ରାଜ୍ୟ

ନରହନ୍ତା ଭାଲୁର ଆତଙ୍କ: ବାପା, ପୁଅଙ୍କୁ ମାରିଦେଲା, ବନ କର୍ମଚାରୀ ଗୁରୁତର

ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାରେ ଛତିଶଗଡ଼ କାଙ୍କେର ଜିଲ୍ଲା ଜେଲାନକାସା ଜଙ୍ଗଲରେ ଆତଙ୍କ ଖେଳାଇଛି ନରହନ୍ତା ଭାଲୁ। କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ଯୁବକ ଭାଲୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହାପରେ ପୁଅର ମୃତଦେହ ଆଣିବାକୁ ଯାଇଥିବା ବାପାଙ୍କୁ ମଧ୍ୟ ଭାଲୁ ମାରିଦେଇଛି। ଏହି ଘଟଣାରେ ବନ ବିଭାଗର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଡଙ୍ଗର‌କଟା ଗାଁର ସୁକଲାଲ ଡୋରା ଏବଂ ଅଜୁ କୁରେଟି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସୁକଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅଜୁ ଆହତ ହୋଇ କୌଣସି ପ୍ରକାର ଗାଁକୁ ଚାଲି ଆସିଥିଲା। ଘଟଣା ସଂପର୍କରେ ଜଣାଇବା ପରେ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ବନ ବିଭାଗ ଓ ପୁଲିସ ଟିମ୍ ପହଞ୍ଚି ସୁକଲାଲଙ୍କ ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉଗ୍ର ଭାଲୁ ମୃତଦେହ ନେବାକୁ ଦେଇନଥିଲା। ଭାଲୁ ଆକ୍ରମଣରେ ବନରକ୍ଷୀ ନାରାୟଣ ଯାଦବ ଗୁରୁତର ଆହତ ହୋଇଥିଲେ। ବନରକ୍ଷୀଙ୍କୁ ଉଦ୍ଧାର କରିବା ପରେ ସମସ୍ତେ ସେଠାରୁ ଚାଲି ଆସିଥିଲେ। ଏହାପରେ ପୁଅର ମୃତଦେହ ଆଣିବାକୁ ବାପା ଶଙ୍କର ଡୋରା ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଭାଲୁ ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ବହୁ କଷ୍ଟରେ ବାପା, ପୁଅଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏପରିକି ମୃତଦେହକୁ ଭାଲୁ କବଳରୁ ଆଣିବା ପାଇଁ ଜେସିବି ବ୍ୟବହାର ହୋଇଥିଲା।

ଭାଲୁ ସହ ବନରକ୍ଷୀଙ୍କ ଲଢ଼େଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭାଲୁର ଉଗ୍ର ଆଚରଣ ଦେଖି ବନ ବିଭାଗ କର୍ମଚାରୀ ଜଙ୍ଗଲରେ ଡେରା ପକାଇଛନ୍ତି। ଜନବସତି ଆଡ଼କୁ ଯେମିତି ନଯାଏ ସେଥିପାଇଁ ସତର୍କ ରହିଛନ୍ତି। ଗ୍ରାମବାସୀଙ୍କୁ ମଧ୍ୟ ଜଙ୍ଗଲ ନ ଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button