ରାଜ୍ୟ

ଓଏଏସ୍‌ ଚାକିରିରୁ ବଞ୍ଚିତ ପ୍ରାର୍ଥୀଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବ ଓପିଏସ୍‌ସି

ଭୁବନେଶ୍ବର: କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ୫ବର୍ଷ ଧରି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଚାକିରିରୁ ବଞ୍ଚିତ ଜଣେ ପ୍ରାର୍ଥୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଲକ୍ଷେ ଟଙ୍କା କ୍ଷତିପୂରଣ ପ୍ରଦାନ କରିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଓପିଏସ୍‌ସି ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି।

ସୂଚନା ଅନୁସାରେ, ୨୦୧୭ ବ୍ୟାଚ୍‌ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଅନୁଶ୍ରବ ଗନ୍ତାୟତଙ୍କ ପ୍ରାର୍ଥୀତ୍ବକୁ ମୌଖିକ ପରୀକ୍ଷା ପରେ ଆୟୋଗ ନାକଚ କରିଦେଇଥିଲେ। ପ୍ରାର୍ଥୀ ଜଣକ ୧୩୬୫ ନମ୍ବର ରଖିଥିବା ବେଳେ ୧୩୦୨ ନମ୍ବର ରଖିଥିବା ଅଣସଂରକ୍ଷିତ ଓ ୧୦୬୫ ନମ୍ବର ରଖିଥିବା ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦିଆଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ, ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଓ ମୁଖ୍ୟ ଶାସନ ସଚିବ ବାରମ୍ବାର ଏ ପ୍ରସଙ୍ଗରେ ଆୟୋଗଙ୍କ ଦୃଷ୍ଟିକୁ ଆଣିବା ସହ ବଞ୍ଚିତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରିବାକୁ କହିଥିଲେ। ଏପରିକି ସ୍ୟାଟ୍‌ ପକ୍ଷରୁ ମଧ୍ୟ ଅନୁରୂପ ମନ୍ତବ୍ୟ ଦିଆଯାଇଥିଲା। ହେଲେ ଆୟୋଗ ଅନୁଶ୍ରବଙ୍କ ନାମ ମେଧା ତାଲିକାରେ ସାମିଲ କରି ନ ଥିଲେ।

କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ନାକଚ ହୋଇଥିଲା ପ୍ରାର୍ଥୀତ୍ବ
ଓପିଏସ୍‌ସି ଅଧ୍ୟକ୍ଷଙ୍କୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପତ୍ର

ବାଧ୍ୟହୋଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଇତିମଧ୍ୟରେ ତାଙ୍କ ବ୍ୟାଚ୍‌ର ଅନ୍ୟ ପ୍ରାର୍ଥୀଙ୍କୁ ୨୦୧୯ ମସିହାରେ ଓଏଏସ୍ ପଦବିରେ ନିଯୁକ୍ତି ଦିଆଯାଇଥିଲା। ୫ବର୍ଷ ଧରି ମାମଲା ଚାଲିବା ପରେ ୨୦୨୩ ଡିସେମ୍ବର ୧୯ ତାରିଖରେ ହାଇକୋର୍ଟ ବଞ୍ଚିତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ତାଙ୍କୁ ଓଏଏସ୍ ଚାକିରିରେ ନିଯୁକ୍ତି, ମେଧା ତାଲିକା ଭିତ୍ତିରେ ତାଙ୍କର ବରିଷ୍ଠତା ନିର୍ଦ୍ଧାରଣ କରିବା, ପିଛିଲା ତାରିଖରୁ ନିଯୁକ୍ତି ଗଣନା କରିବା ସହ ଆବଶ୍ୟକ ପଡ଼ିଲେ ସୁପରନ୍ୟୁମେରାରି ପଦବି ସୃଷ୍ଟି କରିବା, ସମାନ ବ୍ୟାଚ୍‌ର ଅନ୍ୟମାନଙ୍କ ଭଳି ବେତନ ନିର୍ଦ୍ଧାରଣ ଓ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ରାୟ ଦେଇଥିଲେ। ପ୍ରାର୍ଥୀ ଜଣକ ୫ବର୍ଷ ଧରି ଚାକିରିରୁ ବଞ୍ଚିତ ହୋଇ ଯେଉଁଭଳି କ୍ଷତି ସହିଛନ୍ତି ତାହାକୁ ନଜରରେ ରଖି ଦୁଇମାସ ଭିତରେ ୧ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାୟର ଅନୁପାଳନ ସଂକ୍ରାନ୍ତୀୟ ରିପୋର୍ଟ ଚଳିତବର୍ଷ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ହାଇକୋର୍ଟରେ ଦାଖଲ କରିବାକୁ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଳମ୍ବରେ ହେଲେ ମଧ୍ୟ ଆୟୋଗ ଅନୁଶ୍ରବଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିସ କରିବା ପରେ ସାଧାରଣ ପ୍ରଶାସନ ବିଭାଗ ତାଙ୍କୁ ଓଏଏସ୍ ଚାକିରିରେ ନିଯୁକ୍ତି ଦେଇଛନ୍ତି। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କୁ ୧ଲକ୍ଷ ଟଙ୍କା ପ୍ରଦାନରେ ବିଳମ୍ବ କରିବା ସହ ପଦୋନ୍ନତି ହାରରେ ୫ବର୍ଷ ପାଇଁ ହିସାବ କରି ବେତନ ବୃଦ୍ଧି ହୋଇ ନ ଥିବା ଅଭିଯୋଗ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button