ଆଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ସାକାର କରିବାରେ ଏହି କନ୍‌କ୍ଲେଭର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button