ସ୍ୱାସ୍ଥ୍ୟ

ଶୋଇଲା ବେଳେ ପାଦ ଝିମ୍‌ ଝିମ୍‌ ହୁଏ କାହିଁକି ?

ପାଦ ହେଉଛି ମଣିଷର ଚକ। ଏହା ଅଚଳ ହେଲେ କଥା ସରିଲା। ବେଳେବେଳେ କୌଣସି ଏକ ବିଶେଷ କାରଣରୁ ଏଥିରେ ସମସ୍ୟା ଦେଖା ଦେଇଥାଏ।

ରାତିରେ ଶୋଇଲା ଅବସ୍ଥାରେ କେତେକ ଲୋକ ହଠାତ୍‌ ଉଠିପଡ଼ି ଗୋଡ଼ ପାଦ ଝିମ୍‌ ଝିମ୍‌ ହେବାର ଅନୁଭବ କରିଥାନ୍ତି ଏବଂ କିଛି ସମୟ ଘର ଭିତରେ ପଦଚାରଣ କରି ସେଥିରୁ ମୁକ୍ତ ପାଇଥାନ୍ତି। ଏପରିକି ଜଣେ ଜଣେ ଲୋକ ରାତିରେ ତିନି ଚାରିଥର ଯାଏ ନିଦରୁ ଉଠି ଏ ପ୍ରକାର ଗୋଡ଼ଘୋଳା ଓ ପାଦ ଝିମ୍‌ ଝିମ୍‌ ହେବାର ଅନୁଭବ କରିଥାନ୍ତି। ଏ ବିଷୟରେ ଡାକ୍ତରଙ୍କ ଦୃଷ୍ଟି ଆକର୍ଷଣ କଲେ ସେମାନେ କହନ୍ତି ଯେ ଏହା ନିଦ୍ରା ସଂପର୍କିତ ଏକ ରୋଗ। ଏହାକୁ ଆର୍‌. ଏଲ୍‌. ଏସ୍‌ ବା ‘ରେଷ୍ଟଲେସ୍‌ ଲେରସ୍‌ ସିଣ୍ଡ୍ରୋମ୍‌’ କୁହାଯାଏ। ଏହି କାରଣରୁ ଅନେକଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ। ଫଳରେ ଦିନତମାମ କୌଣସି କାମରେ ମନ ଲାଗେ ନାହିଁ।

ଏ ସଂକ୍ରାନ୍ତରେ ଜର୍ମାନୀର ମ୍ୟୁନିକସ୍ଥିତ ମେକ୍ସପ୍ଲେଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇକିଆଟ୍ରିର ଜଣେ ଡାକ୍ତର ଗବେଷକ ଫ୍ଲାଇଡ଼ିଆଟ୍ରକ ୱାଲଡ଼ରଙ୍କ ନେତୃତ୍ୱରେ ଅନୁସନ୍ଧାନ କରାଯାଇ ଜଣାଗଲା ଯେ ଜର୍ମାନୀରେ ୬୫ ବର୍ଷରୁ ୮୫ ବର୍ଷ ବୟସର ଦଶ ଶତାଂଶ ଲୋକଙ୍କଠାରେ ଏହି ରୋଗ ଦେଖାଯାଉଛି। ମାଞ୍ଚେଷ୍ଟର ୟୁନିଭର୍ସିଟିର ଗବେଷକ ଡାକ୍ତର କ୍ଲାଭସବର୍ଗଙ୍କ ମତରେ ସେ ପ୍ରଥମେ ୩୮୫ ଜଣ ଲୋକଙ୍କଠାରେ ପରୀକ୍ଷା ଚଳାଇ ଦେଖିଲେ ଯେ ସେଥିରୁ ୩୬ ଜଣ ଲୋକଙ୍କଠାରେ ଏହି ଆର୍‌. ଏଲ୍‌. ଏସ୍‌ ରୋଗ ରହିଛି। ଉତ୍ତର ଆମେରିକାରେ ଏହି ରୋଗରେ ଅଧିକ ଲୋକ ପୀଡ଼ିତ ବୋଲି ଜଣାଗଲା। ତେବେ ପ୍ରକୃତରେ ରୋଗର କାରଣ କ’ଣ ଜଣାପଡ଼ିଲା ନାହିଁ। ସାଧାରଣ ଭାବେ ଏହାକୁ ନିଦ୍ରାହୀନତା ବା ‘ଇନସୋମନିଆ’ ବୋଲି କୁହାଗଲା। ତେଣୁ ରୋଗୀଙ୍କୁ ନିଦ ବଟିକା ଦିଆଗଲା। ଫଳରେ ରୋଗୀର ଭଲ ନିଦ ହେଲା କିନ୍ତୁ ଝିମ୍‌ ଝିମ୍‌ ହେବା ସମସ୍ୟା ରହିଗଲା। ପୁଣି ନ୍ୟୁର୍ଜିନ୍ୟୁରୋସାଇନ୍ସ ଇନଷ୍ଟିଚ୍ୟୁଟର ପ୍ରଫେସର ତଥା ଇଣ୍ଟର ନ୍ୟାସନାଲ ଆସୋସିଏସନ୍‌ ଅଫ୍‌. ଆର. ଏଲ. ଏସ୍‌ର ଗବେଷକ ଦଳଙ୍କ ମୁଖ୍ୟ ପ୍ରଫେସର ଡଃ ଆର୍ଥର ୱାଲଟରସଙ୍କ ମତରେ ଏହି ରୋଗର ଚିକିତ୍ସା ପାଇଁ ଶକ୍ତିଶାଳୀ ଔଷଧ ଆବିଷ୍କାର କରାଯିବାର ଚେଷ୍ଟା ଆବଶ୍ୟକ। ଏପର୍ଯ୍ୟନ୍ତ କୌଣସି ଔଷଧ ଏହି ରୋଗ ପାଇଁ ତିଆରି ହୋଇନାହିଁ। ଏଥିପାଇଁ ଏ ରୋଗକୁ ଚପାଇ ଦେବା ପାଇଁ ନିଦ ବଟିକା ଦିଆଯାଏ। ତେବେ ଏହି ରୋଗ ପ୍ରାୟ ଏକ-ତୃତୀୟାଂଶ ବଂଶାନୁକ୍ରମିକ ହୋଇଥାଏ ଓ ମହିଳାମାନଙ୍କ ଠାରେ ଗର୍ଭାବସ୍ଥାର ଶେଷ ତିନିମାସ ପର୍ଯ୍ୟନ୍ତ ଏବଂ ପ୍ରସବ ପରେ କିଛି ସପ୍ତାହ ପର୍ଯ୍ୟନ୍ତ ଦେଖାଯାଏ।

ବିଶେଷଜ୍ଞଙ୍କ ମତରେ ଏହା ‘ହରମୋନ’ ପରିବର୍ତ୍ତନ କାରଣରୁ ହୋଇପାରିଥାଏ। ଏପର୍ଯ୍ୟନ୍ତ ଏହି ରୋଗରେ ଲୌହସାର ବା ମ୍ୟାଗ୍ନେସିୟମର କ’ଣ ଭୂମିକା ଅଛି ତାହା ଜଣାଯାଇନାହିଁ। ଏ ପ୍ରକାର ରୋଗୀ ଉପଯୁକ୍ତ ନିଦ୍ରା ସହାୟକ ଓ ସ୍ୱାଭାବିକ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆୟୁର୍ବେଦରେ କେତେକ ଲାକ୍ଷଣିକ ବ୍ୟବସ୍ଥା ମଧ୍ୟ ରହିଛି। ଯାହାଦ୍ୱାରା ପାଦର ଝିମ୍‌ ଝିମ୍‌ ହେବା ବନ୍ଦ ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button