ରାଜ୍ୟ ବସ୍ ମାଲିକ ସଂଘର ଅଧିବେଶନ: ‘୨୦ ବର୍ଷ ପର୍ଯ୍ୟନ୍ତ ବସ୍ ଚଳାଚଳ ଅନୁମତି ଦିଅ’

ପୁରୀ: ପୁରୀ ଟାଉନ୍ହଲଠାରେ ଗୁରୁବାର ରାଜ୍ୟ ବସ୍ ମାଲିକ ସଂଘର ଅଧିବେଶନ ସଂଘ ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ରାଜ୍ୟ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ଏବେ ୧୪ ହଜାରରୁ ଅଧିକ ବସ୍ ଚଳାଚଳ କରୁଛି। ଏହି ସମସ୍ତ ବସ୍ ୮ ହଜାର ମାଲିକଙ୍କ ଦ୍ବାରା ପରିଚାଳିତ ହେଉଛି। ପ୍ରତ୍ୟକ୍ଷ ଭାବେ ୧ ଲକ୍ଷ ପରିବାର ଏବଂ ପରୋକ୍ଷ ଭାବେ ୫ଲକ୍ଷ ପରିବାର ଗୁଜରାଣ ମେଣ୍ଟାଉଛନ୍ତି। ସରକାରୀସ୍ତରରେ ନିଆଯାଇଥିବା ବହୁ ନିଷ୍ପତ୍ତି ଆମ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି। ତେବେ ଗୋଟିଏ ବସ୍କୁ ୧୫ ବର୍ଷ ପରିବର୍ତ୍ତେ ୨୦ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦେବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ରାଜ୍ୟର ବିଭିନ୍ନ ଆଞ୍ଚଳିକ ବସ୍ ମାଲିକ ସଂଘର ସମ୍ପାଦକମାନେ ନିଜସ୍ବ ମତ ରଖି କହିଥିଲେ, ବସ୍ ଯାତାୟାତ ପାଇଁ ପରମିଟ୍ ନବୀକରଣ ସମସ୍ୟା ସୃଷ୍ଟି କରୁଛି। ୫ବର୍ଷିଆ ପରମିଟ୍ ପ୍ରଦାନ କରାଯାଉଛି। କିନ୍ତୁ ଯଦି ବସ୍ ବର୍ଷେରୁ ଅଧିକ ସମୟ ନ ଚାଲୁଛି ତେବେ ପରମିଟ୍ ନବୀକରଣ ବେଳେ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟ ପରିବହନ ପ୍ରାଧିକରଣ ଏହି ବାଧା ଦୂର କରିବା ଦିଗରେ ଦୃଷ୍ଟି ଦିଅନ୍ତୁ। ଏହା ବ୍ୟତୀତ ବସ୍ଗୁଡ଼ିକୁ ୧୫ ବର୍ଷ ପରେ ୨୦ ବର୍ଷ ପର୍ଯ୍ୟନ୍ତ ଟେମ୍ପୋରାରି ପରମିଟ୍ ପ୍ରଦାନ ଏବଂ ଡିଜେଲ୍ ଦରକୁ ଦୃଷ୍ଟିରେ ରଖି ଭଡ଼ା ବୃଦ୍ଧି କିମ୍ବା ହ୍ରାସ କରାଯିବା କଥା। ମାତ୍ର ୨୦୧୬ ପରଠୁ ଏପର୍ଯ୍ୟନ୍ତ ମୂଳ ଭଡ଼ା ପରିବର୍ତ୍ତନ କରାଯାଉନାହିଁ। ସେହିପରି ରୋଡ୍ ଟାକ୍ସ ଦିଆଯାଉଥିଲେ ମଧ୍ୟ ରାଜ୍ୟର ବହୁ ରାସ୍ତା କଚ୍ଚା ରହିଛି। ରାସ୍ତା ଖରାପ ଯୋଗୁ ଲୋକେ ବସ୍ରେ ଯିବାକୁ ପସନ୍ଦ କରୁନାହାନ୍ତି। ସରକାର ରାସ୍ତା ନ ସଜାଡ଼ିଲେ ଆମେ କାହିଁକି ରୋଡ୍ ଟାକ୍ସ ଦେବୁ ବୋଲି ବହୁ ବସ୍ ମାଲିକ ପ୍ରଶ୍ନ କରିଥିଲେ। ଲକ୍ଷ୍ମୀ ବସ୍ ସମସ୍ତ ପଞ୍ଚାୟତରୁ ବ୍ଲକ୍କୁ ଚଳାଇବା ଓ ସହର ବାହାରେ ମୋ ବସ୍ ଚଳାଚଳ ନ କରିବାକୁ ଦାବି ହୋଇଛି। ପାସେଞ୍ଜର୍ ବସ୍କୁ ପରିବହନ ଶିଳ୍ପ ଭାବେ ଘୋଷଣା କରାଯିବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାବ୍ୟତୀତ କେଉଁ ରୁଟ୍ରେ କେତେ ନିର୍ଦ୍ଦିଷ୍ଟ ବସ୍ ଚଳାଚଳ କରିବ ତାହା ନିର୍ଦ୍ଧାରଣ କରିବାକୁ ମତପ୍ରକାଶ ପାଇଥିଲା। ସଂଘର କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କ୍ୟାମେରା ଲଗାଇ ବେଗ ଉପରେ ଯେଭଳି ଜରିମାନା ଆଦାୟ ହେଉଛି ତାହା ଘରୋଇ ବସ୍କୁ ବିଶେଷ ପ୍ରଭାବିତ କରିଛି।