ଦେଶ- ବିଦେଶ

ଲାଞ୍ଚ ମାମଲା: ଆଦାନୀଙ୍କ ବିରୋଧରେ ଦୃଢ଼ ପ୍ରମାଣ, ପ୍ରତ୍ୟର୍ପଣ ହେବା ସମ୍ଭାବନା

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଆଇନ ବିଭାଗ ଯେଉଁ ଲାଞ୍ଚ କାରବାର ଅଭିଯୋଗ ଆଣିଛି ତାହାକୁ ନେଇ ଦୃଢ଼ ପ୍ରମାଣ ରହିଥିବା ଦାବି କରାଯାଉଛି। ବିଶେଷ କରି ଆଦାନୀଙ୍କ ପୁତୁରା ସାଗର ଆଦାନୀଙ୍କ ଫୋନ୍‌ରୁ ମିଳିଥିବା ଇଲେକ୍ଟ୍ରୋନିକ୍ସ ପ୍ରମାଣକୁ ବ୍ୟବହାର କରି ମାମଲାକୁ ଦୃଢ଼ କରାଯାଇପାରିବ ବୋଲି ଆଇନ ବିଶାରଦ କରିଛନ୍ତି। କିନ୍ତୁ ମାମଲାର ଶୁଣାଣି ଲାଗି ଆଦାନୀଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବାର ଖୁବ୍‌ କମ୍ ସମ୍ଭାବନା ରହିଥିବା ସେମାନେ କହିଛନ୍ତି। ଅକ୍ଷୟ ଶକ୍ତି ଯୋଗାଣ ପ୍ରକଳ୍ପ ହାତେଇବା ଲାଗି ଭାରତର ବିଭିନ୍ନ ରାଜ୍ୟରେ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଓ ଅନ୍ୟ କିଛି ଅଧିକାରୀ ୨୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଆମେରିକା ଅଭିଯୋଗ କରିଛି।

ଆଦାନୀ ଗ୍ରୁପ୍ ଆମେରିକାରୁ ପାଣ୍ଠି ସଂଗ୍ରହ କରୁଥିବାରୁ ଏହା ଆମେରିକୀୟ ନିବେଶକମାନଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ ଆଣିଛି। ସେଥିପାଇଁ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହି ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍ ପକ୍ଷରୁ ଖଣ୍ଡନ କରାଯାଇଛି। ଆଇନ ବିଶାରଦଙ୍କ ମତରେ ଏହି ଘଟଣାରେ ପ୍ରତ୍ୟକ୍ଷ ଭ‌ାବେ ଜଡ଼ିତ ନ ଥିବା ସମ୍ପର୍କରେ ଆଦାନୀ ଯୁକ୍ତି କରିପାରିବେ। ନିବେଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିବା ବିବରଣୀକୁ ସେ ନିଜେ ପ୍ରସ୍ତୁତ କରି ନଥିବା କହିପାରନ୍ତି। ଅନ୍ୟ ପକ୍ଷରେ ଭାରତରୁ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିବା ଆମେରିକା ଲାଗି ସହଜ ହେବନାହିଁ। କାରଣ ନିଜ ଛବିକୁ ବିଶ୍ବ ଦରବାରରେ ମଳିନ କରିବାକୁ ସରକାର ଚାହିବେ ନାହିଁ। ଏହି ଘଟଣାରେ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିସାରିଛି ଯେ ଆମେରିକା ସରକାର କୌଣସି ବିଷୟ ଲାଗି ଅନୁରୋଧ କରିନାହାନ୍ତି। ତାହା ଏକ ଘରୋଇ କମ୍ପାନି ଓ ଆମେରିକା ଆଇନ ବିଭାଗ ଭିତରର ମାମଲା ବୋଲି ମନ୍ତ୍ରଣାଳୟ କହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button